ନୂଆଦିଲ୍ଲୀ: ୧୯୮୪ରେ କୋଲକାତାରୁ ମାତ୍ର ଗୋଟିଏ ମେଟ୍ରୋ ଲାଇନ୍ ସହ ଭାରତରେ ଆରମ୍ଭ ହୋଇଥିଲା ମେଟ୍ରୋ ଯାତ୍ରା। ଆଉ ଏବେ ଦେଶବ୍ୟାପୀ ବିଶାଳ ମେଟ୍ରୋ ନେଟୱର୍କ ଆମେରିକାକୁ ଟପିବ ଟପିବ ହେଉଛି। ଭାରତର ମେଟ୍ରୋ ନେଟୱର୍କ ଏବେ ୨୬ଟି ସହରରେ ପ୍ରାୟ ୧,୧୭୦ କିଲୋମିଟର ପର୍ଯ୍ୟନ୍ତ ପରିବ୍ୟାପ୍ତ। ଅନ୍ୟପଟେ ଆମେରିକାରେ ମେଟ୍ରୋ ନେଟୱର୍କ ୧,୩୮୬ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି।

ହିସାବ କରି ଦେଖିଲେ ଭାରତ ବର୍ତ୍ତମାନ ଆମେରିକା ଠାରୁ ମାତ୍ର ୨୧୬ କିଲୋମିଟର ପଛରେ ରହିଛି। ବର୍ତ୍ତମାନ ଓଡ଼ିଶା ସମେତ ଦେଶର ଆଉ କେତେକ ରାଜ୍ୟର ମେଟ୍ରୋଲ ନେଟୱର୍କ ବିଛାଇବା ପାଇଁ ଯୋଡନା ଚାଲିଛି। ଏସବୁ ସଫଳ ହେଲେ ମେଟ୍ରୋ ନେଟୱର୍କରେ ଭାରତ ହୁଏତ ଆମେରିକାକୁ ଟପିଯାଇପାରେ। ଏହି ଲକ୍ଷ୍ୟ ଆଉ ବେଶି ଦୂର ନୁହେଁ, ଆସନ୍ତା ବର୍ଷ ହିଁ ଭାରତ ଆମେରିକାକୁ ଟପିଯାଇପାରେ ବୋଲି ଭାରତ ସରକାର କହିଛନ୍ତି।

ସେପ୍ଟେମ୍ବର ୫ରେ ଇନ୍ଦୋର ମେଟ୍ରୋର ବିସ୍ତାରିତ ସେବା ଉଦଘାଟନ ପରେ କେନ୍ଦ୍ରୀୟ ଆବାସ ଓ ସହର ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏହି ସୂଚନା ଦେଇଥିଲେ। ଆସନ୍ତା ଦୁଇ ବର୍ଷରେ ଭାରତ ଆମେରିକାକୁ ଅତିକ୍ରମ କରି ବିଶ୍ୱର ଦ୍ୱିତୀୟ ସର୍ବବୃହତ ମେଟ୍ରୋ ନେଟୱର୍କ ହୋଇପାରେ ବୋଲି ଖଟ୍ଟର କହିଥିଲେ। ବର୍ତ୍ତମାନ ଚୀନ୍ ପ୍ରାୟ ୮,୦୦୦ କିଲୋମିଟର ମେଟ୍ରୋ ନେଟୱର୍କ ସହ ବିଶ୍ୱର ନମ୍ବର-ୱାନ ମେଟ୍ରୋ ସେବା ସମ୍ପନ୍ନ ଦେଶର ଟାଇଟଲ ହାସଲ କରିଛି।

କୋଲକାତାରୁ ଆରମ୍ଭ, ଦେଶବ୍ୟାପୀ ବିସ୍ତାର

ଭାରତର ପ୍ରଥମ ମେଟ୍ରୋ ସେବା ୧୯୮୪ରେ କୋଲକାତାରେ ଆରମ୍ଭ ହୋଇଥିଲା। ୨୦୦୨ ପର୍ଯ୍ୟନ୍ତ କୋଲକାତା ଓ ନୂଆଦିଲ୍ଲୀକୁ ମିଶାଇ ଦେଶରେ ପ୍ରାୟ ୨୫ କିଲୋମିଟର ମେଟ୍ରୋ ନେଟୱର୍କ ଥିଲା। ହେଲେ ୨୦୧୪ ବେଳକୁ ଦେଶର ମେଟ୍ରୋ ନେଟୱର୍କ ପ୍ରାୟ ୨୪୮ କିଲୋମିଟରକୁ ବୃଦ୍ଧି ପାଇଥିଲା। ଏବଂ ସେତେବେଳେ ମାତ୍ର ୫ଟି ସହରରେ ମେଟ୍ରୋ ଚାଲୁଥିଲା। ଏହାପରେ ପରେ ପରେ ଦେଶରେ ଦ୍ରୁତ ଗତିରେ ମେଟ୍ରୋ ନେଟୱର୍କ ବିସ୍ତାର ହୋଇଛି। ୨୦୨୫ ସୁଦ୍ଧା ମେଟ୍ରୋ ନେଟୱର୍କ ୧,୦୦୦ କିଲୋମିଟର ଅତିକ୍ରମ କରି ୨୬ଟି ସହରରେ ପହଞ୍ଚିଥିଲା।

ସରକାରୀ ତଥ୍ୟ ଅନୁସାରେ ୨୦୨୫ରେ ଦେଶରେ ମେଟ୍ରୋ ନେଟୱର୍କ ପ୍ରାୟ ୧,୦୯୫ କିଲୋମିଟର ଥିଲା ଏବଂ ୨୦୨୬ରେ ଆଉ ଟିକେ ବଢ଼ି ୧,୧୫୫ କିଲୋମିଟରରୁ ଅଧିକ ହୋଇଥିଲା। ଇନ୍ଦୋରର ନୂଆ ନେଟୱର୍କ ବିସ୍ତାର ପରେ ଦେଶରେ ୧,୧୭୦ କିଲୋମିଟରରେ ବିଶାଳ ମେଟ୍ରୋ ନେଟୱର୍କରେ ପହଞ୍ଚିଛି ବୋଲି ମନ୍ତ୍ରୀଙ୍କ ଶ୍ରୀ ଖଟ୍ଟର ଆକଳନ କରିଛନ୍ତି।

Also Read- ଭାରତୀୟ ବ୍ୟବସାୟ ପାଇଁ ଗଲ୍ଫର ନୂଆ ଗେଟୱେ ଓମାନର ସୋହାର ବନ୍ଦର, ୩୦ ବିଲିୟନ ଡଲାରରୁ ଅଧିକ ନିବେଶ

ମେଟ୍ରୋ ଲାଇନ୍ ନିର୍ମାଣର ଗତି ମଧ୍ୟ ବଢ଼ିଛି। ୨୦୧୪ ପୂର୍ବରୁ ପ୍ରତିମାସରେ ହାରାହାରି ପ୍ରାୟ ୦.୬୮ କିଲୋମିଟର ମେଟ୍ରୋ ଲାଇନ୍ ଚାଲୁ ହେଉଥିବା ବେଳେ ପରବର୍ତ୍ତୀ ସମୟରେ ଏହା ପ୍ରାୟ ମାସକୁ ୬ କିଲୋମିଟର ହିସାବରେ ବଢ଼ିଛି। ୨୦୧୪ ପରଠାରୁ ୩୮ଟି ମେଟ୍ରୋ ପ୍ରକଳ୍ପରେ ୧,୦୫୧ କିଲୋମିଟର ନେଟୱର୍କ ପାଇଁ ପ୍ରାୟ ୩.୪୪ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର ହୋଇଛି।

ମେଟ୍ରୋ ପାଇଁ ବଢ଼ିଛି ବଜେଟ୍

ମେଟ୍ରୋ ଭିତ୍ତିଭୂମି ପାଇଁ କେନ୍ଦ୍ରୀୟ ବଜେଟ୍ ବ୍ୟବସ୍ଥା ମଧ୍ୟ ବଢ଼ିଛି। ୨୦୧୩-୧୪ରେ ମେଟ୍ରୋ ଭିତ୍ତିଭୂମି ପାଇଁ ପ୍ରାୟ ୫,୭୯୮ କୋଟି ଟଙ୍କା ଆବଣ୍ଟନ ହୋଇଥିବା ବେଳେ ୨୦୨୫-୨୬ରେ ଏହା ୨୯,୫୫୦ କୋଟି ଟଙ୍କା ହୋଇଥିଲା। ୨୦୨୬-୨୭ ପାଇଁ ପ୍ରାୟ ୩୦,୯୪୨ କୋଟି ଟଙ୍କାର ବ୍ୟବସ୍ଥା ରହିଛି।

ଲକ୍ଷ୍ନୌ, ଜୟପୁର, କୋଚି, ଅହମଦାବାଦ, ନାଗପୁର, ପୁଣେ, କାନପୁର, ଆଗ୍ରା, ଭୋପାଳ ଓ ଇନ୍ଦୋର ଭଳି ସହରଗୁଡ଼ିକ ମଧ୍ୟ ଏବେ ମେଟ୍ରୋ ମାନଚିତ୍ରରେ ସାମିଲ ହୋଇଛନ୍ତି। ୨୦୨୫ ଡିସେମ୍ବରରେ ଭୋପାଳ ଦେଶର ୨୬ତମ ସହର ଭାବେ ଚାଲୁ ମେଟ୍ରୋ ନେଟୱର୍କ ଥିବା ସହର ହୋଇଥିଲା।

ଦିଲ୍ଲୀ ଦେଖାଇଲା ବଡ଼ ସହର ପାଇଁ ମଡେଲ୍

କୋଲକାତାରୁ ଭାରତର ମେଟ୍ରୋ ଯାତ୍ରା ଆରମ୍ଭ ହୋଇଥିଲେ ମଧ୍ୟ ଦିଲ୍ଲୀ ମେଟ୍ରୋ ଦେଶରେ ବଡ଼ ପରିମାଣରେ ମେଟ୍ରୋ ନେଟୱର୍କ ବିକାଶର ଏକ ମଡେଲ୍ ହୋଇଛି। ଦିଲ୍ଲୀ-NCR ଏବେ ଦେଶର ସବୁଠୁ ବଡ଼ ମେଟ୍ରୋ କ୍ଲଷ୍ଟର। ଦିଲ୍ଲୀ ମେଟ୍ରୋର ଲମ୍ବ ପ୍ରାୟ ୩୭୪ କିଲୋମିଟର, ୨୭୧ଟି ଷ୍ଟେସନ୍ ଓ ୧୦ଟି ଲାଇନ୍ ରହିଛି।

ବେଙ୍ଗାଲୁରୁର ନମ୍ମା ମେଟ୍ରୋର ପ୍ରାୟ ୯୬ କିଲୋମିଟର ଚାଲୁ ଥିବା ବେଳେ ଆଉ ପ୍ରାୟ ୮୦ କିଲୋମିଟର ନିର୍ମାଣାଧୀନ ଅଛି। କୋଲକାତାରେ ଏବେ ୫ଟି ମେଟ୍ରୋ ଲାଇନ୍ ରହିଛି। ମହାରାଷ୍ଟ୍ରର ମୁମ୍ବାଇ, ପୁଣେ ଓ ନାଗପୁର ମଧ୍ୟ ମେଟ୍ରୋର ବଡ଼ କେନ୍ଦ୍ର ଭାବେ ଉଭା ହୋଇଛି।

ଆହୁରି ଶହ ଶହ କିମି ମେଟ୍ରୋ ନିର୍ମାଣାଧୀନ

ଭାରତର ମେଟ୍ରୋ ବିସ୍ତାର କେବଳ ଘୋଷଣାରେ ସୀମିତ ନାହିଁ। ଅନେକ ପ୍ରକଳ୍ପର ନିର୍ମାଣ କାମ ଚାଲିଛି। ଗୃହ ଓ ସହର ବ୍ୟାପାର ମନ୍ତ୍ରଣାଳୟ ସଂସଦକୁ ଦେଇଥିବା ତଥ୍ୟ ଅନୁସାରେ ପ୍ରାୟ ୮୮୬ କିଲୋମିଟର ମେଟ୍ରୋ ନେଟୱର୍କ ୩୦ଟି ପ୍ରକଳ୍ପରେ ନିର୍ମାଣାଧୀନ ଥିଲା।

ଏଥିରେ ଦିଲ୍ଲୀ ମେଟ୍ରୋ ଫେଜ୍-୪, ୧୧୬ କିଲୋମିଟରର ଚେନ୍ନାଇ ମେଟ୍ରୋ ଫେଜ୍-୨, ବେଙ୍ଗାଲୁରୁ ମେଟ୍ରୋର ବିଭିନ୍ନ ଫେଜ୍, ମୁମ୍ବାଇର ଏକାଧିକ ଲାଇନ୍, ପୁଣେ ମେଟ୍ରୋ ଲାଇନ୍-୩, କୋଚି ମେଟ୍ରୋ ଫେଜ୍-୨, ଗୁରୁଗ୍ରାମ ମେଟ୍ରୋ ଏବଂ ସୁରତର ୪୦ କିଲୋମିଟରରୁ ଅଧିକ ପ୍ରସ୍ତାବିତ ନେଟୱର୍କ ରହିଛି। ଟିୟର-୨ ସହରଗୁଡ଼ିକ ମଧ୍ୟ ଏହି ବିସ୍ତାରର ଅଂଶ ହେଉଛନ୍ତି। ଭୋପାଳ, ଇନ୍ଦୋର, ଆଗ୍ରା, ପାଟନା ଓ କାନପୁରରେ ମେଟ୍ରୋ ନେଟୱର୍କର ବିକାଶ ଚାଲିଛି।

ଓଡ଼ିଶା ରେଳ ନେଟୱର୍କ

ସେହିପରି ଓଡ଼ିଶାର ଭୁବନେଶ୍ୱରରେ ମଧ୍ୟ ମେଟ୍ରୋ ପ୍ରକଳ୍ପ ନେଇ ବିଚାର ବିମର୍ସ ଚାଲିଛି। ଭୁବନେଶ୍ୱର ମେଟ୍ରୋକୁ ନେଇ ଗତ ତିନି ବର୍ଷରେ ଯୋଜନାରେ ଏକାଧିକ ପରିବର୍ତ୍ତନ ହୋଇଛି। ୨୦୨୩ରେ ଘୋଷଣା ହୋଇଥିବା ୨୬ କିମିର ପ୍ରଥମ ପର୍ଯ୍ୟାୟ ଏବେ ଆଉ ପୁରୁଣା ରୂପରେ ଆଗକୁ ବଢ଼ୁନାହିଁ। ସରକାର ଏହାକୁ ବାତିଲ କରିନଥିବା କହିଥିଲେ ମଧ୍ୟ ପ୍ରକଳ୍ପକୁ ‘ଆବେୟାନ୍ସ’ ଅର୍ଥାତ୍ ସାମୟିକ ଭାବେ ସ୍ଥଗତି ରଖି ଅଧିକ ବ୍ୟାପକ ମୋବିଲିଟି ପ୍ଲାନ୍ ଏବଂ ତ୍ରି-ସହର ମଡେଲ୍ ଉପରେ ବିଚାର କରୁଛନ୍ତି। ପୁରୁଣା ଡିଜାଇନ୍/ରୁଟ୍କୁ ଆଗକୁ ନେବା ପରିବର୍ତ୍ତେ ସରକାର ଏବେ ଭୁବନେଶ୍ୱର–କଟକ–ପୁରୀକୁ ଏକୀକୃତ କରି ନୂଆ ମେଟ୍ରୋ ଯୋଜନା ତିଆରି କରିବା ଦିଗରେ କାମ କରିବାକୁ ଚାହୁଁଛନ୍ତି। ନୂଆ ଡିପିଆର୍ ଓ ମୋବିଲିଟି ପ୍ଲାନ୍ ପରେ ରୁଟ୍, ଖର୍ଚ୍ଚ ଓ ନିର୍ମାଣ ସମୟସୀମା ସ୍ପଷ୍ଟ ହେବ।

୨୦୨୩ ଉତ୍କଳ ଦିବସରେ ତତ୍କାଳୀନ ବିଜେଡି ସରକାର ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ଘୋଷଣା କରିଥିଲା। ପ୍ରଥମ ପର୍ଯ୍ୟାୟରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରୁ ତ୍ରିଶୂଳିଆ ପର୍ଯ୍ୟନ୍ତ ୨୬ କିମି ରୁଟ୍ ରହିଥିଲା। ସେତେବେଳେ ଆନୁମାନିକ ଖର୍ଚ୍ଚ ₹୫,୯୨୯.୩୮ କୋଟି ରଖାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୨୦ଟି ଷ୍ଟେସନ ରହିବାର ଯୋଜନା ଥିଲା। ହେଲେ ବର୍ତ୍ତମାନ ପ୍ରକଳ୍ପକୁ ଶୀତଳଭଣ୍ଡାରକୁ ଚାଲି ଯାଇଛି କହିଲେ ଚଳେ।

ମେଟ୍ରୋ ସହ ନାମୋ ଭାରତ, ୱାଟର ମେଟ୍ରୋ

ଭାରତର ସହରୀୟ ରେଳ ବ୍ୟବସ୍ଥା ଏବେ କେବଳ ପାରମ୍ପରିକ ମେଟ୍ରୋରେ ସୀମିତ ନାହିଁ। ଦିଲ୍ଲୀ-ମେରଠ କରିଡରରେ ନାମୋ ଭାରତ ରିଜିଓନାଲ୍ ରାପିଡ୍ ଟ୍ରାଞ୍ଜିଟ୍ ଏହି ବ୍ୟବସ୍ଥାକୁ ନୂଆ ଦିଗ ଦେଇଛି। ଏହାର ଗତି ୧୬୦ କିମି ପ୍ରତି ଘଣ୍ଟା ପର୍ଯ୍ୟନ୍ତ ରହିପାରେ।

୨୦୨୪ରେ କୋଲକାତାରେ ଦେଶର ପ୍ରଥମ ଅଣ୍ଡରୱାଟର ମେଟ୍ରୋ ଟନେଲ୍ ଚାଲୁ ହୋଇଥିଲା। ଏପ୍ରିଲ ୨୦୨୩ରେ କୋଚି ଦେଶର ପ୍ରଥମ ୱାଟର ମେଟ୍ରୋ ସେବା ଆରମ୍ଭ କରିଥିଲା, ଯାହା ଇଲେକ୍ଟ୍ରିକ୍-ହାଇବ୍ରିଡ୍ ବୋଟ୍ ମାଧ୍ୟମରେ ୧୦ଟି ଦ୍ୱୀପକୁ ସଂଯୋଗ କରୁଛି।

Also Read- ଦଶନ୍ଧିରେ ଅଧା କମିଗଲା ଏଫ୍ସିଆର୍ଏ ପଞ୍ଜୀକୃତ ଏନ୍ଜିଓ ସଂଖ୍ୟା: ବଢ଼ୁଛି ବିଦେଶୀ ଅନୁଦାନ, ଖ୍ରୀଷ୍ଟିଆନ ସଂଗଠନକୁ ସର୍ବାଧିକ

ମୁଖ୍ୟ ଚ୍ୟାଲେଞ୍ଜ ଟ୍ରେନରେ ଯାତ୍ରୀ ବଢ଼ାଇବା

ମେଟ୍ରୋ ନେଟୱର୍କ କେତେ କିଲୋମିଟର ବଢ଼ିଛି ଯେତିକି ଗୁରୁତ୍ୱପୂର୍ଣ୍ଣ ତାହା ସହ ଯାତ୍ରୀ ସଂଖ୍ୟା ଦେଖିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ସରକାରୀ ତଥ୍ୟ ଅନୁସାରେ ଦେଶର ଦୈନିକ ମେଟ୍ରୋ ଯାତ୍ରୀଙ୍କ ସଂଖ୍ୟା ୨୦୧୩-୧୪ରେ ପ୍ରାୟ ୨୮ ଲକ୍ଷ ଥିବା ବେଳେ ଏବେ ଏହା ୧.୧୫ କୋଟିରୁ ଅଧିକ ହୋଇଛି।

ତେବେ ନୂଆ ମେଟ୍ରୋ ସହରଗୁଡ଼ିକରେ ଯାତ୍ରୀ ସଂଖ୍ୟା ଗଢ଼ିଉଠିବାକୁ ସମୟ ଲାଗୁଛି। ମେଟ୍ରୋ ନିର୍ମାଣ, ଅର୍ଥ ଯୋଗାଣ ଓ ପରିଚାଳନା ଖର୍ଚ୍ଚ ବହୁତ ଅଧିକ ହୋଇଥିବାରୁ ନେଟୱର୍କ ବିସ୍ତାର ସହ ଏହାକୁ ଆର୍ଥିକ ଭାବେ ସ୍ଥାୟୀ କରିବା ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ।

ବସ୍, ପଥ ଚଲା ବ୍ୟବସ୍ଥା, ସାଇକେଲ୍, ସବର୍ବାନ୍ ରେଳ ଓ ଅନ୍ୟାନ୍ୟ ପରିବହନ ବ୍ୟବସ୍ଥା ସହ ମେଟ୍ରୋର ସୁଗମ ସଂଯୋଗ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। କେବଳ ମେଟ୍ରୋ ଲାଇନ୍ର ଲମ୍ବ ବଢ଼ିଲେ ହେବ ନାହିଁ; ଯାତ୍ରୀ କେତେ ସହଜରେ ଷ୍ଟେସନ୍ରେ ପହଞ୍ଚିପାରୁଛନ୍ତି, ଅନ୍ୟ ପରିବହନ ସହ କେତେ ସହଜରେ ବଦଳ କରିପାରୁଛନ୍ତି ଏବଂ ଭଡ଼ା କେତେ ସୁଲଭ ରହୁଛି, ତାହା ମଧ୍ୟ ମେଟ୍ରୋର ସଫଳ ବ୍ୟବହାର ପାଇଁ ମୁଖ୍ୟ ହେବ।

ସହରଗୁଡ଼ିକର ଦ୍ରୁତ ସହରୀକରଣ, ବଢ଼ୁଥିବା ଯାତାୟାତ ଓ ରାସ୍ତାରେ ଭିଡ଼ ମଧ୍ୟରେ ମେଟ୍ରୋକୁ ଭାରତର ସହରୀୟ ପରିବହନ ଭିତ୍ତିଭୂମିର ଏକ ମୁଖ୍ୟ ଅଂଶ ଭାବେ ଦେଖାଯାଉଛି। ଆଗାମୀ ଦିନରେ ନେଟୱର୍କ କେତେ ବଢ଼ିବ, ତାହା ସହ ଜମି ଅଧିଗ୍ରହଣ, ଅର୍ଥ ଯୋଗାଣ, ନିର୍ମାଣର ଗତି, ଯାତ୍ରୀ ଚାହିଦା ଏବଂ ବିଭିନ୍ନ ପରିବହନ ବ୍ୟବସ୍ଥାର ସମନ୍ୱୟ ଉପରେ ମଧ୍ୟ ନିର୍ଭର କରିବ।