ଅକୋଲା ୨୨।୧: ମହାରାଷ୍ଟ୍ର ପାଳିକା ନିର୍ବାଚନରେ ଅକୋଲା ମହାନଗର ନିଗମରେ କୌଣସି ଦଳଙ୍କୁ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ମିଳି ନାହିଁ। ତେବେ ଏଠାରେ ବିଜେପି ବଡ଼ ପାର୍ଟି ଭାବେ ଉଭା ହୋଇଛି। ହେଲେ ଏଠାରେ ଉଦ୍ଧବ ଠାକରେଙ୍କ ପାର୍ଟିକୁ ଏବେ କିଙ୍ଗମେକର ଭୂମିକାରେ ଦେଖା ଯାଉଛି। ତେବେ ଅକୋଲା ନଗର ନିଗମ ଯେପରି ବିଜେପି ହାତକୁ ନ ଯାଏ ସେଥି ପାଇଁ ଏଆଇଏମଆଇଏମ, କଂଗ୍ରେସ ଅଜିତ ପାୱାରଙ୍କ ଏନସିପି ନେତାମାନେ ପ୍ରକାଶ ଆମ୍ବେଦକରଙ୍କୁ ଭେଟିଛନ୍ତି। ବିଜେପିକୁ ଅକୋଲାରେ ସବୁଠୁ ଅଧିକ ୩୮ଟି ସିଟ୍ ମିଳିଛି। ଏଠାରେ ବହୁମତ ଲାଗି ୪୧ କର୍ପୋରେଟର ଆବଶ୍ୟକ ହେଉଛନ୍ତି।

ବିଜେପି ଅକୋଲାରେ ୪୧ ଆସନର ସଂଖ୍ୟାଗରିଷ୍ଠତା ଛୁଇଁବା ପାଇଁ ଠାକରେଙ୍କ ଶିବସେନାକୁ ଅଫର ଦେଇଛି। ଏହା ପରେ କଂଗ୍ରେସ ମଧ୍ୟ ଠାକରେ ଗୋଷ୍ଠୀଙ୍କୁ ବଡ଼ ଅଫର ଦେଇଛି ଓ ସେମାନଙ୍କୁ ଆମ୍ବେଦକରଙ୍କୁ ସମର୍ଥନ କରିବାକୁ ଆଗ୍ରହ କରିଛି। ସୂଚନା ଅନୁସାରେ ବିଧାୟକ ସାଜିଦ ଖାନ ଓ ଆମ୍ବେଦକରଙ୍କ ମଧ୍ୟରେ ରୁଦ୍ଧଦ୍ୱାର ବୈଠକ ହୋଇଥିବା ଜଣାପଡିଛି। ଏହି ବୈଠକରେ ଏଆଇଏମଆଇଏମ ଓ ଏନସିପିର ନେତା ମଧ୍ୟ ଉପସ୍ଥିତ ଥିଲେ। ଏଠାରେ କଂଗ୍ରେସକୁ ମୋଟ ୨୧ଟି ଆସନ ମିଳିଛି ତେବେ କଂଗ୍ରେସ କୌଣସି ପଦପଦବୀ ଆଶା କରୁ ନାହିଁ। ତେବେ କେବଳ ବିଜେପି ବିରୋଧରେ ଏକାଠି ଆସିବା ଦରକାର ବୋଲି କଂଗ୍ରେସ କହିଛି।

ଖାସ ଏଥି ପାଇଁ କଂଗ୍ରେସ ବିଧାୟକ ସାଜିଦ ଖାନ ପଠାନ ବହୁଜନ ଅଘାଡିର ସମର୍ଥନ ମାଗିବାକୁ ଅକୋଲାରେ ଆମ୍ବେଦକରଙ୍କ ଘରକୁ ଯାଇଥିଲେ। ବହୁଜନ ଅଘାଡିର ୫ ଜଣ କର୍ପୋରେଟର ଅଛନ୍ତି। ବିଧାୟକ ସାଜିଦ ଖାନ ଆମ୍ବେଦକରଙ୍କ ସହିତ ତାଙ୍କ ଘରେ ୪୫ ମିନିଟ୍ ପର୍ଯ୍ୟନ୍ତ ଆଲୋଚନା କରିଛନ୍ତି। ତେବେ ୮୦ ସଦସ୍ୟର ଅକୋଲା ନଗରନିଗମରେ କୌଣସି ପାର୍ଟିକୁ ସଂଖ୍ୟାଗରିଷ୍ଠତା ମିଳି ନାହିଁ। ୩୮ ସିଟ୍ ସହିତ ଏଠାରେ ବିଜେପି ସବୁଠୁ ବଡ଼ ପାର୍ଟି। ଅନ୍ୟପଟେ କଂଗ୍ରେସ ହାତରେ ୨୧ଟି ଆସନ ରହିଛି ଓ ଠାକରେଙ୍କ ଶିବସେନାକୁ ୬ଟି ଆସନ ମିଳିଛି। ଏଠାରେ ପାଳିକା ଗଠନ ପାଇଁ ଉଦ୍ଧବଙ୍କ ଶିବସେନାର ଭୂମିକା ଏବେ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି।