ନୂଆଦିଲ୍ଲୀ: ପଶ୍ଚିମ ଏସୀୟ ସଙ୍କଟ ମଧ୍ୟରେ ସଂଯୁକ୍ତ ଆରବ ଏମିରେଟ୍ସ ନିଜ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛି । ୟୁଏଇ ନିଜ ଆକାଶମାର୍ଗର ସୁରକ୍ଷା ଏବଂ ପ୍ରତିରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ ଭାରତ ସହିତ ଏକ ବଡ଼ ଚୁକ୍ତି କରିବାକୁ ଯାଉଛି । ରିପୋର୍ଟ ଅନୁସାରେ, ୟୁଏଇ ନିଜର ସାମରିକ କ୍ଷମତା ବୃଦ୍ଧି କରିବା ପାଇଁ ଭାରତର ସୁପରସୋନିକ୍ ବ୍ରହ୍ମୋସ କ୍ରୁଜ୍ ମିସାଇଲ୍ ଏବଂ ଆକାଶତୀର ଏୟାର ଡିଫେନ୍ସ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସିଷ୍ଟମ କିଣିବାକୁ ଚାହୁଁଛି । ଏଥିପାଇଁ ଉଭୟ ଦେଶ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଛି ।

ସୂଚନା ଅନୁସାରେ, ୟୁଏଇ ଏବଂ ଭାରତ ସରକାରଙ୍କ ମଧ୍ୟରେ ଏହି ପ୍ରତିରକ୍ଷା ଚୁକ୍ତିକୁ ନେଇ ଆଲୋଚନା ପ୍ରାଥମିକ ପର୍ଯ୍ୟାୟରେ ରହିଛି । ଉଲ୍ଲେଖଯୋଗ୍ୟ ଯେ ଏହି ଚୁକ୍ତି ସେତେବେଳେ ହେବାକୁ ଯାଉଛି ଯେତେବେଳେ ସମଗ୍ର ମିଡିଲ୍ ଇଷ୍ଟରେ ମିସାଇଲ୍ ତଥା ଡ୍ରୋନ୍ ଆକ୍ରମଣର ବିପଦ ବଢ଼ିବାରେ ଲାଗିଛି ।

ୟୁଇଏର ମୁଖ୍ୟ ଲକ୍ଷ୍ୟ ହେଉଛି ନିଜର ଆକାଶମାର୍ଗକୁ ସୁରକ୍ଷିତ ରଖିବା ସହିତ 'ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍' ସାମୁଦ୍ରିକ ପଥର ସୁରକ୍ଷା କରିବା । ଭାରତଠାରୁ ବ୍ରହ୍ମୋସ ମିସାଇଲ୍ କିଣି ୟୁଏଇ ନିଜର ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକକୁ ଶତ୍ରୁର ଯେକୌଣସି ଆକ୍ରମଣରୁ ରକ୍ଷା କରିବାକୁ ଚାହୁଁଛି ।

ବ୍ରହ୍ମୋସ ମିସାଇଲ୍ ଭାରତ ଏବଂ ରୁଷିଆର ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଥିବା ବିଶ୍ୱର ସବୁଠାରୁ ଦ୍ରୁତଗାମୀ ସୁପରସୋନିକ୍ କ୍ରୁଜ୍ ମିସାଇଲ୍ ମଧ୍ୟରୁ ଅନ୍ୟତମ । ଏହା ଶବ୍ଦର ଗତିଠାରୁ ପ୍ରାୟ ତିନି ଗୁଣ ଅଧିକ ବେଗରେ ଗତି କରି ଶତ୍ରୁର ବଙ୍କର କିମ୍ବା ଯୁଦ୍ଧ ଜାହାଜକୁ ଧ୍ୱଂସ କରିବାର କ୍ଷମତା ରଖିଛି । ଯଦିଓ ଏହି ପ୍ରକ୍ରିୟାରେ ରୁଷିଆର ସହମତି ଜରୁରି, ତଥାପି ଏହି ମଞ୍ଜୁରି ସହଜରେ ମିଳିଯିବ ବୋଲି ଆଶା କରାଯାଉଛି ।

ଅନ୍ୟପଟେ ଆକାଶତୀର ସିଷ୍ଟମ ହେଉଛି ଏକ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଏୟାର ଡିଫେନ୍ସ ସିଷ୍ଟମ, ଯାହାକୁ ଭାରତୀୟ ସେନା ପାଇଁ 'ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍' ବିକଶିତ କରିଛି । ଏହା କମ୍ ଉଚ୍ଚତାରେ ଆସୁଥିବା ଶତ୍ରୁର ଡ୍ରୋନ୍, ହେଲିକପ୍ଟର କିମ୍ବା ମିସାଇଲ୍ ଆକ୍ରମଣକୁ ତୁରନ୍ତ ଚିହ୍ନଟ କରି ସେଗୁଡ଼ିକୁ ନଷ୍ଟ କରିବାରେ ବାୟୁସେନାକୁ ସଠିକ୍ ସୂଚନା ପ୍ରଦାନ କରିଥାଏ ।

ଯଦି ଏହି ଚୁକ୍ତି ଚୂଡ଼ାନ୍ତ ରୂପ ନିଏ, ତେବେ ଫିଲିପିନ୍ସ, ଭିଏତନାମ ଏବଂ ଇଣ୍ଡୋନେସିଆ ପରେ ୟୁଏଇ ବ୍ରହ୍ମୋସ ମିସାଇଲ୍ କିଣିବାରେ ଚତୁର୍ଥ ଅନ୍ତର୍ଜାତୀୟ ଗ୍ରାହକ ହେବ । ଭାରତ ପାଇଁ ଏହା ଏକ ବଡ଼ ସଫଳତା ସାବ୍ୟସ୍ତ ହେବ, କାରଣ ଭାରତ ନିଜର ପ୍ରତିରକ୍ଷା ରପ୍ତାନିକୁ ବଢ଼ାଇବା ପାଇଁ କ୍ରମାଗତ ଭାବେ ପ୍ରୟାସ କରୁଛି । ରିପୋର୍ଟ ଅନୁସାରେ, ମାର୍ଚ୍ଚ ୨୦୨୬ ସୁଦ୍ଧା ଭାରତର ପ୍ରତିରକ୍ଷା ରପ୍ତାନି ରେକର୍ଡ ସ୍ତରକୁ ଛୁଇଁ ପ୍ରାୟ ୪ ବିଲିୟନ ଡଲାର ଅତିକ୍ରମ କରିଛି । ତେବେ ଏହି ଆଲୋଚନାକୁ ନେଇ ବର୍ତ୍ତମାନ ସୁଦ୍ଧା ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ କିମ୍ବା ୟୁଏଇ ପକ୍ଷରୁ କୌଣସି ଆନୁଷ୍ଠାନିକ ବୟାନ ଜାରି କରାଯାଇନାହିଁ।