ନୂଆଦିଲ୍ଲୀ ୧୯।୦୬ ; ୟୁଏଇରେ ପିଲାଙ୍କୁ ସୋସିଆଲ ମିଡିଆ ମନାଆବୁଧାବି, ୧୮ ।୬(ଏଜେନ୍ସି): ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) ପିଲାଙ୍କ ସୋସିଆଲ ମିଡିଆର ବ୍ୟବହାରକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛି। ସେ ଅନୁସାରେ ସେଠାରେ ୧୫ ବର୍ଷରୁ କମ୍ ବୟସର ପିଲାଙ୍କ ଲାଗି ସୋସିଆଲ ମିଡିଆକୁ ବ୍ୟାନ କରାଯାଇଛି। ୟୁଏଇ କ୍ୟାବିନେଟ୍ରେ ଗୁରୁବାର ଏ ସଂକ୍ରାନ୍ତରେ ଏକ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏଥିସହ ଏଭଳି ପଦକ୍ଷେପ ନେବାରେ ୟୁଏଇ ପ୍ରଥମ ଆରବ ଦେଶ ପାଲଟିଛି।

ନୂଆ ନିୟମ ଅନୁସାରେ, ସେଠାରେ ୧୫ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ବ୍ୟକ୍ତିଗତ ସୋସିଆଲ ମିଡିଆ ଆକାଉଣ୍ଟ ବନାଇବା କିମ୍ବା ବ୍ୟବହାର ଲାଗି ଅନୁମତି ମିଳିବ ନାହିଁ। ଫଳରେ ସେମାନେ ସୋସିଆଲ ମିଡିଆରେ କୌଣସି ପ୍ରକାର ପୋଷ୍ଟ ସେୟାର କରିପାରିବେ ନାହିଁ। କାହା ପୋଷ୍ଟ ଉପରେ କମେଣ୍ଟ ଦେଇପାରିବେ ନାହିଁ। ସାର୍ବଜନିକ ସମୂହ ସହ ମଧ୍ୟ ଯୋଡ଼ି ହୋଇପାରିବେ ନାହିଁ। ଅନ୍ୟପଟେ ଯଦିଓ ୧୫ ଏବଂ ୧୬ ବର୍ଷର କିଶୋର/ କିଶୋରୀଙ୍କୁ ସୋସିଆଲ ମିଡିଆ ବ୍ୟବହାର ଲାଗି ଅନୁମତି ମିଳିବ ତେବେ ସେମାନଙ୍କ ଲାଗି ଅତିରିକ୍ତ ସୁରକ୍ଷା ଉପାୟ ଲାଗୁହେବ। ସେଥିମଧ୍ୟରେ ବୟସ ଅନୁସାରେ କଣ୍ଟେଣ୍ଟ ନିୟନ୍ତ୍ରଣ, ଅଜଣା ଲୋକଙ୍କ ସହ କଥାବାର୍ତ୍ତାର ସୀମା ସ୍ଥିର, ସ୍କ୍ରିନ୍ ଟାଇମ୍ ମ୍ୟାନେଜମେଣ୍ଟ ଟୁଲ୍ସ, ଅଭିଭାବକମାନଙ୍କର ଅନୁଧ୍ୟାନ ଭଳି ସୁବିଧା ସାମିଲ।

ୟୁଏଇରେ ପରିଚାଳିତ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ଏହି ନିୟମ ଲାଗୁ ହେବ। ଏଥିଲାଗି କମ୍ପାନିଗୁଡ଼ିକୁ ଦୃଢ଼ ‘ବୟସ ଯାଞ୍ଚ’ ବ୍ୟବସ୍ଥା ଲାଗୁ କରିବାକୁ ପଡ଼ିବ। କେବଳ ସେତିକି ନୁହେଁ, ସୋସିଆଲ ମିଡିଆ କମ୍ପାନିଗୁଡ଼ିକୁ ୧୫ ବର୍ଷରୁ କମ୍ ବୟସର ପିଲାଙ୍କ ଦ୍ବାରା ଖୋଲାଯାଇଥିବା ଆକାଉଣ୍ଟକୁ ବନ୍ଦ କରିବାକୁ ହେବ। କୌଣସି ସୂତ୍ରରୁ ଯେପରି ‘ବୟସ ଯାଞ୍ଚ’ ବ୍ୟବସ୍ଥାକୁ ଉଲ୍ଲଙ୍ଘନ କରି ନିୟମରୁ ବର୍ତ୍ତିପାରିବେ ନାହିଁ ତାହା ସୁନିଶ୍ଚିତ କରିବାକୁ ପଡ଼ିବ। ନୂଆ ନିୟମକୁ ଲାଗୁ କରିବା ଲାଗି ସରକାର ସୋସିଆଲ ମିଡିଆ କମ୍ପାନିଗୁଡ଼ିକୁ ବର୍ଷେ ଯାଏ ସମୟ ଦେଇଛନ୍ତି।