ବୁଲାୟୋ: ୧୯ ବର୍ଷରୁ କମ ବିଶ୍ଵକପରେ ପାକିସ୍ତାନ ମୁହଁରୁ ବିଜୟ ଛଡ଼ାଇ ନେଲା ଭାରତ। ବେଦାନ୍ତ ତ୍ରିବେଦୀଙ୍କ ଅର୍ଦ୍ଧଶତକ ପରେ ଖିଲାନ ପଟେଲ୍ ଓ ଅଧିନାୟକ ଆୟୁଷ ମହାତ୍ରେଙ୍କ ଘାତକ ବୋଲିଂ ବଳରେ ଭାରତ ୫୮ ରନରେ ପାକିସ୍ତାନକୁ ହରାଇଛି। ବିଜୟ ସହ ଭାରତ ନିଜ ଗ୍ରୁପରେ ୪ରୁ ୪ ମ୍ୟାଚ୍ ଜିତି ଶୀର୍ଷକୁ ଉଠିଛି। ଏଥିସହ ଭାରତ ସେମି ଫାଇନାଲରେ ଗ୍ରୁପ ୧ରୁ ଆଫଗାନିସ୍ତାନକୁ ଭେଟିବ। ଏହା ଅନ୍ୟ ସେମିରେ ମୁହାଁମୁହିଁ ହେବେ ଗ୍ରୁପ ୧ରେ ଶୀର୍ଷରେ ଥିବା ଅଷ୍ଟ୍ରେଲିଆ ଓ ଗ୍ରୁପ ବିରେ ଦ୍ଵିତୀୟରେ ଥିବା ଇଂଲଣ୍ଡ। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୫୨ ରନ କରିଥିଲା। ଜବାବରେ ପାକିସ୍ତାନ ୧୯୪ ରନରେ ଅଲଆଉଟ୍ ହୋଇଛି।

୨୫୩ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ପାକିସ୍ତାନକୁ ୨୩ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ସମୀର ମିନହାସ(୯ ରନ)ଙ୍କୁ ହେନିଲ ପଟେଲ୍ ପାଭିଲିୟନର ରାସ୍ତା ଦେଖାଇଥିଲେ। ଏହା ପରେ ହମଜା ଜହୁର ଓ ଉସ୍ମାନ ଖାନ ଇନିଂସ ସମ୍ଭାଳିଥିଲେ। ଦୁହେଁ ଦ୍ଵିତୀୟ ଓ୍ଵିକେଟ୍‌ ପାଇଁ ୬୫ ରନ ଯୋଡ଼ି ବିଜୟ ପାଇଁ ମୂଳଦୁଆ ପକାଇଥିଲେ। ହମଜା ହଜୁର ୪୯  ବଲରୁ ୮ ଚୌକା ସହ ୪୨ ରନ କରି ଆଉଟ୍ ହୋଇଥିଲେ। ପୁଣି ଉସ୍ମାନ ଖାନ ଓ ଅଧିନାୟକ ଫରହାନ ୟୁସଫ ସ୍କୋରକୁ ୧୫୧ ପର୍ଯ୍ୟନ୍ତ ପହଞ୍ଚାଇ ଦଳର ସ୍ଥିତି ମଜବୁତ କରିଥିଲେ। ଫରହାନ(୩୮ ରନ)ଙ୍କ ଆଉଟ୍ ହେବା ସହ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲା ଭାରତ। ଭାରତ ଖିଲାନ ପଟେଲ୍ ଓ  ଆୟୁଷ ମହାତ୍ରେ ଘାତକ ବୋଲିଂ କରି ପାକିସ୍ତାନର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଉସ୍ମାନ ଖାନ ୬୬ ରନ କରି ଆଉଟ୍ ହେବା ସହ ପାକିସ୍ତାନର ବିଜୟ ଆଶା ମଉଳିଥିଲା। ଭାରତୀୟ ବୋଲର ଶାଣିତ ବୋଲିଂ କରି ମ୍ୟାଚକୁ ନିଜ ଅକ୍ତିକାରକୁ ଆଣିଥିଲେ। ଶେଷରେ ପାକିସ୍ତାନ ୪୬.୨ ଓଭରରେ ୧୯୪ ରନରେ ଅଲଆଉଟ୍ ହୋଇଛି।

ବୋଲିଂରେ ଆୟୁଷ ମହାତ୍ରେ ୮ ଓଭରରେ ୨୧ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ଖିଲାନ ପଟେଲ୍ ୩୫ ରନ ଦେଇ ୩ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ଦୁଇ ବୋଲର ମିଳିତ ୬ ଓ୍ଵିକେଟ୍ ନେଇ ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଆରଏସ ଅମ୍ବ୍ରିସ, ହେନିଲ ପଟେଲ, କନିଷ୍କ ଚୌହାନ ଓ ବିହାନ ମାଲହୋତ୍ରା ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି।

ଭାରତ ଇନିଂସ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଦୁଇ ଓପନର ବୈଭବ ସୂର୍ଯ୍ୟବଂଶୀ ଓ ଆରୋନ ଜର୍ଜ ଓପନିଂରେ ୪୭ ରନ ଯୋଡ଼ିଥିଲେ। ତେବେ ଏହି ସ୍କୋରରେ ଭାରତ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ସୂର୍ଯ୍ୟବଂଶୀ ୨୨ ବଲରୁ ୩୦ ରନ କରି ପାଭିଲିୟନ ଥିଲେ।ଏହା ପରେ ଅଧିନାୟକ ଆୟୁଷ ମହାତ୍ରେ ନିଜର ଖରାପ ଫର୍ମ ବଜାୟ ରଖି ଖାତା ଖୋଲି ପାରି ନ ଥିଲେ। ଆରୋନ ଜଜ ୧୬ ରନ କରିଥିଲେ ହେଁ ବଡ଼ ଇନିଂସ ଖେଳି ପାରି ନ ଥିଲେ। ୪୭ ରନରେ ୩ ଓ୍ଵିକେଟ୍ ହରାଇବା ପରେ ବେଦାନ୍ତ ମାଲହୋତ୍ରା ଓ ବିହାନ ମାଲହୋତ୍ରା ଚତୁର୍ଥ ଓ୍ଵିକେଟ୍ ପାଇଁ ୬୨ ରନ ଯୋଡ଼ି ଦଳର ସ୍ଥିତି ସୁଧାରିଥିଲେ। ମାଲହୋତ୍ରା ୨୧ ରନ କରି ଆଉଟ୍ ହୋଇଥିଲେ।

ଅନ୍ୟପଟେ ବେଦାନ୍ତ ତ୍ରିବେଦୀ ମଧ୍ୟକ୍ରମରେ ଭାରତ ପାଇଁ ଉପଯୋଗୀ ଇନିଂସ ଖେଳିଥିଲେ। ଅଭିଜ୍ଞାନ କୁଣ୍ଡୁ(୧୬ ରନ) ନିରାଶ କରିଥିଲେ। ବେଦାନ୍ତ ୬୮ ରନର ବହୁମୂଲ୍ୟ ଇନିଂସ ଖେଳିଥିଲେ। ତେବେ ଶେଷ ଆଡ଼କୁ ଆରଏସ ଅମ୍ବରିଶ ଉପଯୋଗୀ ୨୯ ରନ କରିଥିଲେ। କନିଷ୍କ ଚୌହାନ ଓ ଖିଲନ ପଟେଲ ଅଷ୍ଟମ ଓ୍ଵିକେଟରେ ୫୦ ରନ ଯୋଡ଼ିବାରୁ ଭାରତ ୨୫୦ ପହଞ୍ଚି ପାରିଥିଲା। କନିଷ୍କ ୨୯ ବଲରୁ ୪ ଚୌକା ଓ ଏକ ଛକା ସହ ୩୫ ରନ କରିଥିଲେ। ପଟେଲ୍ ୨୧ ରନ କରି ଆଉଟ୍ ହୋଇଥିଲେ। ଶେଷରେ ଭାରତ ୨୫୨ ରନରେ ଅଲଆଉଟ୍ ହୋଇଛି। ​​​​​​​