କୋପେନହେଗନ: ୟୁରୋପୀୟ ଦେଶ ଡେନମାର୍କରେ ଗୁରୁବାର ସକାଳେ ଏକ ଭୀଷ ରେଳ ଦୁର୍ଘଟଣା ଘଟିଛି। ଦୁଇଟି ଯାତ୍ରୀବାହୀ ଟ୍ରେନ ମଧ୍ୟରେ ମୁହାଁ ମୁହିଁ ଧକ୍କା ଲାଗିଛି। ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଥିବା ସୂଚନା ଆସୁଛି। ତେବେ ଆହତଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ପୋଲିସ ଏହାକୁ ଏକ ବଡ଼ ଦୁର୍ଘଟଣା ବୋଲି କହିଛି। ଏହି ଦୁର୍ଘଟଣା ସ୍ଥାନୀୟ ସମୟ ପୂର୍ବାହ୍ନ ପ୍ରାୟ ସାଢେ ୬ଟା ବେଳେ ହିଲେ ରୋଡ ନିକଟରେ ଘଟିଛି, ଯାହା କୋପେନହେଗନର ଉତ୍ତରକୁ ୪୦ କିଲୋମିଟର ଦୂରରେ ଅବସ୍ଥିତ।

ଗ୍ରେଟର କୋପେନହେଗନ ଫାୟାର ଡିପାର୍ଟମେଣ୍ଟ ଅନୁସାରେ ପାଖାପାଖି ୧୨ରୁ ଅଧିକ ଲୋକ ସାମାନ୍ୟରୁ ମଧ୍ୟମ ଧରଣର ଆହତ ହୋଇଛନ୍ତି। ନର୍ଥ ଲିଲେଡ ପୋଲିସ ମୁତାବକ ଉଭୟ ଟ୍ରେନରେ ପାଖାପାଖି ୩୮ ଜଣ ଯାତ୍ରୀ ଥିଲେ। ଅଧିକାରୀମାନେ ପ୍ରଥମେ କହିଥିଲେ ଯେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। କିଛି ଘଣ୍ଟା ପରେ ଏହି ସଂଖ୍ୟାକୁ ବଢାଇ ୫ କରାଯାଇଛି। ତେବେ ଏହି ଦୁର୍ଘଟଣାରେ ୨ ଟ୍ରେନର ଡ୍ରାଇଭରଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ଅଛି ତାହା ସ୍ପଷ୍ଟ ହୋଇ ପାରିନାହିଁ। ତେବେ ତଦନ୍ତକାରୀ ଅଧିକାରୀ ଏହି ଧକ୍କା କିପରି ହେଲା ତାର ଏବେ ଯାଞ୍ଚ କରୁଛନ୍ତି।

ଏହି ଦୁର୍ଘଟଣା ଏକ ଲେବଲ କ୍ରସିଂ ନିକଟରେ ଘଟିଛି। ଦୁର୍ଘଟଣା ଛବିରେ ଦୁଇ ଟ୍ରେନର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଦେଖା ଯାଉଛି। ଭୀଷଣ ଦୁର୍ଘଟଣା ସତ୍ତ୍ୱେ ଟ୍ରେନ ଲାଇନଚ୍ୟୁତ ହୋଇ ନାହାନ୍ତି। ନିକଟସ୍ଥ ସହର ଗ୍ରିବସକୋଭ ମେୟର ଟ୍ରିନେ ଏଗେ ଟଭେଡ ଫେସବୁକ୍ ପୋଷ୍ଟରେ କିଛି ଆହତଙ୍କୁ ହେଲିକପ୍ଟର ଯୋଗେ ହସ୍ପିଟାଲ ପହଞ୍ଚାଯାଇଥିବା ଉଲ୍ଲେଖ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ଏହି ରେଳ ଦୁର୍ଘଟଣା ଏକ ଲୋକାଲ ରେଳ ଲାଇନରେ ଘଟିଛି। ଏହି ଲାଇନରେ ଯାତାୟାତ କରୁଥିବା ଟ୍ରେନକୁ କେବଳ ଗ୍ରିବସକୋଭ ବାସିନ୍ଦା, କର୍ମଚାରୀ ଓ ସ୍କୁଲ ଛାତ୍ରଛାତ୍ରୀମାନେ ଯିବା ଆସିବା ପାଇଁ ଉପଯୋଗ କରନ୍ତି।