ଜଲନ୍ଧର: ପଞ୍ଜାବ ଜଲନ୍ଧରସ୍ଥିତ ଲଭଲି ପ୍ରୋଫେସନାଲ ୟୁନିଭର୍ସିଟି (ଏଲପିୟୁ)ରେ ଛାତ୍ର ଅସନ୍ତୋଷ। କଥିତ ଯୌନ ଉତ୍ପିଡ଼ନ ଗୁଜବକୁ ନେଇ ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଉତ୍ତେଜିତ ଛାତ୍ର ଭଙ୍ଗାରୁଜା ଓ ଜଳାପୋଡା କରିଛନ୍ତି। ଛାତ୍ରମାନେ ଜାତୀୟ ରାଜମାର୍ଗ ମଧ୍ୟ ଅବରୋଧ କରିଥିଲେ। ଫଳରେ କିଛି ସମୟ ଲାଗି ଯାତାୟାତ ପ୍ରଭାବିତ ହୋଇଥିଲା। ଏଥିରେ ଏବେ ବିଶ୍ୱବିଦ୍ୟାଳୟ ଛାତ୍ର ଅସନ୍ତୋଷକୁ ନେଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଉତ୍ତେଜିତ ଛାତ୍ର ଟ୍ୟାଙ୍କରେ ଚଢିବା ସହ ପରିସରରେ ପ୍ରଦର୍ଶିତ ହେଉଥିବା ମିଗ୍-୨୩ ବିମାନରେ ମଧ୍ୟ ଚଢିଛନ୍ତି।

କ୍ୟାମ୍ପସ ସାମ୍ନାରୁ ଆସୁଥିବା ଭିଡିଓରେ ଛାତ୍ରମାନେ ‘ୱି ୱାଣ୍ଟ ଜଷ୍ଟିସ୍’ ସ୍ଲୋଗାନ ଦେଉଥିବା ଦେଖା ଯାଉଛନ୍ତି। ଛାତ୍ରମାନେ ଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାର ସତ୍ୟତା ପ୍ରବନ୍ଧନ ସାମ୍ନାକୁ ଆଣୁ ବୋଲି ଦାବି କରୁଛନ୍ତି। ଏହା ଛଡା ଘଟଣାରେ ସାମିଲ ଲୋକଙ୍କ ବିରୋଧରେ ତତ୍କାଳ କଡ଼ା କାର୍ଯ୍ୟନୁଷ୍ଠାନ, ମାମଲାର ନିରପେକ୍ଷ ଓ ପାରଦର୍ଶି ଯାଞ୍ଚ, ମାମଲାକୁ ଚପେଇ ଦେବାକୁ ଉଦ୍ୟମ କରୁଥିବା ହଷ୍ଟେଲ ପ୍ରବନ୍ଧନ ଓ ୱାର୍ଡେନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଛାତ୍ରୀ ହଷ୍ଟେଲ ସୁରକ୍ଷା କଡ଼ାକଡ଼ି କରିବା ଓ ସବୁ ପ୍ରଶାସନିକ ଓ ସୁରକ୍ଷା ସମ୍ପର୍କିତ ଅଭିଯୋଗର ପାରଦର୍ଶିତାର ସହ ନିବାରଣ ଦାବି କରୁଛନ୍ତି।

ମାମଲାରେ ଏବେ ପୋଲିସ ଏତଲା ରୁଜୁ ହୋଇଛି ଓ ତଦନ୍ତ ପାଇଁ ଗଠନ କରାଯାଇଥିବା ତଦନ୍ତକାରୀ ଦଳରେ ୫ ଜଣ ଛାତ୍ରଙ୍କୁ ମଧ୍ୟ ସାମିଲ କରାଯାଇଛି। ଅନ୍ୟପଟେ ୟୁନିଭର୍ସିଟି ପ୍ରଶାସନ ସୋସିଆଲ ମିଡିଆରେ ହେଉଥିବା ଦାବିକୁ ଖଣ୍ଡନ କରିଛନ୍ତି ଓ ଏହାକୁ କେବଳ ଗୁଜବ ବୋଲି କହୁଛନ୍ତି। ୟୁନିଭର୍ସିଟିର ରେଜିଷ୍ଟ୍ରାର ଡା. ମୋନିକା ଗୁଲାଟି ବୟାନ ଜାରି କରି କହିଛନ୍ତି ଯେ ସୋସିଆଲ ମିଡିଆ ଓ ଅନ୍ୟ ମାଧ୍ୟମରେ ପ୍ରସରୁଥିବା କଥା ମିଥ୍ୟା, ମନଗଢା ଓ ଭ୍ରମାତ୍ମକ।