ନୀଳଗିରି ୨୨।୧୦ : ଦୁର୍ଗାପୂଜା ପାଇଁ ଦେଖିଲେ କେତେ ସ୍ୱପ୍ନ । ହେଲେ ସବୁକିଛି ହୋଇଗଲା ଧୂଳିସାତ । ପୁଅ ସ୍କୁଲକୁ ଯାଇଥିଲା, ହେଲେ ଆଉ ଫେରିଲାନି ଘରକୁ । ଇତିମଧ୍ୟରେ ବିତିଗଲାଣି ୭ ଦିନ । ପୁଅ ଫଟୋକୁ ଧରି ରାସ୍ତାରେ ରାସ୍ତାରେ ବୁଲୁଛନ୍ତି ଦୁଇ ମାଆ । କାନ୍ଦି କାନ୍ଦି ଲୋକଙ୍କୁ ପଚାରୁଛନ୍ତି… ବାବୁ ଆଜ୍ଞା ମୋ ପୁଅକୁ କିଏ ଦେଖିଛନ୍ତି କି ?

ବାଲେଶ୍ୱର ଜିଲ୍ଲା ନୀଳଗିରି ଏନଏସି ଅଧିନ ବାଲିଗୋହିରୀ ଆରଟି ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିବା ବାଲିଗୋହିରୀ ଗାଁର ବବିତା ମହାପାତ୍ରଙ୍କ ପୁଅ ଆୟୁଷ କୁମାର ଓ ରେମୁଣା ବ୍ଲକ ଆମ୍ବୁଡିଆ ଗାଁର ମିନି ସିଂଙ୍କ ପୁଅ ଆକାଶ । ଗତ ୧୫ ତାରିଖରେ ସ୍କୁଲ ଯାଇଥିଲେ । ସେହିଦିନ ପ୍ରାୟ ସାଢେ ଗୋଟାଏରେ ଦୁଇ ଛାତ୍ର ସ୍କୁଲରେ ନଥିବାର ଜଣାପଡିଥିଲା । ଏହାପରେ ସ୍କୁଲ ପକ୍ଷରୁ ତୁରନ୍ତ ପରିବାର ଲୋକଙ୍କୁ ଜଣାଯାଇଥିଲା । ନୀଳଗିରି ଥାନାରେ ନିଖୋଜ ହୋଇଥିବା ନେଇ ଅଭିଯୋଗ କରିଥିଲେ ।

Also Read:-କୋଟିଆ ବିବାଦରେ ରାଜ୍ୟ ସରକାରଙ୍କୁ ଭକ୍ତ ଦାସଙ୍କ ଟାର୍ଗେଟ୍, ତୁରନ୍ତ ସମାଧାନ ପାଇଁ କଲେ ଦାବି

ପୋଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଘଟଣାକୁ ୭ ଦିନ ବିତିଯାଇଥିଲେ ସୁଦ୍ଧା ଏବେ ଯାଏଁ କାହାର ପତ୍ତା ମିଳୁନାହିଁ । ଶେଷରେ ଧର୍ଯ୍ୟ ହରାଇ ହୋଇ ଗାଡ଼ିରେ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ବୁଲୁଛନ୍ତି । ଆଉ ଲୋକ ଦେଖିଲେ ପଚାରୁଛନ୍ତି ମୋ ପୁଅକୁ କିଏ ଦେଖିଛ କି ? ଏପିରିକି ରାସ୍ତାରେ ଯିବାଆସିବା କରୁଥିବା ଛୋଟ ପିଲାଙ୍କୁ ଫଟୋ ଦେଖାଇ କହୁଛନ୍ତି …ଆମେ ପିଲା ମୋ ପୁଅକୁ ଦେଖିଛ କି ? ଯଦି କେହି ବି ଦେଖିବ.. ତେବେ ଆମକୁ ଜଣାଇବ ବୋଲି କୋହଭର କଣ୍ଠରେ କହୁଛନ୍ତି ଦୁଇ ମାଆ ।

ସେପଟେ ସ୍କୁଲ କର୍ତ୍ତୃପକ୍ଷ ଖାଲି ମାମଲା ରୁଜୁ କରି ଦେଇ ବସିପଡିଛନ୍ତି । ପୋଲିସକୁ ମଧ୍ୟ ଏବେ ଯାଏଁ କୌଣସି ପତ୍ତା ମିଳିନାହିଁ । ଆଜିକା ସମୟରେ ନିଖୋଜ ଦୁଇ ଛାତ୍ରଙ୍କୁ ଖୋଜିବା ପରିବାର ପାଇଁ କାଠିକର ପାଠ ହୋଇଯାଇଛି ।