ଚେନ୍ନାଇ: ତାମିଲନାଡୁ ରାଜନୀତିରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ଅଭିନେତାରୁ ନେତା ହୋଇଥିବା ବିଜୟ ବୁଧବାର ରାଜ୍ୟପାଳ ରାଜେନ୍ଦ୍ର ଅର୍ଲେକରଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି। ଏହା ସହିତ ଗତ ଦୁଇ ଦିନ ଧରି ଚାଲିଥିବା ରାଜନୈତିକ ଅନିଶ୍ଚିତତାର ଅନ୍ତ ଘଟିଛି। ଆସନ୍ତାକାଲି ସକା ୧୦ଟାରେ ବିଜୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତେବେ ତାଙ୍କ ସହ କେତେ ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ତାହା ସ୍ପଷ୍ଟ ଜଣା ପଡ଼ିନାହିଁ।

ବିଜୟଙ୍କ ନୂତନ ଦଳ 'ତାମିଲଗା ଭେଟ୍ରି କାଝାଗମ' (TVK) ମୋଟ ୧୦୮ଟି ଆସନ ସହ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି। ସରକାର ଗଢ଼ିବା ପାଇଁ ବିଜୟଙ୍କୁ କଂଗ୍ରେସ ଏବଂ ଅନ୍ୟ କିଛି ଆଞ୍ଚଳିକ ଦଳ ସମର୍ଥନ ଜଣାଇଛନ୍ତି। ବର୍ଷ ବର୍ଷ ଧରି ରାଜ୍ୟରେ ଶାସନ କରୁଥିବା DMK ଏବଂ AIADMK ପରି ବଡ଼ ଦଳକୁ ପଛରେ ପକାଇ ବିଜୟଙ୍କ ଦଳ ତାମିଲନାଡୁ ରାଜନୀତିରେ ଏକ ନୂଆ ପରମ୍ପରା ଆରମ୍ଭ କରିବାକୁ ଯାଉଛି। କାରଣ ଏହି ଦୁଇ ଦଳ ପାଳି ପାଳି କରି ନିର୍ବାଚନ ଜିତି ରାଜ୍ୟରେ କ୍ଷମତାସୀନ ରହୁଥିଲେ। ହେଲେ ଏହି ଟ୍ରେଣ୍ଡରେ ବ୍ରେକ ଲଗାଇଛନ୍ତି ଥାଲାପତି ବିଜୟ।

Also Read: ​​​​​​​ପଶ୍ଚିମବଙ୍ଗ ବିଜୟ ପରେ ଦେଶରେ ବଢିଲା ବିଜେପି ଶାସିତ ରାଜ୍ୟ ସଂଖ୍ୟା, ଦେଖନ୍ତୁ NDAର ବିସ୍ତାର

ରାଜନୈତିକ ହାଇ-ଡ୍ରାମା

ଗତ ୪୮ ଘଣ୍ଟା ମଧ୍ୟରେ ତାମିଲନାଡୁ ରାଜନୀତି ବେଶ୍ ସରଗରମ ଥିଲା। ବିଶେଷ କରି AIADMK ଶିବିରରେ ବିଜୟଙ୍କୁ ସମର୍ଥନ ଦେବା ନେଇ ଦୁଇଟି ମତ ପ୍ରକାଶ ପାଇଥିଲା। କିନ୍ତୁ ଶେଷରେ ଅନେକ ବରିଷ୍ଠ ନେତା ବିଜୟଙ୍କ ନେତୃତ୍ଵକୁ ଗ୍ରହଣ କରିବା ସପକ୍ଷରେ ମତ ଦେବା ପରେ ସରକାର ଗଠନର ପଥ ପରିଷ୍କାର ହୋଇଛି।

ଯଦି ସବୁକିଛି ଠିକ୍ ରହେ, ତେବେ ଖୁବଶୀଘ୍ର ତାମିଲନାଡୁରେ ଜଣେ ସୁପରଷ୍ଟାରଙ୍କ ଶାସନ ଦେଖିବାକୁ ମିଳିବ, ଯାହା ପୂର୍ବରୁ ଏମ.ଜି. ରାମଚନ୍ଦ୍ରନ (MGR) ଏବଂ ଜୟଲଳିତାଙ୍କ ସମୟରେ ଦେଖିବାକୁ ମିଳିଥିଲା। ଏହି ଐତିହାସିକ ପରିବର୍ତ୍ତନ ତାମିଲନାଡୁର ବିକାଶ ଧାରାକୁ କେଉଁ ଦିଗକୁ ନେଉଛି, ତାହା ଦେଖିବାକୁ ବାକି ରହିଲା।