ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଏହି ବିଶାଳ ବିଜୟ ପରେ ଦେଶରେ ବିଜେପି ତଥା NDA ଶାସିତ ରାଜ୍ୟର ସଂଖ୍ୟା ପୁଣି ବୃଦ୍ଧି ପାଇଛି। ନିର୍ବାଚନୀ ଫଳାଫଳ ଏବଂ ଟ୍ରେଣ୍ଡ ଅନୁଯାୟୀ, ଏବେ ଦେଶର ୨୨ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଗେରୁଆ ସରକାର କ୍ଷମତାସୀନ ହୋଇଛି। ଦେଶ ଧିରେ ଧିରେ ଗେରୁଆମୟ ହୋଇ ଚାଲିଛି।

ଏହି ୨୨ଟି ରାଜ୍ୟରେ ଏବେ ବିଜେପି ବା NDA ସରକାର

ଦେଶର ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ଏବେ ବିଜେପି ନିଜର ବିଜୟ ରଥ ଆଗକୁ ମାଡ଼ି ଚାଲିଛି। ନିମ୍ନଲିଖିତ ରାଜ୍ୟଗୁଡ଼ିକରେ ଏବେ NDAର ଶାସନ ରହିଛି...

ଉତ୍ତର ଓ କେନ୍ଦ୍ର ଭାରତ: ଦିଲ୍ଲୀ, ଉତ୍ତର ପ୍ରଦେଶ, ବିହାର, ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ଛତିଶଗଡ଼ ଏବଂ ହରିୟାଣା।

ପୂର୍ବ ଓ ପଶ୍ଚିମ ଭାରତ: ପଶ୍ଚିମବଙ୍ଗ, ଓଡ଼ିଶା, ଗୁଜରାଟ, ମହାରାଷ୍ଟ୍ର ଏବଂ ଗୋଆ।

ଉତ୍ତର-ପୂର୍ବ ଓ ଦକ୍ଷିଣ ଭାରତ: ଆସାମ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ନାଗାଲାଣ୍ଡ, ମଣିପୁର, ସିକ୍କିମ, ମେଘାଳୟ, ଆନ୍ଧ୍ରପ୍ରଦେଶ ଏବଂ ପୁଡୁଚେରୀ।

ମାନଚିତ୍ର ଜାରି କଲା ବିଜେପି

ପଶ୍ଚିମବଙ୍ଗ ବିଜୟ ପରେ ବିଜେପି ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଭାରତର ନୂଆ ରାଜନୈତିକ ମାନଚିତ୍ର ଜାରି କରିଛି। ଦଳ ପକ୍ଷରୁ କୁହାଯାଇଛି ଯେ, ଦେଶର ହୃଦୟଠାରୁ ଆରମ୍ଭ କରି ବଙ୍ଗଳା ପର୍ଯ୍ୟନ୍ତ, ଏହା କେବଳ ଏକ ବଢ଼ୁଥିବା ମାନଚିତ୍ର ନୁହେଁ, ବରଂ ପ୍ରଗତି ପାଇଁ ସଂକଳ୍ପବଦ୍ଧ ଏକ ରାଷ୍ଟ୍ରର ବିଶ୍ୱାସ।

Also Read: 'ଆମେ ନିର୍ବାଚନ ହାରିନୁ, ଲୋକଭବନ ଯାଇ ଇସ୍ତଫା ଦେବିନି...'ମମତାଙ୍କ ବଡ଼ ଘୋଷଣା

ବିଜେପି ଆହୁରି ମଧ୍ୟ ଲେଖିଛି ଯେ, ଉତ୍ତରରୁ ଉତ୍ତର-ପୂର୍ବ ପର୍ଯ୍ୟନ୍ତ ରଙ୍ଗରେ ଆସିଥିବା ଏହି ପରିବର୍ତ୍ତନ ଏବେ ଅତ୍ୟନ୍ତ ଗଭୀର। ବଙ୍ଗଳା ବିଜୟ ହେଉଛି ସେହି କାହାଣୀର ସବୁଠାରୁ ନୂତନ ଅଧ୍ୟାୟ, ଯାହା ପୂର୍ବରୁ ଅତି ଦ୍ରୁତ ଗତିରେ ଆଗକୁ ବଢ଼ୁଥିଲା। ୨୦୪୭ ସୁଦ୍ଧା ଏକ 'ବିକଶିତ ଭାରତ' ଗଠନ ପାଇଁ ଏହି ବିଜୟ ଏକ ବଡ଼ ପଦକ୍ଷେପ ବୋଲି ଦଳ ଦାବି କରିଛି।