ନୂଆଦିଲ୍ଲୀ: ଟିଭିକେ ମୁଖ୍ୟ ବିଜୟ ବହୁମତ ସହ ଶୁକ୍ରବାର ତୃତୀୟ ଥର ପାଇଁ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକରଙ୍କୁ ଭେଟି ସରକାର ଗଢ଼ିବା ପାଇଁ ଦାବି ଉପସ୍ଥାପନ କରିଛନ୍ତି। ଯାହାକୁ ରାଜ୍ୟପାଳ ମଞ୍ଜୁରୀ ମଧ୍ୟ ଦେଇଛନ୍ତି। ଆଉ ରାଜ୍ୟପାଳଙ୍କ ମଞ୍ଜୁରୀ ସହ ତାମିଲନାଡୁରେ ନୂଆ ସରକାର ଗଠନ ପାଇଁ ରାସ୍ତା ସଫା ହୋଇଛି। ଶନିବାର ସକାଳ ୧୧ଟାରେ ବିଜୟଙ୍କ ଶପଥ ଗ୍ରହଣ ସମାରୋହ ହେବା ନେଇ କୁହାଯାଇଛି।

ସୂଚନାଥାଉକି, ପୂର୍ବରୁ ବିଜୟ ଦୁଇ ଥର ରାଜ୍ୟପାଳଙ୍କୁ ଭେଟି ସରକାର ଗଢ଼ିବାକୁ ଦାବି ଜଣାଇଥିଲେ। ମାତ୍ର ଆବଶ୍ୟକ ୧୧୮ ବିଧାୟକ ଦସ୍ତକ୍ଷତ ନଥିବାରୁ ରାଜ୍ୟପାଳ ତାଙ୍କୁ ଫେରାଇ ଦେଇଥିଲେ। ଯାହାକୁ ନେଇ ରାଜନୀତି ବି ତେଜିଥିଲା। ଅବଶ୍ୟ ଏହାରି ମଧ୍ୟରେ ପ୍ରଥମେ କଂଗ୍ରେସ ଟିଭିକେକୁ ସମର୍ଥନ ଜଣାଇଥିଲା । ଯାହା ପରେ ବିଜୟଙ୍କୁ ୧୧୨ ବିଧାୟକଙ୍କ ସମର୍ଥନ ମିଳିଥିଲା। ତଥାପି ବି ବିଜୟ ୧୧୮ ମ୍ୟାଜିକ ନମ୍ବର ଠାରୁ କିଛି ଦୂରରେ ରହିଥିଲେ।

Also Read: ‘ବିଜୟ ସରକାର’ ଗଠନ ପାଇଁ ରାସ୍ତା ସଫା, TVKକୁ ସମର୍ଥନ ଦେଲେ ୩ ଦଳ

ହେଲେ ଶୁକ୍ରବାର ସିପିଆଇ, ସିପିଆଇଏମ, ଭିସିକେ ଟିଭିକେକୁ ସମର୍ଥନ ଦେଇଥିଲେ । ଏହି ତିନି ଦଳରୁ ଦୁଇ- ଦୁଇ ଜଣ ପ୍ରାର୍ଥୀ ଜିତିଛନ୍ତି। ଅର୍ଥାତ ତିନି ଦଳରୁ ୬ ବିଧାୟକ ବିଜୟଙ୍କୁ ସମର୍ଥନ ଦେଇଛନ୍ତି। ଆଉ ଏବେ ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ ମଧ୍ୟ ବିଜୟଙ୍କ ଟିଭିକେକୁ ସମର୍ଥନ ଜଣାଇଛି। ଆଇଏୟୁଏଲର ମଧ୍ୟ ଦୁଇ ବିଧାୟକ ଜିତିଛନ୍ତି ।ଫଳରେ ବିଜୟ ୧୨୦ ବିଧାୟକଙ୍କ ସମର୍ଥନ ପାଇବାରେ ସଫଳ ହୋଇଛନ୍ତି। ଯାହା ମ୍ୟାଜିକ ନମ୍ବର ୧୧୮ ଠାରୁ ୨ ଅଧିକ। ଏମିତିରେ ବିଜୟ ନିଜେ ଜିତିଥିବା ଦୁଇ ସିଟ ମଧ୍ୟରୁ ଗୋଟିଏ ଛାଡ଼ିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ।