ନୂଆଦିଲ୍ଲୀ: ଦୁଇ ଦିନର କସରତ ପରେ ଶେଷରେ ବିଜୟଙ୍କୁ ମିଳିଛି ସମର୍ଥନ। ଏହି ସମର୍ଥନ ଫଳରେ ଏବେ ବିଜୟଙ୍କ ଟିଭିକେ ହିଁ ତାମିଲନାଡୁରେ ସରକାର ଗଢ଼ିବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଶୁକ୍ରବାର, ସିପିଏମ, ସିପିଆଇ ଏବଂ ଭିସିକେ ଥାଲାପତି ବିଜୟଙ୍କ ଟିଭିକେକୁ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତେଣୁ ଏହି ତିନି ଦଳଙ୍କ ସମର୍ଥନ ପରେ ଏବେ ରାଜ୍ୟରେ ନୂଆ ସରକାର ଗଢ଼ିବା ପାଇଁ ପଥ ପରିଷ୍କାର ହୋଇଛି।

ସୂଚନାଯୋଗ୍ୟ, ତିନି ଦଳର ସମର୍ଥନ ପରେ ବିଜୟଙ୍କୁ ଆବଶ୍ୟକ ମ୍ୟାଜିକ ନମ୍ବର ତଥା ୧୧୮ ବିଧାୟକଙ୍କ ସମର୍ଥନ ମିଳିଯାଇଛି। ତାମିଲନାଡୁରେ ୨୩୪ ବିଧାନସଭା ଆସନ ରହିଥିବା ବେଳେ ଟିଭିକେ ୧୦୭ ଆସନରେ ବିଜୟୀ ହୋଇଛି। ବିଜୟ ନିଜେ ଦୁଇ ସିଟରୁ ନିର୍ବାଚନ ଲଢ଼ି ଜିତିଛନ୍ତି। ଏଥିପାଇଁ ତାଙ୍କୁ ଗୋଟିଏ ସିଟ୍ ଛାଡ଼ିବାକୁ ହେବ। ଏହା ବ୍ୟତୀତ କଂଗ୍ରେସର ୫ ବିଧାୟକ ମଧ୍ୟ ତାଙ୍କୁ ପୂର୍ବରୁ ସମର୍ଥନ ଦେଇସାରିଛନ୍ତି। ଶୁକ୍ରବାର ସମର୍ଥନ ଦେଉଥିବା ତିନି ଦଳରୁ ଦୁଇ- ଦୁଇ ଜଣ ପ୍ରାର୍ଥୀ ଜିତିଛନ୍ତି। ଅର୍ଥାତ ତିନି ଦଳରୁ ୬ ବିଧାୟକ ବିଜୟଙ୍କୁ ସମର୍ଥନ ଦେଇଛନ୍ତି। ଏହିଭଳି ଭାବରେ ବିଜୟ ବହୁମତ ଅର୍ଥାତ ୧୧୮ ବିଧାୟକଙ୍କ ସମର୍ଥନ ହାସଲ କରିଛନ୍ତି।

Also Read: ତାମିଲନାଡୁରେ ସାମ୍ବିଧାନିକ ସଙ୍କଟ: ସରକାର ଗଢ଼ିବାକୁ ବିଜୟଙ୍କୁ କାହିଁକି ଡାକୁନାହାନ୍ତି ରାଜ୍ୟପାଳ? ଜାଣନ୍ତୁ କଣ କହୁଛି ସମ୍ବିଧାନ

ରାଜ୍ୟପାଳଙ୍କ ନିକଟରେ ପୁଣି ଦାବି ଉପସ୍ଥାପନ କରିବେ ବିଜୟ

ଫଳରେ ଦୁଇ ଦିନ ଧରି ଲାଗିରହିଥିବା ରାଜନୈତିକ ଅନିଶ୍ଚିତତା ଏବଂ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକରଙ୍କ ସହ ଜାରି ଟିଭିକେର ଛକାପଞ୍ଝା ଶେଷ ହେବା ନେଇ ଆଶା କରାଯାଉଛି। ଏହା ସହ ସରକାର ଗଢ଼ିବା ପାଇଁ ତାଙ୍କ ଦାବି ଆହୁରି ମଜଭୁତ ହୋଇଛି। ଟିଭିକେ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଜୟ ଅପରାହ୍ଣ ସାଢ଼େ ୪ଟା ବେଳେ ରାଜ୍ୟପାଳଙ୍କୁ ସାକ୍ଷତ କରିବାକୁ ସମୟ ମାଗିଛନ୍ତି। ଆଶା କରାଯାଉଛି ଯେ, ପ୍ରମୁଖ ବିରୋଧୀ ଦଳଙ୍କ ସମର୍ଥନ ହାସଲ କରିବା ପରେ ପୁଣି ଥରେ ସରକାର ଗଢ଼ିବା ପାଇଁ ସେ ଦାବି ଉପସ୍ଥାପନ କରିବେ।