ମୁମ୍ବାଇ: ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ପିଛା କରିବା, ହଇରାଣ କରିବା ଏବଂ ମାଡ଼ ମାରିବା ଅଭିଯୋଗରେ ଟିଭି ଅଭିନେତା ରୋହିତ ଚାନ୍ଦେଲଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି । ଘାଟକୋପର ଥାନା ପୋଲିସ ନାବାଳିକାଙ୍କ ପରିବାର ପକ୍ଷରୁ ଅଭିଯୋଗ ପାଇବା ପରେ ଏହି ଆକ୍ସନ ନେଇଛି ଏବଂ ଅଭିନେତାଙ୍କ ବିରୋଧରେ ପୋକ୍ସୋ (POCSO) ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଛି। ଆଇଏଏନଏସ୍ (IANS) ରିପୋର୍ଟ ଅନୁଯାୟୀ, ମୁମ୍ବାଇର ପୂର୍ବ ଉପକଣ୍ଠରେ ରହୁଥିବା ରୋହିତ ଗତ କିଛି ମାସ ଧରି ଏହି ନାବାଳିକାଙ୍କୁ ହଇରାଣ କରୁଥିଲେ। ଅଭିଯୋଗ ହୋଇଛି ଯେ, ଡିସେମ୍ବର ୨୦୨୫ ରୁ ଜୁଲାଇ ୭, ୨୦୨୬ ମଧ୍ୟରେ ଅଭିଯୁକ୍ତ ରୋହିତ ନିଜ ନମ୍ବର ଏବଂ ଅନ୍ୟ କେତେକ ନମ୍ବରରୁ ନାବାଳିକାଙ୍କ ମୋବାଇଲକୁ ବାରମ୍ବାର ଫୋନ୍ କରି ମାନସିକ ନିର୍ଯାତନା ଦେଉଥିଲେ।

ଜୁଲାଇ ୫, ୨୦୨୬ରେ ରୋହିତ ନାବାଳିକାଙ୍କ ଘର ନିକଟରେ ତାଙ୍କୁ ହଇରାଣ କରିଥିଲେ । ସେ ପୀଡ଼ିତାଙ୍କୁ ଗୋଡ଼ାଇବା ସହ ତାଙ୍କ ସହ ପାଟିତୁଣ୍ଡ କରିଥିଲେ, ଗାଳିଗୁଲଜ କରିଥିଲେ ଏବଂ ମାଡ଼ ମାରିଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଛି । ନାବାଳିକାଙ୍କ ଏହି ଗମ୍ଭୀର ଅଭିଯୋଗ ଉପରେ ତଦନ୍ତ କରି ଘାଟକୋପର ପୋଲିସ ମାମଲା ରୁଜୁ କରିବା ସହ ଅଭିନେତାଙ୍କୁ ଗିରଫ କରିଛି । ରୋହିତଙ୍କ ବିରୋଧରେ ପୋକ୍ସୋ (POCSO) ଆକ୍ଟରେ ମାମଲା ରୁଜୁ ହୋଇଛି । ଏହା ବ୍ୟତୀତ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୭୮ (ପିଛା କରିବା ବା ଷ୍ଟକିଂ), ଧାରା ୧୧୫ (୨) (ଆହତ କରିବା) ଏବଂ ଧାରା ୩୫୨ (ଶାନ୍ତି ଭଙ୍ଗ କରିବା ଉଦ୍ଦେଶ୍ୟରେ ଅପମାନିତ କରିବା) ଭଳି ସଙ୍ଗୀନ ଦଫା ଲଗାଇଛି ପୋଲିସ ।

ରୋହିତ ଚାନ୍ଦେଲ କିଏ ?

ରୋହିତ ଚାନ୍ଦେଲ ୨୦୧୪ ମସିହାରେ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ। ପ୍ରଥମେ ସେ କିଛି ପାର୍ଶ୍ୱ ଚରିତ୍ରରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଏବଂ ପରେ ଯୁବକେନ୍ଦ୍ରିକ ଓ ପାରିବାରିକ ସିରିଏଲରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଐତିହାସିକ ଧାରାବାହିକ 'କାଶୀବାଈ ବାଜିରାଓ ବଲ୍ଲାଲ'ରେ ପେଶୱା ବାଜିରାଓ ଚରିତ୍ରରେ ଅଭିନୟ କରି ସେ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ। ସିରିଏଲ ବ୍ୟତୀତ ସେ ଓଟିଟି (OTT)ରେ ସାଇ-ଫାଇ ଥ୍ରୀଲର ସିରିଜ୍ 'ଏସକେପ୍‌ ଲାଇଭ୍' (Escaype Live)ରେ ମଧ୍ୟ କାମ କରିଛନ୍ତି। ସୋସିଆଲ ମିଡିଆରେ ସେ ବେଶ୍ ସକ୍ରିୟ ରହୁଥିବା ବେଳେ ନିଜର ଫିଟନେସ୍ ଭିଡିଓ ଓ ସୁଟିଂ ସେଟ୍‌ର ଝଲକ ଶେୟାର କରନ୍ତି ରୋହିତ । ତେବେ ଅଭିନେତାଙ୍କ ଗିରଫଦାରୀ ଏବେ ତାଙ୍କ ଫ୍ୟାନ୍ସ ଓ ସାଧାରଣ ଲୋକଙ୍କୁ ସ୍ତବ୍ଧ କରିଦେଇଛି।