ମୁମ୍ବାଇ: ଶିବସେନା (UBT)ର ବରିଷ୍ଠ ନେତା ତଥା ବିଧାନ ପରିଷଦ ସଦସ୍ୟ ସଚିନ ଅହିର ଆନୁଷ୍ଠାନିକ ଭାବରେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାରେ ଯୋଗ ଦେଇଛନ୍ତି। ଦଳ ପରିବର୍ତ୍ତନର ମାତ୍ର କିଛି ସମୟ ମଧ୍ୟରେ ସେ ମହାରାଷ୍ଟ୍ର ବିଧାନ ପରିଷଦର ଉପାଧ୍ୟକ୍ଷ ପଦ ପାଇଁ ନିଜର ନାମାଙ୍କନ ପତ୍ର ମଧ୍ୟ ଦାଖଲ କରିଛନ୍ତି। ମହାରାଷ୍ଟ୍ର ରାଜନୀତିରେ ଏହି ପଦକ୍ଷେପକୁ 'ଅପରେସନ୍ ଟାଇଗର-୩' ବୋଲି କୁହାଯାଉଛି। ସିନ୍ଦେ ଗୋଷ୍ଠୀର ଦାବି ଅନୁଯାୟୀ, ଉଦ୍ଧବ ଠାକରେଙ୍କ ଶିବିରର ଆହୁରି ଅନେକ ବିଧାୟକ ଆଗାମୀ ଦିନରେ ଦଳ ଛାଡ଼ି ପାରନ୍ତି।

ସଚିନ ଅହିର କେବଳ ଶିବସେନା (UBT)ର ଜଣେ ବରିଷ୍ଠ ନେତା ନଥିଲେ, ବରଂ ମୁମ୍ବାଇର ବିଶେଷ କରି 'ୱର୍ଲି' ନିର୍ବାଚନ ମଣ୍ଡଳୀରେ ଆଦିତ୍ୟ ଠାକରେଙ୍କ ସବୁଠାରୁ ଭରସାଯୋଗ୍ୟ ଏବଂ ଦକ୍ଷ ସହଯୋଗୀ ଥିଲେ। ୨୦୧୯ ମସିହାରେ ଯେତେବେଳେ ଆଦିତ୍ୟ ଠାକରେ ନିଜର ପ୍ରଥମ ନିର୍ବାଚନ ଲଢ଼ିଥିଲେ, ସେତେବେଳେ ସଚିନ ଅହିରଙ୍କୁ ଶିବସେନାକୁ ଅଣାଯାଇଥିଲା ଏବଂ ୱର୍ଲିର ସମ୍ପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିଲା।

ଆଦିତ୍ୟଙ୍କର ସବୁଠାରୁ ନିକଟତର ବ୍ୟକ୍ତି ଏବେ ସିନ୍ଦେଙ୍କ ଗୋଷ୍ଠୀରେ ସାମିଲ ହୋଇଛନ୍ତି । ଏହି ଘଟଣା ଆଦିତ୍ୟ ଠାକରେଙ୍କ ରାଜନୈତିକ ପରିପକ୍ୱତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ସଂଗଠନ ମଜଭୁତ ହେଉଥିବା ନେଇ ଉଦ୍ଧବ ଠାକରେଙ୍କ ଦାବିକୁ ମଧ୍ୟ ଝଟକା ଦେଇଛି। ନିଜର ଏହି ଅତ୍ୟନ୍ତ ନିକଟତର ନେତା ଦଳ ଛାଡ଼ିବା ପରେ ଆଦିତ୍ୟ ଠାକରେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଦଳ ଅହିରଙ୍କୁ ସବୁ କିଛି ଦେଇଥିଲା, ତଥାପି ସେ ଦଳ ଛାଡ଼ିବା ତାଙ୍କର ଆଦର୍ଶହୀନତାକୁ ଦର୍ଶାଉଛି। ଜୀବନରେ କିଛି ନୀତି ଓ ଆଦର୍ଶ ରହିବା ଉଚିତ। ଯଦି ଦଳ ଆପଣଙ୍କୁ ସବୁ କିଛି ଦେଇଛି, ତେବେ କଠିନ ସମୟରେ ଆପଣଙ୍କୁ ମଧ୍ୟ ଦଳ ସହ ଠିଆ ହେବାକୁ ପଡ଼ିବ। ତାଙ୍କୁ ମୋ ପାଖକୁ ଆଣନ୍ତୁ, ମୁଁ ତାଙ୍କୁ ପଚାରିବି ଯେ, ଏମିତି କଣ ଥିଲା ଯାହା ଦଳ ତାଙ୍କୁ ଦେଇ ନଥିଲା।

ଅନ୍ୟପଟେ, ସଚିନ ଅହିରଙ୍କୁ ନିଜ ଦଳକୁ ସ୍ୱାଗତ କରି ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତାଙ୍କୁ ରାଜନୀତିର "ତେନ୍ଦୁଲକର" ବୋଲି ଆଖ୍ୟା ଦେଇଛନ୍ତି । ସେ କହିଛନ୍ତି ଅହିର  ଆସୁ ଆସୁ ଛକା ମାରିଛନ୍ତି। ସିନ୍ଦେ କହିଛନ୍ତି, ‘ସେ ହେଉଛନ୍ତି ଜଣେ ତୃଣମୂଳ ସ୍ତରର କର୍ମୀ ଏବଂ ଲୋକମାନେ ତାଙ୍କ ରାଜନୀତି କରିବାର ଶୈଳୀକୁ ଭଲ ପାଆନ୍ତି। ସେ ଆମର ଏମିତି ଜଣେ ଖେଳାଳି ଯିଏ ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂ ସବୁ କିଛି କରିପାରିବେ।