ବେଙ୍ଗାଲୁରୁ: ଦେଶରେ ସଘନ ଭୋଟର ତାଲିକା ସଂଶୋଧନ(ଏସଆଇଆର୍)ରେ ଅନିୟମିତତା ଅଭିଯୋଗ ନେଇ ତମ୍ବିତୋଫାନ ଚାଲିଥିବା ବେଳେ କର୍ଣ୍ଣାଟକର ଏସଆଇଆର ରିପୋର୍ଟ ସାମ୍ନାକୁ ଆସିଛି। କର୍ଣ୍ଣାଟକରେ ୧ କୋଟିରୁ ଅଧିକ ଭୋଟରଙ୍କୁ ଲିଷ୍ଟରୁ ବାଦ ଦିଆଯାଇଛି। ମଙ୍ଗଳବାର ପ୍ରକାଶ ପାଇଥିବା ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକାରେ ୪.୫୪ କୋଟି ଭୋଟରଙ୍କ ନାଁ ରହିଛି ବୋଲି ମୁଖ୍ୟ ନିର୍ବାଚନ କମିଶନ(ସିଇଓ) ସୂଚନା ଦେଇଛନ୍ତି।

ମଙ୍ଗଳବାର ଏନେଇ ସିଇଓ କାର୍ଯ୍ୟାଳୟ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ କୁହାଯାଇଛି ଯେ ରାଜ୍ୟରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତ ହେବା ବେଳକୁ ୧,୦୮,୭୬,୬୨୫ (୧.୦୮ କୋଟି) ଗଣନା ଫର୍ମକୁ ବାଦ୍ ଦିଆଯାଇସାରିଥିଲା। ଏହା ବ୍ୟତୀତ, ନୋଟିସ୍ ଜାରି କରାଯିବା ଏବଂ ଶୁଣାଣି ଶେଷ ହେବା ପରେ ୬୧,୮୬୭ ଜଣ ଭୋଟରଙ୍କୁ ଫାଇନାଲ ଲିଷ୍ଟରେ ସାମିଲ ହେବା ପାଇଁ ଅଯୋଗ୍ୟ ଘୋଷଣା କରାଯାଇଛି।

କେତେ ପୁରୁଷ ଓ କେତେ ମହିଳା ଭୋଟର ?

ରାଜ୍ୟରେ ଏସ୍ଆଇଆର୍ ହେବା ପୂର୍ବରୁ ୫ କୋଟି ୫୪ ଲକ୍ଷ ୩୨ ହଜାର ୩୧୪ (୫.୫୪ କୋଟି) ଭୋଟର ଥିଲେ। ହେଲେ ଏସଆଇଆର୍ ପରେ ପଞ୍ଜିକୃତ ଭୋଟର ସଂଖ୍ୟା ହ୍ରାସ ପାଇ ୪ କୋଟି ୫୪ ଲକ୍ଷ ୫୫ ହଜାର ୬୮୯ ( ୪.୫୪) ହୋଇଯାଇଛି। ଏଥିରେ ୨ କୋଟି ୨୫ ଲକ୍ଷ ୪୦ ହଜାର ୪୯୩ ପୁରୁଷ(୨.୨୫ କୋଟି) ପୁରୁଷ ଓ ୨ କୋଟି ୨୯ ଲକ୍ଷ ୧୨ ହଜାର ୩୫୫ (୨.୨୯ କୋଟି)ମହିଳା ଭୋଟର ଅଛନ୍ତି। ଏଥିସହିତ ୨,୮୪୧ ଜଣ ତୃତୀୟ ଲିଙ୍ଗି ରହିଛନ୍ତି। ତେବେ ରାଜ୍ୟରେ ୬.୮୩ ଲକ୍ଷରୁ ଅଧିକ ଭୋଟର ୧୮ ରୁ ୧୯ ବର୍ଷ ମଧ୍ୟରେ ରହିଛନ୍ତି ବୋଲି ଏସଆଇଆର୍ ରିପୋର୍ଟ ପ୍ରକାଶ କରିଛି।

କର୍ଣ୍ଣାଟକରେ ଚଳିତ ବର୍ଷ ଜୁନ ୩୦ ତାରିଖରେ ଏସଆଇଆର୍ କରାଯାଇଥିଲା। ସେତେବେଳେ ରାଜ୍ୟରେ ୫.୫୪ କୋଟି ପଞ୍ଜିକୃତ ନାଗରିକ ଥିବା ତଥ୍ୟ ରହିଥିଲା। ୨୦୦୨ ପରେ ପ୍ରଥମ ଥର ପାଇଁ ରାଜ୍ୟରେ ଭୋଟର ତାଲିକା ସଂଶୋଧନ ହୋଇଥିଲା। ବୁଥ୍ ସ୍ତରୀୟ ଅଧିକାରୀ' (BLO) ମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରି ଭୋଟର ବିବରଣୀ ଯାଞ୍ଚ କରିଥିଲେ। ୫.୫୪ କୋଟି ଭୋଟରଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ଗଣନା ଫର୍ମ ମଧ୍ୟରୁ ୪,୪୬,୩୫,୯୭୫ (୪.୪୬ କୋଟି) ଫର୍ମରେ ସ୍ୱାକ୍ଷର କରାଯାଇ ବିଏଲଓ (BLO) ମାନଙ୍କ ନିକଟରେ ଦାଖଲ କରାଯାଇଥିଲା। ଏହାପରେ ଅଗଷ୍ଟ ମାସରେ ତିଆରି କରାଯାଇଥିବା ଚୂଡ଼ାନ୍ତ ଭୋଟର ତାଲିକାରେ ଡ୍ରାଫ୍ଟରେ ସାମିଲ କରାଯାଇଥିଲା।

Also Read- ରାହୁଲଙ୍କ ବିରୋଧରେ ଯାଚିକା ଦେଖି କ୍ଷୁବ୍ଧ CJI, ଓକିଲଙ୍କୁ ପଚାରିଲେ- କଣ ନ୍ୟୁଜ ଚ୍ୟାନେଲ ସହ କଥା ହୋଇଛନ୍ତି ?

ଏହି ଏସଆଇଆର୍ରେ ୬୫,୪୫,୬୭୯ ଜଣ ଭୋଟର (୧୧.୮୧ ପ୍ରତିଶତ) ସ୍ଥାୟୀ ଭାବରେ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଛନ୍ତି ବୋଲି ଚିହ୍ନଟ କରାଯାଇଛି। ସେହିପରି ୧୯,୦୦,୯୨୬ ଜଣ (୩.୪୩ ପ୍ରତିଶତ) ଭୋଟରଙ୍କୁ ଅନୁପସ୍ଥିତ ବୋଲି ଦର୍ଶାଯାଇଥିବା ବେଳେ ୧୬,୩୯,୮୬୪ ଜଣ (୨.୯୬ ପ୍ରତିଶତ) ମୃତ ବୋଲି ରେକର୍ଡ କରାଯାଇଛି। ଏହା ବ୍ୟତୀତ, ୭,୦୯,୮୭୦ ଜଣ ଭୋଟର (୧.୨୮ ପ୍ରତିଶତ) ଅନ୍ୟ ସ୍ଥାନରେ ପୂର୍ବରୁ ପଞ୍ଜୀକୃତ ହୋଇଥିବା କିମ୍ବା ଦ୍ୱିତୀୟ ଥର ପାଇଁ (ଡୁପ୍ଲିକେଟ୍) ପଞ୍ଜୀକୃତ ହୋଇଥିବା ଭାବରେ ଚିହ୍ନଟ ହୋଇଛନ୍ତି।

୬୧,୮୬୭ ଜଣ ଅଯୋଗ୍ୟ ଘୋଷିତ

ଏମାନଙ୍କ ମଧ୍ୟରୁ ନିର୍ବାଚନ ଆୟୋଗ ୪୩,୮୨,୮୨୪ଟି ନୋଟିସ୍ କରିଥିଲେ। ଏମାନଙ୍କ ତଥ୍ୟ ଯାଞ୍ଚ କରିବାର ଆବଶ୍ୟକତା ଥିବାରୁ ଏହି ନୋଟିସ କରାଯାଇଥିଲା। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ (CEO) କାର୍ଯ୍ୟାଳୟ ଅନୁଯାୟୀ, ଏହି ସମସ୍ତ ୪୩,୮୨,୮୨୪ଟି ମାମଲାରେ ଶୁଣାଣି କରାଯାଇଥିଲା। ନୋଟିସ୍ ଏବଂ ଶୁଣାଣି ପ୍ରକ୍ରିୟା ପରେ, ୬୧,୮୬୭ ଭୋଟରଙ୍କୁ ଚୂଡ଼ାନ୍ତ ଭୋଟର ତାଲିକାରେ ସାମିଲ ପାଇଁ ଅଯୋଗ୍ୟ ଚିହ୍ନଟ କରାଯାଇଥିଲା। ଯାଞ୍ଚ ଓ ଶୁଣାଣି ପ୍ରକ୍ରିୟା ଅକ୍ଟୋବର ୨୨ ତାରିଖରେ ଶେଷ ହେବାରୁ ଆଜି ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି।

ଅଗଷ୍ଟ ୨୪ ରୁ ସେପ୍ଟେମ୍ବର ୨୩ ପର୍ଯ୍ୟନ୍ତ ଭୋଟରଙ୍କୁ ନିଜର ଅଭିଯୋଗ ଓ ଆପତ୍ତି ଦାଖଳ କରିବାକୁ ସମୟ ଦିଆଯାଇଥିଲା। ଏହି ଅବଧି ମଧ୍ୟରେ ଭୋଟର ତାଲିକାରେ ୧୦,୦୮,୦୩୮ ଜଣ (୧୦.୦୮ ଲକ୍ଷ) ଭୋଟରଙ୍କୁ ସାମିଲ କରାଯାଇଥିବା ବେଳେ ୧,୮୮,୩୨୪ ଜଣଙ୍କ (୧.୮୮ ଲକ୍ଷ) ନାଁ ବାଦ୍ ଦିଆଯାଇଥିଲା। ଏହା ବ୍ୟତୀତ, ସଂଶୋଧନ ମାଧ୍ୟମରେ ୮,୯୬,୫୧୯ଟି (୮.୯୬ ଲକ୍ଷ) ଏଣ୍ଟ୍ରିରେ ପରିବର୍ତ୍ତନ କରାଯାଇଥିଲା। ଆବେଦନଗୁଡ଼ିକର ଯାଞ୍ଚ ଓ ସମାଧାନ ପ୍ରକ୍ରିୟା ଅକ୍ଟୋବର ୨୨ ପର୍ଯ୍ୟନ୍ତ ଜାରି ରହିଥିଲା।

ଭୋଟର ତାଲିକାରେ ହୋଇଥିବା ସାମିଲ ମଧ୍ୟରେ ୮,୭୭,୧୦୪ଟି ଫର୍ମ ୬ (ନୂଆ ଭୋଟର ପଞ୍ଜୀକରଣ ପାଇଁ ବ୍ୟବହୃତ) ମାଧ୍ୟମରେ, ୨,୩୧୨ଟି ଫର୍ମ ୬ଏ ମାଧ୍ୟମରେ ଏବଂ ୧,୨୮,୬୨୨ଟି ଫର୍ମ ୮ ମାଧ୍ୟମରେ (ସ୍ଥାନ ପରିବର୍ତ୍ତନ ସମ୍ବନ୍ଧୀୟ ଅନ୍ତର୍ଭୁକ୍ତି ପାଇଁ) ସାମିଲ କରାଯାଇଥିଲା। ଡିଲିଟ୍ ହୋଇଥିବା ୧ ଲକ୍ଷ ୮୮ ହଜାର,୩୨୪ ଭୋଟରଙ୍କ ମଧ୍ୟରେ ୧ ଲକ୍ଷ ୨୪ ହଜାର ୩୨୭ ଜଣ ସ୍ଥାୟୀ ଭାବେ ରାଜ୍ୟରୁ ଅନ୍ୟତ୍ର ସ୍ଥାନାନ୍ତର ହେବାରୁ ବାଦ୍ ଦିଆଯାଇଛି। ସେହିପରି ୬୧ ହଜାର ୯୬୦ ଜଣଙ୍କୁ ଅନ୍ୟ ବର୍ଗରେ ରଖାଯାଇଛି। ବାକିମାନଙ୍କ ମଧ୍ୟରେ ୧,୦୯୧ ଜଣଙ୍କର ମୃତ୍ୟୁ, ୭୬୨ ନକଲି ଭୋଟର ପଞ୍ଜିକରଣ, ଏବଂ ୧୮୪ ଅନୁପସ୍ଥିତ ଭୋଟର ବୋଲି ଦର୍ଶା ଯାଇଛି।