ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ଚୀନର ଅନୁପ୍ରବେଶ ନେଇ ସୋସିଆଲ୍ ମିଡିଆରେ ଭାଇରାଲ୍ ଭିଡିଓକୁ ଭାରତୀୟ ସେନା ଫେକ୍ ବୋଲି କହିଛି । ଭାରତୀୟ ସେନା ଦ୍ୱାରା ଫ୍ୟାକ୍ଟ ଚେକ୍ ପରେ କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ଭିଡିଓ ସେୟାର କରିବା ନେଇ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି । କଂଗ୍ରେସ ଭାରତୀୟ ସେନାର ଛବି ଖରାପ କରିବା ସହିତ ଦେଶର ଶତ୍ରୁଙ୍କ ଏଜେଣ୍ଡାକୁ ଆଗକୁ ବଢ଼ାଉଥିବା ସେ ଅଭିଯୋଗ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ବିହାରରେ କଂଗ୍ରେସର ମୁଖପାତ୍ର ରିତୁ ଚୌଧୁରୀ ଏକ ପୋଷ୍ଟ ସେୟାର କରିଥିଲେ । ଏଥିରେ ଦାବି କରାଯାଇଥିଲା ଯେ ଚୀନର ଗାଡ଼ି ଭାରତୀୟ ଅଞ୍ଚଳରେ ପଶିଆସିଛି । ଅନ୍ୟ ଏକ ପୋଷ୍ଟରେ ଅଭିଯୋଗ କରାଯାଇଥିଲା ଯେ ଚୀନ ଅରୁଣାଚଳ ପ୍ରଦେଶର ଅଞ୍ଚଳରେ କବଜା କରିଛି ଏବଂ ସେନାକୁ ଆବଶ୍ୟକୀୟ ଯୋଗାଣ କରାଯାଉନାହିଁ ।

ଭାରତୀୟ ସେନା ଆନୁଷ୍ଠାନିକ ବୟାନ ଜାରି କରି ଉଭୟ ଭିଡିଓ ସଂପୂର୍ଣ୍ଣ ମିଛ ବୋଲି କହିଛି । ପ୍ରଥମ ଭିଡିଓକୁ ମିଛ କହି ସେନା କହିଛି ଯେ ଏଥିରେ ସିକ୍କିମର ନାଥୁ ଲା ପାସ୍ ନିକଟରେ ଚୀନର ବାଣିଜ୍ୟିକ ଗାଡ଼ି ରହିଛି, ଯାହା ଭାରତ-ଚୀନ ବର୍ଡର ଟ୍ରେଡ୍ ପଏଣ୍ଟ ଅଟେ । ସେନା କହିଛି, ଏକ ଅନୁମୋଦିତ ବର୍ଡର ଟ୍ରେଡ୍ ମାର୍ଗରେ ବାଣିଜ୍ୟିକ ଗାଡ଼ିର ଗତିବିଧିକୁ ଚୀନ ମିଲିଟାରୀ ଅନୁପ୍ରବେଶର ପ୍ରମାଣ ବୋଲି ଭୁଲ ଭାବରେ ଉପସ୍ଥାପନ କରାଯାଇଛି ।

 

ଦ୍ୱିତୀୟ ଫେକ୍ ଭିଡିଓରେ ଲେଫ୍ଟନାଣ୍ଟ ଜେନେରାଲ ଗିରିଶ କାଲିଆଙ୍କ ବୟାନ ରହିଛି, ଯେଉଁଥିରେ ଚୀନ୍ ଅରୁଣାଚଳ ପ୍ରଦେଶର କିଛି ଅଂଶ ଦଖଲ କରିଛି କହୁଥିବା ଶୁଣିବାକୁ ମିଳୁଛି । ସେ ସମ୍ପର୍କରେ ସେନା ସ୍ପଷ୍ଟ କରିଛି ଯେ ଭିଡିଓଟି ଡିପ୍ ଫେକ୍ । ସେନା ପକ୍ଷରୁ କୁହାଯାଇଛି, 'ମୂଳ ଫୁଟେଜ୍ ୨୦୨୩ ଅକ୍ଟୋବର ୨୭ରେ ଜମ୍ମୁ ଏବଂ କାଶ୍ମୀରର କୁପୱାଡ଼ାରେ ନିୟନ୍ତ୍ରଣ ରେଖା ପାର ହୋଇ ଅନୁପ୍ରବେଶ ପ୍ରୟାସ ସମ୍ପର୍କରେ ଏକ ପ୍ରେସ ବ୍ରିଫିଂରୁ ନିଆଯାଇଛି । ଅରୁଣାଚଳ ପ୍ରଦେଶ ଉପରେ ଚୀନର ନିୟନ୍ତ୍ରଣ କିମ୍ବା ଭାରତୀୟ ସେନାକୁ ଯୋଗାଣ କରିବାକୁ ମନା କରିବା ବିଷୟରେ ସେମାନେ ଏପରି କୌଣସି ବିବୃତ୍ତି ଦେଇ ନାହାନ୍ତି ।'

କଂଗ୍ରେସ କ୍ଷମା ମାଗିବା ଦରକାର: କିରେନ ରିଜିଜୁ

ଦାବିର ସତ୍ୟତା ସେନା ସ୍ପଷ୍ଟ କରିବା ପରେ କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ କଂଗ୍ରେସ ଉପରେ କଡ଼ା ଆକ୍ରମଣ କରିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି, "ଭାରତୀୟ ସେନାର ପ୍ରତିଷ୍ଠାକୁ ନଷ୍ଟ କରିବା ପାଇଁ ନକଲି ଏଆଇ ଭିଡିଓ ପ୍ରସାରଣ ପାଇଁ କଂଗ୍ରେସ ଦଳ ସମଗ୍ର ଦେଶ ନିକଟରେ କ୍ଷମା ମାଗିବା ଦରକାର । ଏହା ସ୍ପଷ୍ଟ ଭାବରେ ଏକ ପ୍ରତାରଣା ଏବଂ ଆମ ଶତ୍ରୁମାନଙ୍କ ଏଜେଣ୍ଡାକୁ ପ୍ରୋତ୍ସାହିତ କରୁଛି । କଂଗ୍ରେସ ଦଳ ଭାରତର ଶତ୍ରୁମାନଙ୍କ ପକ୍ଷରୁ ଏକ ଅଭିଯାନ ଚଲାଉଛି ।"