ନୂଆଦିଲ୍ଲୀ: ଧୂଳିସାତ ହୋଇଯିବ କି ଟ୍ରମ୍ପଙ୍କ ମିଶନ ଇରାନ ସ୍ୱପ୍ନ ? ମାସକରେ ହେଲାନି ଦି ଏଣ୍ଡ୍। ତେହେରାନର ମାଇଣ୍ଡ ଗେମ୍ ଆଗରେ ଫେଲ୍ ଇସ୍ରାଏଲ-ଆମେରିକା। ନେତୃତ୍ୱ ନଥାଇ ବି ତେହେରାନ ଏତେ ଶକ୍ତିଶାଳୀ କେମିତି ? ଏତେ ବଳ ପାଉଛି କେଉଁଠୁ ? ଇରାନର ଡିଫେନ୍ସ ଷ୍ଟ୍ରାଟେଜିକୁ ବୁଝିପାରୁନି କି ଓ୍ୱାଶିଂଟନ ? ଘମାଘୋଟ ସଂଘର୍ଷ ମଧ୍ୟରେ ଇରାନ ପାଇଁ ଶକ୍ତି ସାଜିଛି ମୋଜାଇକ ଡିଫେନ୍ସ। ତେହେରାନର ଇନଭିଜିବଲ ପାଓ୍ୱାର ବା ଅଦୃଶ୍ୟ ଶକ୍ତି। ଆମେରିକା ପାଇଁ ଘାତକ। ଯାହାକୁ ପ୍ରତିହତ କରିବା ଏତେ ସହଜ ନୁହେଁ। ଏ ପ୍ରସଙ୍ଗ ଆମେରିକାର ଶକ୍ତିକୁ ନେଇ ନୁହେଁ, ବରଂ ଇରାନର ଯୁଦ୍ଧ ରଣନୀତିକୁ ନେଇ।

ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ବିତିଛି ୩ ସପ୍ତାହ। ଇରାନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲ୍ଲୀ ଖାମେନିଙ୍କୁ ହତ୍ୟା। ୧୫ ଟପ୍ ଲିଡର୍ ଏଲିମିନେଟଡ୍। ତେହେରାନ ଉପରେ ଜବରଦସ୍ତ ପ୍ରହାର କରୁଛି ବିଶ୍ୱର ସର୍ବଶକ୍ତିଶାଳୀ ଦେଶ ଆମେରିକା। ସାଥ୍ ଦେଇଛି ଇସ୍ରାଏଲ। ତଥାପି ହାର ମାନୁନି ଇରାନ। ଟ୍ରମ୍ପ ଭାବିଥିଲେ- ଖାମେନିଙ୍କ ମୃତ୍ୟୁ ପରେ ବଦଳିବ ଇରାନର ନେତୃତ୍ୱ। ବଦଳିବ ଆୟାତୋଲ୍ଲା ଶାସନ। କିନ୍ତୁ ଫେଲ ମାରିଲା ଓ୍ୱାଶିଂଟନର ଗଣିତ । ପ୍ରଥମ ଦିନରୁ ଜୋରଦାର ମିଶାଇଲ ବର୍ଷା କଲା ତେହେରାନ। ଆମେରିକା ସାମରିକ ଘାଟିକୁ ଆଟାକ୍। ଇରାନର ଭୟଙ୍କର କୋପରୁ ବର୍ତ୍ତିନାହାନ୍ତି ତାର ଶତ୍ରୁ ରାଷ୍ଟ୍ର । ଇସ୍ରାଏଲ, ଓମାନ, କୁଏତ, ୟୁଏଇ ସମେତ ଉପସାଗରୀୟ ଦେଶ ଉପରେ ଆଟାକ୍। ଏବେ IRGC କଣ୍ଟ୍ରୋଲରେ ହର୍ମୁଜ ଜଳପଥ। ମାସକରେ ଯୁଦ୍ଧ ଶେଷ ହେବ ବୋଲି ବାହାସ୍ଫୋଟ ମାରୁଥିବା ଡୋନାଲ୍ଡ ଟ୍ରମ୍ପ ପୁଣି ଇରାନକୁ ଦେଖାଇଛନ୍ତି ନାଲିଆଖି। ହର୍ମୁଜ ଜଳପଥ ଖୋଲବାକୁ ରିଭୋଲ୍ୟୁସନାରୀ ଗାର୍ଡକୁ ଦେଇଥିଲେ ୪୮ ଘଣ୍ଟାର ଅଲ୍ଟିମେଟମ୍। ପୁଣି ତାପରେ ଓହରିଲେ। ୫ ଦିନ ପାଇଁ ଯୁଦ୍ଧ ବନ୍ଦ କଲେ। 

also read-ମାଡ଼ି ଆସୁଛି ଭୟଙ୍କର ଆର୍ଥିକ ସଙ୍କଟ : ବଢିବ ଦରଦାମ୍, ଏସୀୟ ଅର୍ଥବ୍ୟବସ୍ଥା ହୋଇଯିବ ଦୁର୍ବଳ !

ଇରାନ ଟପ୍ ଲିଡରଙ୍କୁ ହରାଇବା ଏତେ ଶକ୍ତି ଆସୁଛି କେଉଁଠୁ। ଗତ ବର୍ଷକ ମଧ୍ୟରେ ସର୍ବୋଚ୍ଚ ନେତା, ସେନା ମୁଖ୍ୟ, ଗୁଇନ୍ଦା ମୁଖ୍ୟ ଏବଂ ମୁଖପାତ୍ରଙ୍କ ସମେତ ପ୍ରାୟ ୧୫ ଜଣ ଶୀର୍ଷ ଇରାନ ନେତାଙ୍କ ମୃତ୍ୟୁ ହୋଇଛି। କିନ୍ତୁ ଏଠି ଇରାନ ହାର ମାନିବ କଣ ବରଂ ତାର କାର୍ଯ୍ୟ, ପ୍ରତିଶୋଧ ଏବଂ ଯୁଦ୍ଧକ୍ଷେତ୍ରକୁ ବିସ୍ତାର କରି ଚାଲିଛି। ଖାମେନିଙ୍କ ହତ୍ୟା ପରେ ମାର୍ଚ୍ଚ ୧ରେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ଆମେରିକାକୁ ଦେଇଥିଲେ ଚେତାବନୀ। କହିଥିଲେ, ଯୁଦ୍ଧ ତୁମେ ଆରମ୍ଭ କରିଛ, ଏବେ "କେବେ ଏବଂ କିପରି" ଶେଷ ହେବ ତାହା ନିଷ୍ପତ୍ତି ନେବ ଇରାନ। ଆଉ ତାହାହିଁ ହେଉଛି। ସେଦିନ ଆରାଘଚିଙ୍କ ବୟାନ ନଥିଲା ବରଂ ପରୋକ୍ଷରେ କହିଥିଲେ ଏବେ ଦେଖ ଇରାନର ଶକ୍ତିଶାଳୀ ଓ୍ୱାର ଷ୍ଟ୍ରାଟେଜି।

ଡିସେଣ୍ଟ୍ରାଲାଇଜ୍ଡ ମୋଜାଇକ୍ ଡିଫେନ୍ସ। ଇରାନର ପ୍ରତିରକ୍ଷା ରଣନୀତି। ଭାବିନିଅନ୍ତୁ ଇଏ ଗୋଟେ ସାମରିକ ଚକ୍ରବ୍ୟୁହ। ଯାହାକୁ ବୁଝିପାରିନଥିଲା ଆମେରିକା ଓ ଇସ୍ରାଏଲ। ଏବେ ଡିସେଣ୍ଟ୍ରାଲାଇଜ୍ଡ ମୋଜାଇକ୍ ଡିଫେନ୍ସକୁ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ କରିଛି IRGC ବା ରିଭୋଲ୍ୟୁସନାରୀ ଗାର୍ଡ । ଏହି ରଣନୀତି ଅନୁଯାୟୀ, IRGCର ପ୍ରାଦେଶିକ କମାଣ୍ଡରମାନଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି। ଏହାର ଅର୍ଥ ହେଉଛି ସେମାନଙ୍କୁ କୌଣସି କାର୍ଯ୍ୟ କରିବା ପାଇଁ ଆଉ କେନ୍ଦ୍ରୀୟ ସାମରିକ ଲିଡରଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ ନାହିଁ। ଦେଶ ପ୍ରତି ବିପଦର ମୁକାବିଲା କରିବା ପାଇଁ ମୋଜାଇକ୍ ପ୍ରତିରକ୍ଷା ପ୍ରଣାଳୀ ସୃଷ୍ଟି କରାଯାଇଥିଲା।

ଆମେରିକା ଏବଂ ଇସ୍ରାଏଲ ଇରାନର କେନ୍ଦ୍ରୀୟ କମାଣ୍ଡ ଲାଇନ ଉପରେ ଆକ୍ରମଣ କରିଛି। ଆମେରିକା ଏବଂ ଇସ୍ରାଏଲ ଇରାନର କେନ୍ଦ୍ରୀୟ ନେତୃତ୍ୱ, ସାମରିକ ନେତୃତ୍ୱ ଏବଂ ଅସ୍ତ୍ରଶସ୍ତ୍ର ଡିପୋ ଉପରେ ଆକ୍ରମଣ କରିଛି। କେନ୍ଦ୍ରୀୟ ନେତାମାନଙ୍କୁ ହତ୍ୟା କରାଯିବା ପରେ ମୋଜାଇକ୍ ଷ୍ଟ୍ରାଟେଜିକୁ କାର୍ଯ୍ୟକାରୀ ହୋଇଛି। ଏଭଳି ସ୍ଥିତିରେ ଇରାନର ପ୍ରାଦେଶିକ ସାମରିକ ଅଧିକାରୀମାନଙ୍କୁ ନିଜେ ଯୁଦ୍ଧ କରିବାର ଅଧିକାର ଦିଆଯାଇଛି। ତେଣୁ ସେମାନଙ୍କୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବାରମ୍ବାର ଅନୁମତି ନେବାକୁ ପଡ଼ିବ ନାହିଁ।

ଏବେ ପ୍ରଶ୍ନ ମନରେ ଚାଲିଆସୁଥିବ- ମୋଜାଇକ୍ ଡିଫେନ୍ସ ଯୁଦ୍ଧରେ କିପରି କାର୍ଯ୍ୟ କରେ? ଏହି ରଣନୀତି ଅନୁଯାୟୀ, IRGCକୁ ୩୧ଟି ପୃଥକ ୟୁନିଟରେ ବିଭକ୍ତ କରାଯାଇଛି। ଗୋଟିଏ ତେହେରାନ ପାଇଁ ଏବଂ ବାକି ୩୦ଟି ବିଭିନ୍ନ ପ୍ରଦେଶ ପାଇଁ। ପ୍ରତ୍ୟେକ ୟୁନିଟର କମାଣ୍ଡରଙ୍କ ପାଖରେ ଦକ୍ଷ ଓ ପ୍ରଶିକ୍ଷିତ ଶକ୍ତି ରହିବ। ସେମାନେ ନିଜ ନିଷ୍ପତ୍ତି ନେବାକୁ କ୍ଷମତା ରହିଛି। କୌଣସି ସେନା ୟୁନିଟ୍ କ୍ଷେପଣାସ୍ତ୍ର କିମ୍ବା ଡ୍ରୋନ୍ ଲଞ୍ଚ କରିବେ କି ନାହିଁ, ଗରିଲା ଯୁଦ୍ଧରେ ନିୟୋଜିତ ହେବେ କି ନାହିଁ, କିମ୍ବା ଅନ୍ୟ କୌଣସି ଉପାୟରେ ଯୁଦ୍ଧ କରିବେ କି ନାହିଁ ତାହା କମାଣ୍ଡର ନିଜେ ନିଷ୍ପତ୍ତି ନେଇପାରିବେ। ଏହି ୟୁନିଟ୍ IRGCର ସ୍ଥଳ, ନୌସେନା ଏବଂ ବାୟୁସେନାରେ ଅଛି।

ଏବେ ମନରେ ଆଉ ଏକ ପ୍ରଶ୍ନ ଆସୁଥିବ, ଆମେରିକା ଓ ଇସ୍ରାଏଲର ସେନା ବହୁତ ଶକ୍ତିଶାଳୀ। ଗ୍ରାଉଣ୍ଡ ଯୁଦ୍ଧ ପାଇଁ ବି ଫିଟ୍। ଗାଜାରେ ଇସ୍ରାଏଲର ଗ୍ରାଉଣ୍ଡ ଓ୍ୱାର କରିଛି। ଆଫଗାନିସ୍ତାନରେ ତାଲିବାନକୁ ତଡ଼ିପାର କରିଛି ଆମେରିକା। ତାହାହେଲେ ଗ୍ରାଉଣ୍ଡରେ ଯୁଦ୍ଧ କରୁନି କାହିଁକି ? କିନ୍ତୁ ଏହା ଅସମ୍ଭବ। ଇରାନର ଭୌଗୋଳିକ ପରିସ୍ଥିତି ଏମିତି, ଏଠି ଶତ୍ରୁ ପକ୍ଷ ଗ୍ରାଉଣ୍ଡରେ ଯୁଦ୍ଧ କଲେ ନିଆଁ ସହ ଖେଳିବା ପରି ହେବ। ଚାରିଆଡେ ଦୁର୍ଗମ ପର୍ବତ ଏବଂ ମରୁଭୂମି। ପୁଣି ଗରିଲା ଯୁଦ୍ଧରେ ମାହିର ଇରାନ। ଆଫଗାନିସ୍ତାନରେ ଯେଉଁ ଟେକନିକ୍ ଆପଣାଇଥିଲା ତାଲିବାନ, ଠିକ ସେହି ପଦ୍ଧତି ଆପଣାଇଛି ଇରାନ। ଏଠି ମରୁଭୂମି ଏବଂ ପର୍ବତାଞ୍ଚଳ ଥିବାରୁ ଆକ୍ରମଣକାରୀଙ୍କ ଯୁଦ୍ଧ କ୍ଷମତାକୁ ଦୁର୍ବଳ କରିଦିଏ। ଯୁଦ୍ଧକୁ ଲମ୍ବା କରିଥାଏ।

ଇରାନ ଭଲ ଭାବେ ଜାଣିଛି- ଯଦି ଯୁଦ୍ଧ ଲମ୍ବା ହୁଏ, ଆକ୍ରମଣକାରୀ ଦେଶ ପାଇଁ ଯୁଦ୍ଧ କରିବା ବହୁତ କଷ୍ଟକର ହୋଇଯିବ। ଆମେରିକା ଏବଂ ଇସ୍ରାଏଲକୁ ଯୁଦ୍ଧ କରିବା ପାଇଁ ସେମାନଙ୍କ ସେନାଙ୍କୁ ଲକ୍ଷ ଲକ୍ଷ କିଲୋମିଟର ଯାତ୍ରା କରିବାକୁ ପଡିବ। ଯେତେବେଳେ ଇରାନୀ ସେନାଙ୍କୁ କୌଣସି ସ୍ଥାନକୁ ଯିବାକୁ ପଡିବ ନାହିଁ। ସମଗ୍ର ସେନା ଦେଶର ବିଭିନ୍ନ ସ୍ଥାନରେ ନିୟୋଜିତ ଥିବେ। ସେଇଥିପାଇଁ ତ ଦୋଛକିରେ ଆମେରିକା ଏବଂ ଇସ୍ରାଏଲ। ହାର ମାନୁନି ଇରାନ। ବୈଦେଶିକ ମନ୍ତ୍ରୀ ଆରାଘଚି କହିଛନ୍ତି ଯେ କେବଳ ଆକାଶ ମାର୍ଗରୁ ବୋମା ପକାଇ ତେହେରାନକୁ ଆଘାତ ଦେଇପାର କିନ୍ତୁ ଦେଶରେ ଶାସନ ପରିବର୍ତ୍ତନ କରିପାରିବ ନାହିଁ। ସୈନ୍ୟ ନିୟୋଜିତ କରି ସରକାର ପରିବର୍ତ୍ତନ କରିବା ଦିବାସ୍ୱପ୍ନ।

ଆରମ୍ଭ ସେଇଆ ହି କରିଚାଲୁଛି ଇରାନ। ସଂଘର୍ଷରେ ସବୁଠୁ କ୍ଷତି ସହିଛି ଆମେରିକା। ଆର୍ଥିକ ବୋଝ ମଧ୍ୟ ବୃଦ୍ଧି ପାଇଛି। ପ୍ରଥମ ସପ୍ତାହର ସଂଘର୍ଷରେ ପ୍ରାୟ 11.3 ବିଲିୟନ ଡଲାର ଖର୍ଚ୍ଚ କରିଛି ପେଣ୍ଟାଗନ। ଏପରିକି ଆକ୍ରମଣର ପ୍ରଥମ ଦୁଇ ଦିନରେ ପ୍ରାୟ 5.3 ବିଲିୟନ ଡଲାର ଖର୍ଚ୍ଚ ହୋଇଥିଲା। ଏପର୍ଯ୍ୟନ୍ତ ଅତିକମ୍ରେ ନିଜର ୧୬ ସାମରିକ ବିମାନ ହରାଇଛି । ଏଥିରେ ୧୨ ଡ୍ରୋନ୍ ଓ ୪ ବିମାନ ରହିଛି । ଗୋଟିଏ ଏଫ୍୩୫ ଫାଇଟର ଜେଟ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଇରାନ ଖୁବ୍ଶୀଘ୍ର ମାଟି କାମୁଡ଼ିବ ବୋଲି ଟ୍ରମ୍ପ୍ ଦାବି କରିଥିଲେ। କିନ୍ତୁ ଏହା ଫମ୍ପା ଆବାଜ ପରି ରହିଛି। ବିଶେଷଜ୍ଞଙ୍କ ଚେତାବନୀ ଯୁଦ୍ଧ ଲମ୍ବିଲେ, ଆମେରିକାକୁ ଆହୁରି ଅଧିକ ବିମାନ ଓ ସୈନ୍ୟ ହରାଇବାକୁ ପଡ଼ିବ।

ଯୁଦ୍ଧରେ ଆଗେଇବାକୁ ହେଲେ ଟେକ୍ନୋଲୋଜିରେ ନୁହେଁ ବରଂ ଟେକନିକ ଆପଣାଇବାକୁ ପଡେ, ଯାହାକୁ ଭଲଭାବେ ପରଖିଛି ଇରାନ। ଏଭଳି ସ୍ଥିତିରେ ଇରାନ ପାଇଁ ମୋଜାଇକ୍ ଷ୍ଟ୍ରାଟେଜି ଅଦ୍ଭୁତ । ବିଶ୍ୱ ଏବେ ଚାତକ ପରି ଚାହିଁ ରହିଛି। ମୋଜାଇକ ଶକ୍ତିକୁ ପରାସ୍ତ କରିବାରେ ଆମେରିକା ସଫଳ ହେବ କି ନାହିଁ।