ନୂଆଦିଲ୍ଲୀ: ଇରାନ ଓ ୟେମେନ ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁପ୍ତ ବୈଠକ କରିଛନ୍ତି । ଏହି ବୈଠକରେ ଦେଶର ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ଅନ୍ୟ ଶୀର୍ଷ ଆମେରିକୀୟ ଅଧିକାରୀ ଉପସ୍ଥିତ ଥିଲେ ।  ଏହି ବୈଠକରେ ମଧ୍ୟପ୍ରାଚ୍ୟର ବର୍ତ୍ତମାନର ସ୍ଥିତି, ବିଶେଷ କରି ଇରାନ ଏବଂ ୟେମେନ ସଙ୍କଟ ସମ୍ପର୍କରେ ଆଲୋଚନା ହୋଇଥିବା କୁହାଯାଉଛି । ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍, ହ୍ୱାଇଟ୍ ହାଉସ୍ ପ୍ରତିନିଧି ଷ୍ଟିଭ୍ ୱିଟକଫ୍, ସିଆଇଏ (CIA) ନିର୍ଦ୍ଦେଶକ ଜନ୍ ରୋଟକ୍ଲିଫ୍ ଏବଂ ଜଏଣ୍ଟ ଚିଫ୍ସ ଅଫ୍ ଷ୍ଟାଫ୍ ଚେୟାରମ୍ୟାନ୍ ଜେନେରାଲ ଡାନ୍ କେନ୍‌ଙ୍କ ଭଳି ଶୀର୍ଷ ଜାତୀୟ ସୁରକ୍ଷା ଆଧିକାରୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ।

 ଆକ୍ସିଓସ୍ (Axios) ରିପୋର୍ଟ ଅନୁଯାୟୀ, ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ହ୍ୱାଇଟ୍ ହାଉସ୍ ଏହି ବିଷୟରେ କୌଣସି ସୂଚନା ଦେବାକୁ ମନା କରିଦେଇଛି। ଅନ୍ୟପଟେ, ମଧ୍ୟପ୍ରାଚ୍ୟରେ ଆମେରିକା ନିଜର ସାମରିକ ଉପସ୍ଥିତିକୁ ବହୁ ପରିମାଣରେ ବୃଦ୍ଧି କରିବାକୁ ଯୋଜନା କରୁଛି। ୱାଶିଂଟନ୍ ପୋଷ୍ଟର ରିପୋର୍ଟ ଅନୁଯାୟୀ, ଆମେରିକୀୟ ସେନା ତିନୋଟି ଏୟାରକ୍ରାଫ୍ଟ କ୍ୟାରିଅର୍, ଯୁଦ୍ଧପୋତ, ୧୫୦ଟି ଯୁଦ୍ଧ ବିମାନ ଏବଂ ରକେଟ୍ ଆକ୍ରମଣ ପ୍ରତିରୋଧୀ ବିଧ୍ୱଂସକ ପୋତ ମୁତୟନ କରିବାକୁ ବିଚାର କରୁଛି। 

ଏହା ସହିତ ସେଠାରେ ପୂର୍ବରୁ ମୁତୟନ ଥିବା ୫୦,୦୦୦ ସୈନ୍ୟଙ୍କ ବ୍ୟତୀତ ଅତିରିକ୍ତ ୨୦,୦୦୦ ଆମେରିକୀୟ ସୈନ୍ୟ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି । ଏହାଦ୍ୱାରା ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରାଯାଇପାରିବ।

ସେହିପରି ଲୋହିତ ସାଗରରେ ଜାହାଜ ଚଳାଚଳ ସୁରକ୍ଷିତ କରିବା ପାଇଁ ସାଉଦି ଆରବ ମଧ୍ୟ ୟେମେନର ହୁତି ବିଦ୍ରୋହୀଙ୍କ ବିରୋଧରେ ଏକ ବଡ଼ ସାମରିକ ଅଭିଯାନ ଆରମ୍ଭ କରିବାକୁ ଯୋଜନା କରୁଛି। ରଏଟର୍ସ ଏବଂ ଆକ୍ସିଓସର ରିପୋର୍ଟ ଅନୁସାରେ, ସାଉଦି ଆରବ ସହାୟତାରେ ୟେମେନ ସେନା ଉପକୂଳବର୍ତ୍ତୀ ଅଞ୍ଚଳ, ବିଶେଷ କରି 'ବାବ୍ ଅଲ୍-ମାଣ୍ଡେବ' ପ୍ରଣାଳୀରୁ ହୁତି ସଂଗଠନକୁ ହଟାଇବା ପାଇଁ ଶୀଘ୍ର ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କରିବ।