ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ପୁଣି ଘନେଇଲାଣି ଯୁଦ୍ଧର କଳାବାଦଲ। ଯେକୌଣସି ମୁହୂର୍ତ୍ତରେ ଇରାନ ଉପରେ ପୁଣି ଏକ ବଡ଼ ଧରଣର ସାମରିକ ଆକ୍ରମଣ କରିପାରେ ଆମେରିକା। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ପୁଅର ବାହାଘର ଉତ୍ସବ ଗସ୍ତକୁ ବାତିଲ୍ କରି ସିଧା ହ୍ୱାଇଟ୍ ହାଉସ୍ ଫେରିଛନ୍ତି। ଗୋଟିଏ ପଟେ ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ଚାଲିଥିବା ବେଳେ ଅନ୍ୟପଟେ ଆମେରିକୀୟ ସେନାକୁ ପୂରା ଆଲର୍ଟରେ ରଖାଯାଇଛି।

ଆମେରିକା ଏବଂ ଇରାନ ମଧ୍ୟରେ ଏପ୍ରିଲ୍ ଆରମ୍ଭରୁ ଲାଗୁ ହୋଇଥିବା ଅସ୍ଥାୟୀ ଯୁଦ୍ଧବିରତି ଏବେ ଭାଙ୍ଗିବା ଉପରେ। ଟ୍ରମ୍ପ ପ୍ରଶାସନ ଇରାନ ଉପରେ ଏକ ନୂଆ ସାମରିକ ଆକ୍ରମଣ ପାଇଁ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରୁଛି। ସମ୍ଭାବ୍ୟ ଯୁଦ୍ଧକୁ ଦୃଷ୍ଟିରେ ରଖି ଆମେରିକୀୟ ସେନା ଏବଂ ଗୁଇନ୍ଦା ବିଭାଗର ଅଧିକାରୀମାନେ ନିଜର 'ମେମୋରିଆଲ୍ ଡେ' ଛୁଟିକୁ ବାତିଲ୍ କରିଦେଇଛନ୍ତି। ମଧ୍ୟପ୍ରାଚ୍ୟରେ ମୁତୟନ ଥିବା ସୈନ୍ୟମାନଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଉଛି। ଯାହାଦ୍ୱାରା ଇରାନର କୌଣସି ପାଲଟା ଆକ୍ରମଣରୁ ବର୍ତ୍ତିହେବ।

ଆମେରିକାର ପ୍ରସ୍ତୁତି କେତେ ଜୋରଦାର ଚାଲିଛି, ତାହା ଟ୍ରମ୍ପଙ୍କ ଗୋଟିଏ ନିଷ୍ପତ୍ତିରୁ ବାରି ହୋଇପଡ଼ୁଛି। ସରକାରୀ ଜରୁରୀକାଳୀନ ସ୍ଥିତି ଦର୍ଶାଇ ଟ୍ରମ୍ପ ଚଳିତ ସପ୍ତାହରେ ହେବାକୁ ଥିବା ନିଜ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିୟରଙ୍କ ବିବାହ ଉତ୍ସବରେ ଯୋଗ ଦେଉନାହାଁନ୍ତି। ହ୍ୱାଇଟ୍ ହାଉସ୍ ମୁଖପାତ୍ର ସ୍ପଷ୍ଟ କରିଛନ୍ତି ଯେ, ଇରାନ କେବେ ବି ପରମାଣୁ ଅସ୍ତ୍ର କିମ୍ବା ସମୃଦ୍ଧ ୟୁରାନିୟମ୍ ରଖିପାରିବ ନାହିଁ ବୋଲି କହିବା ପରେ ରେଡ ଲାଇନରେ ଟ୍ରମ୍ପ। ୱାଶିଂଟନ୍ ପକ୍ଷରୁ ଇରାନକୁ ବୁଧବାର ଦିନ ଏକ 'ଅନ୍ତିମ ଅଫର୍' ଦିଆଯାଇଛି। ଯାହାକୁ ଅଗ୍ରାହ୍ୟ କଲେ ଆକ୍ରମଣ ନିଶ୍ଚିତ ବୋଲି ଚେତାବନୀ ଦିଆଯାଇଛି।

ଅନ୍ୟପକ୍ଷରେ ଆମେରିକାର ଏହି ପ୍ରସ୍ତୁତି ଉପରେ କଡ଼ା ପ୍ରତିକ୍ରିୟା ରଖିଛି ଇରାନ। ଇରାନର ଇସ୍ଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ ଚେତାବନୀ ଦେଇଛି ଯେ, ଯଦି ଆମେରିକା କିମ୍ବା ଇସ୍ରାଏଲ୍ ପୁଣି ଥରେ ଆକ୍ରମଣ କରନ୍ତି, ତେବେ ଏହାର ପରିଣାମ ଭୟଙ୍କର ହେବ। ଆମେରିକା କେବେ କଳ୍ପନା କରିନଥିବା ସ୍ଥାନମାନଙ୍କରେ ମୁହଁତୋଡ୍ ଜବାବ ଦିଆଯିବ ବୋଲି କହିଛି IRGC।

ବର୍ତ୍ତମାନ ତେହେରାନ ଆମେରିକାର ସେହି ପ୍ରସ୍ତାବ ଉପରେ ସମୀକ୍ଷା କରୁଛି। ନିଜେ ଟ୍ରମ୍ପ ମଧ୍ୟ କହିଛନ୍ତି ଯେ, "ଇରାନ ଏକ ଚୁକ୍ତି କରିବାକୁ ବ୍ୟାକୁଳ ଅଛି, ଦେଖାଯାଉ ଆଗକୁ କଣ ହେଉଛି।"

ଏହି ସଙ୍କଟ ସମୟରେ ପାକିସ୍ତାନ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରୁଛି। ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଭାରତ ଗସ୍ତ ପୂର୍ବରୁ କହିଛନ୍ତି ଯେ, ପାକିସ୍ତାନର ଫିଲ୍ଡ ମାର୍ଶଲଙ୍କ ଜରିଆରେ ଇରାନର ଉତ୍ତର ଆସିବାର ସମ୍ଭାବନା ରହିଛି। ଟ୍ରମ୍ପ ସାମରିକ ଆକ୍ରମଣ ବଦଳରେ କୂଟନୈତିକ ସମାଧାନକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି। ଯଦି ଇରାନ ଅମାନିଆ ହୁଏ, ନାଟୋ ସହ ମିଶି ହର୍ମୁଜ ଜଳପଥ ଖୋଲିବା ପାଇଁ ଆମେରିକା ନିଜର 'ପ୍ଲାନ୍-ବି' ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖିଛି।