ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଦେଶର ବିଭିନ୍ନ ସ୍ଥାନର ନାମ ବଦଳାଇବା ଅଭିଯାନ ଆରମ୍ଭ କରିଛନ୍ତି। ଗଲ୍ଫ ଅଫ୍ ମେକ୍ସିକୋ ଏବଂ ଲେକ୍ ଓଣ୍ଟାରିଓ ପରେ, ଏବେ ସେ 'ନ୍ୟୁ ମେକ୍ସିକୋ' ରାଜ୍ୟର ନାମ ବଦଳାଇ 'ନ୍ୟୁ ଆମେରିକା' ରଖିବାକୁ ପ୍ରସ୍ତାବ ଦେଇଛନ୍ତି।

ଟ୍ରମ୍ପ ନିଜର ସୋସିଆଲ୍ ମିଡିଆ ପ୍ଲାଟଫର୍ମ 'Truth Social' ରେ ନ୍ୟୁ ମେକ୍ସିକୋର ଏକ ମାନଚିତ୍ର ସେୟାର କରିଥିଲେ, ଯେଉଁଥିରେ "Mexico" ଶବ୍ଦକୁ କାଟି ସେଠାରେ "America" ଲେଖାଯାଇଥିଲା। ପରେ ହ୍ୱାଇଟ୍ ହାଉସ୍ ମଧ୍ୟ ଏହାକୁ 'X' (ପୂର୍ବରୁ ଟ୍ୱିଟର) ରେ ପୋଷ୍ଟ କରିଥିଲା। ଟ୍ରମ୍ପ ଲେଖିଥିଲେ ଯେ, ଏହି ନାମଟି ଏହି ରାଜ୍ୟର ଲୋକଙ୍କ ପାଇଁ ଅଧିକ ଗୌରବପୂର୍ଣ୍ଣ ଏବଂ ସୁନ୍ଦର ହେବ।

ଏହାକୁ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ। କୌଣସି ଆମେରିକୀୟ ରାଷ୍ଟ୍ରପତି କେବଳ ଏକ କାର୍ଯ୍ୟନିର୍ବାହୀ ଆଦେଶ କିମ୍ବା ସୋସିଆଲ୍ ମିଡିଆ ପୋଷ୍ଟ ଜରିଆରେ କୌଣସି ରାଜ୍ୟର ଆଇନଗତ ନାମ ବଦଳାଇ ପାରିବେ ନାହିଁ।

ନ୍ୟୁ ମେକ୍ସିକୋର ଗଭର୍ଣ୍ଣର ମିସେଲ୍ ଲୁଜାନ୍ ଗ୍ରିସାମ୍ ଏହି ପ୍ରସ୍ତାବକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି,‘ଆମ ରାଜ୍ୟର ନାମ ଆଲୋଚନାର ବିଷୟ ନୁହେଁ । ଆମେରିକା ସୃଷ୍ଟି ହେବା ପୂର୍ବରୁ ଏହି ନାମ ରହିଛି।’ ଇରାନ ସହ ଚାଲିଥିବା ଯୁଦ୍ଧ ଏବଂ ବୃଦ୍ଧି ପାଉଥିବା ପେଟ୍ରୋଲ୍-ଡିଜେଲ୍ ଦର ଭଳି ମୁଖ୍ୟ ସମସ୍ୟାରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଟ୍ରମ୍ପ ଏଭଳି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ଏହା ପୂର୍ବରୁ ଟ୍ରମ୍ପ 'ଗଲ୍ଫ ଅଫ୍ ମେକ୍ସିକୋ'କୁ 'ଗଲ୍ଫ ଅଫ୍ ଆମେରିକା' ଏବଂ 'ଲେକ୍ ଓଣ୍ଟାରିଓ'କୁ 'ଲେକ୍ ଆମେରିକା' ନାମରେ ସରକାରୀ ସ୍ତରରେ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇସାରିଛନ୍ତି।