ନୂଆଦିଲ୍ଲୀ: ୟୁକ୍ରେନ୍‌କୁ ଆମେରିକାର ପାଟ୍ରିଅଟ୍ (Patriot) ପ୍ରତିରକ୍ଷା ମିସାଇଲ୍ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ କରିବା ପାଇଁ ଲାଇସେନ୍ସ ପ୍ରଦାନ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ 'ଚୂଡ଼ାନ୍ତ ନିଷ୍ପତ୍ତି' ନେଇଛନ୍ତି। ଶୁକ୍ରବାର ଦିନ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏହି ସୂଚନା ଦେଇଛନ୍ତି। ରୁଷର ବାଲିଷ୍ଟିକ୍ ମିସାଇଲ ଆକ୍ରମଣକୁ ପ୍ରତିହତ କରିବାରେ ପାଟ୍ରିଅଟ୍ ସିଷ୍ଟମ୍ ସବୁଠାରୁ ନିର୍ଭରଯୋଗ୍ୟ ହୋଇଥିବା ବେଳେ, ବର୍ତ୍ତମାନ ୟୁକ୍ରେନ୍ ନିକଟରେ ଏହାର ଘୋର ଅଭାବ ଦେଖାଦେଇଛି। 

ଟ୍ରମ୍ପଙ୍କ ସହ ନିକଟରେ ହୋଇଥିବା ଆଲୋଚନା ସମ୍ପର୍କରେ ଜେଲେନସ୍କି ସାମ୍ବାଦିକମାନଙ୍କୁ ଜଣାଇଛନ୍ତି ଯେ, ଏହି ନିଷ୍ପତ୍ତି ଚୂଡ଼ାନ୍ତ ଏବଂ ୟୁକ୍ରେନକୁ ଏହାର ଉତ୍ପାଦନ ଲାଇସେନ୍ସ ମିଳିବ ବୋଲି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି। ପୂର୍ବରୁ ଏହି ପ୍ରସ୍ତାବ ଉପରେ ଟ୍ରମ୍ପ ଦ୍ୱିଧା ପ୍ରକାଶ କରିଥିଲେ। ଗତ ଜୁଲାଇ ମାସରେ ସେ ଏହି ନିଷ୍ପତ୍ତିକୁ ଏକ ଭଲ ବିଚାର ବୋଲି କହିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସତର୍କତାର ସହ ଆଗେଇବାକୁ ମତ ଦେଇଥିଲେ। ଚଳିତ ବର୍ଷ ଫେବୃଆରୀ ମାସରେ ଆମେରିକା ଏବଂ ଇସ୍ରାଏଲ୍‌ର ଇରାନ ସହ ସଂଘର୍ଷ ଯୋଗୁଁ ଆମେରିକାର ପାଟ୍ରିଅଟ୍ ମିସାଇଲ ଯୋଗାଣ ସ୍ଥାନାନ୍ତରିତ ହୋଇଥିଲା, ଫଳରେ ୟୁକ୍ରେନ୍‌ରେ ଏହାର ଅଭାବ ଦେଖାଦେଇଥିଲା। 

ସେପଟେ ଲାଇସେନ୍ସ ମିଳିବା ସତ୍ତ୍ୱେ, ୟୁକ୍ରେନ୍‌ରେ ଏହି ମିସାଇଲ୍ ନିର୍ମାଣ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ଅଧିକ ସମୟ ଲାଗିଯିବ। ତେଣୁ ଏହା ୟୁକ୍ରେନ୍‌ର ସଦ୍ୟତମ ସୁରକ୍ଷା ଆବଶ୍ୟକତାକୁ ତୁରନ୍ତ ପୂରଣ କରିପାରିବ ନାହିଁ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ଶୀତଦିନ ପାଖେଇ ଆସୁଥିବାରୁ ରୁଷ ପୁଣିଥରେ ୟୁକ୍ରେନ୍‌ର ଶକ୍ତି ଭିତ୍ତିଭୂମି ଉପରେ ବଡ଼ ଧରଣର ଆକ୍ରମଣ କରିପାରେ ବୋଲି ଆଶଙ୍କା  କରି କିଭ୍ (Kyiv) ତୁରନ୍ତ ସାହାଯ୍ୟ ପାଇଁ ନିବେଦନ କରିଛି। 

ଜେଲେନସ୍କି ଗତ ମାସରେ ପ୍ରକାଶ କରିଥିଲେ ଯେ, ଶୀତଦିନେ ନିଜକୁ ସୁରକ୍ଷିତ ରଖିବା ପାଇଁ ୟୁକ୍ରେନ୍‌କୁ ଆମେରିକାର ପାଟ୍ରିଅଟ୍ ମିସାଇଲର ଆବଶ୍ୟକତା ରହିଛି । ରୁଷୀୟ ମିସାଇଲକୁ ଖସାଇବା ପାଇଁ ଏହା ଜରୁରୀ । ଏହି ଲାଇସେନ୍ସ ଚୁକ୍ତି ବ୍ୟତୀତ, ବୈଦେଶିକ ଯୋଗାଣ ଉପରେ ନିର୍ଭରଶୀଳତା କମାଇବା ପାଇଁ ୟୁକ୍ରେନ୍ ନିଜସ୍ୱ 'ଫ୍ରେୟା' ନାମକ ଆଣ୍ଟି-ବାଲିଷ୍ଟିକ୍ ମିସାଇଲ ପ୍ରଯୁକ୍ତିବିଦ୍ୟା ମଧ୍ୟ ବିକଶିତ କରୁଛି।