ନୂଆଦିଲ୍ଲୀ ୨୫।୦୯: ଘରେ ଥିଲେ ବାପା, କିନ୍ତୁ ପିଲାମାନଙ୍କ ପାଇଁ ସେ ଥିଲେ ମୃତ। ପିଲାଙ୍କ କଥା ଶୁଣିପାରୁଥିଲେ, କିନ୍ତୁ ପାଖକୁ ଯାଇ କଥା ହୋଇପାରୁନଥିଲେ…ଏହା କୌଣସି ଫିଲ୍ମର କାହାଣୀ ନୁହେଁ।ସିରିଆର ମହମ୍ମଦ ଜକୌରଙ୍କ ଜୀବନର ଏକ ଅବିଶ୍ୱସନୀୟ ଅଧ୍ୟାୟ। ଅସଦ୍ ଶାସନର ସୁରକ୍ଷା ବାହିନୀଠାରୁ ବଞ୍ଚିବା ପାଇଁ ଜକୌର ନିଜ ଘରର କାନ୍ଥ ପଛରେ ତିଆରି କରିଥିଲେ ଏକ ଛୋଟ ଗୁପ୍ତ ଜାଗା। ସେଠାରେ ସେ ଗୋଟିଏ ବର୍ଷ କିମ୍ବା ଦୁଇ ବର୍ଷ ନୁହେଁ,୧୩ ବର୍ଷରୁ ଅଧିକ ସମୟଲୁଚି ରହିଥିବା ଦାବି କରିଛନ୍ତି।

ସିରିଆର ଲାଟାକିଆ ପ୍ରଦେଶର ମହମ୍ମଦ ଜକୌରଙ୍କ କାହାଣୀ ଏବେ ଚର୍ଚ୍ଚାରେ। ଅସଦ୍ ଶାସନର ସୁରକ୍ଷା ବାହିନୀଠାରୁ ଗିରଫଦାରୀରୁ ବଞ୍ଚିବା ପାଇଁ ସେ ୧୩ ବର୍ଷରୁ ଅଧିକ ସମୟ ନିଜ ଘରର ଏକ କାନ୍ଥ ଭିତରେ ତିଆରି ହୋଇଥିବା ଅତି ଛୋଟ ଜାଗାରେ ଲୁଚି ରହିଥିଲେ। ଜକୌରଙ୍କ କହିବା ଅନୁସାରେ, ୨୦୧୧ରେ ସିରିଆରେ ବିଦ୍ରୋହ ଆରମ୍ଭ ହେବା ପରେ ସେ ଅସଦ୍ ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଥିଲେ। ପରେ ତାଙ୍କୁ ସିରିଆର ପଲିଟିକାଲ୍ ସିକ୍ୟୁରିଟି ବାହିନୀ ଗିରଫ କରିଥିଲା। ପ୍ରାୟ ୩ ମାସ ଧରି ଜେଲ୍ରେ ରହିବା ସମୟରେ ତାଙ୍କୁ ନିର୍ଯାତନା ଦିଆଯାଇଥିବା ଏବଂ ଅନ୍ୟ କଏଦୀଙ୍କ ମୃତ୍ୟୁ ଦେଖିଥିବା ସେ ଦାବି କରିଛନ୍ତି।

ଜେଲ୍ରୁ ବାହାରିବା ପରେ ମଧ୍ୟ ବିପଦ ଟଳିନଥିଲା। ସୁରକ୍ଷା ବାହିନୀ ତାଙ୍କୁ ଖୋଜୁଥିଲା। ସେ ନିଜର ବିଭିନ୍ନ ପରିଚିତ ଲୋକଙ୍କ ଘରେ ଲୁଚି ରହିଥିଲେ। କିନ୍ତୁ ତାଙ୍କୁ ଆଶ୍ରୟ ଦେଉଥିବା ଲୋକଙ୍କ ପାଇଁ ମଧ୍ୟ ବିପଦ ବଢ଼ିବାରୁ ସେ ନିଜର ଘରକୁ ଗୁପ୍ତ ଆଶ୍ରୟସ୍ଥଳ କରିଦେଇଥିଲେ। ଘରର କାନ୍ଥରେ ପ୍ରାୟ ୧୦୦ଟି କଂକ୍ରିଟ୍ ବ୍ଲକ୍ ବ୍ୟବହାର କରି ଏକ ଗୁପ୍ତ ସ୍ଥାନ ତିଆରି କରିଥିଲେ। ଏହି ସ୍ଥାନର ଚଉଡ଼ା ପ୍ରାୟ ୧ ମିଟର ଏବଂ ଉଚ୍ଚତା ପ୍ରାୟ ୩ ମିଟର ବୋଲି ରିପୋର୍ଟରେ କୁହାଯାଇଛି।

ପତ୍ନୀ ଥିଲେ ଏକମାତ୍ର ଭରସା

ଜକୌରଙ୍କ ପତ୍ନୀ ହିଁ ତାଙ୍କ ଜୀବିତ ଥିବା କଥା ଜାଣିଥିଲେ। କାନ୍ଥର ଏକ ଛୋଟ ଖୋଲା ସ୍ଥାନ ଦେଇ ସେ ତାଙ୍କୁ ଖାଦ୍ୟ, ପାଣି, ପୋଷାକ ଓ ଔଷଧ ଦେଉଥିଲେ। ଅନ୍ୟପଟେ ଜକୌର ଘର ଭିତରେ ନିଜ ପିଲାମାନଙ୍କ ଶବ୍ଦ ଶୁଣିପାରୁଥିଲେ, କିନ୍ତୁ ସେମାନଙ୍କ ସାମ୍ନାକୁ ଆସିପାରୁନଥିଲେ। ତାଙ୍କ ୫ ପିଲାଙ୍କୁ ବାପା ମରିଯାଇଥିବା କୁହାଯାଇଥିଲା, ଯାହାଦ୍ୱାରା ପିଲାମାନଙ୍କ ଅଜାଣତରେ କୌଣସି କଥା ବାହାରକୁ ଯାଇ ଜକୌରଙ୍କ ଠିକଣା ବିଷୟରେ ଯେପରି ସୁରକ୍ଷା ବାହିନୀ ଜାଣିନପାରିବ। ତାଙ୍କ ଭାଇ ତୁର୍କୀରେ ରହୁଥିବାରୁ ସେ ଜକୌରଙ୍କ ପାଇଁ ଶୋକସଭା ମଧ୍ୟ କରିଥିବା ରିପୋର୍ଟ ହୋଇଛି। ୮ ଡିସେମ୍ବର ୨୦୨୪ରେ ବିଦ୍ରୋହୀମାନେ ଦାମାସ୍କସ୍ରେ ପ୍ରବେଶ କରିବା ଏବଂ ଅସଦ୍ ସିରିଆ ଛାଡ଼ିବା ପରେ ଜକୌର ଜାଣିପାରିଥିଲେ ଯେ ଯେଉଁ ଶାସନର ଭୟରେ ସେ ଲୁଚିଥିଲେ, ତାହାର ଶେଷ ହୋଇଛି। ଏହାପରେ ସେ କାନ୍ଥ ଭିତରେ ଥିବା ଏହି ଗୁପ୍ତ ସ୍ଥାନରୁ ବାହାରିଥିଲେ ଏବଂ ପରିବାର ସାମ୍ନାରେ ଜୀବିତ ଅବସ୍ଥାରେ ଆସିଥିଲେ।