ଓଟ୍ଟାୱା: ଆମେରିକା ସରକାର କେଉଁ ମୁହୂର୍ତ୍ତରେ ବି କାନାଡ଼ା ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି। ଏଥିପାଇଁ କାନାଡ଼ା ସରକାର ବିଚାର କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମାର୍କ କାର୍ନି କହିବା ପରେ ଦୁଇ ଦେଶ ମଧ୍ୟରେ ସମ୍ଭାବ୍ୟ ସାମରିକ ସଂଘର୍ଷର ଏକ ଅସାଧାରଣ ପରିସ୍ଥିତି ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଆମେରିକା ଓ କାନାଡା ମଧ୍ୟରେ ପ୍ରାୟ ୮,୯୦୦ କିଲୋମିଟର ଲମ୍ବା ସୀମା ରହିଛି। ଦଶନ୍ଧି ଧରି ଉଭୟ ଦେଶ ଉତ୍ତର ଆମେରିକାର ପ୍ରତିରକ୍ଷା କ୍ଷେତ୍ରରେ ମିଳିତ ଭାବେ କାମ କରିଆସୁଛନ୍ତି। ଉଭୟ ଦେଶର ସେନା NORAD (North American Aerospace Defense Command) ମାଧ୍ୟମରେ ଏକାଠି କାମ କରେ। ଏହି ଦ୍ୱିପାକ୍ଷିକ କମାଣ୍ଡ ଉତ୍ତର ଆମେରିକାର ଆକାଶସୀମା ଓ ସାମୁଦ୍ରିକ ପ୍ରବେଶପଥର ନିରୀକ୍ଷଣ ଓ ସୁରକ୍ଷା ଦାୟିତ୍ୱ ନିଏ। ସାମରିକ କ୍ଷେତ୍ରରେ ଏତେ ଘନିଷ୍ଠତା ସତ୍ତ୍ୱେ ପରସ୍ପର ଉପରେ ଆକ୍ରମଣର ସମ୍ଭାବନା ସୃଷ୍ଟି ହେବା ଆମେରିକାର ଚରିତ୍ର ଉପରେ ସାରା ବିଶ୍ୱର ସନ୍ଦେହ ବଢ଼ାଇଛି। ତେବେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଟାନ ସମ୍ଭାବନା କ୍ଷୀଣ, ତଥାପି ଏଥିପାଇଁ ପ୍ରସ୍ତୁତି କରିବା ତାଙ୍କ ସରକାରଙ୍କର ଦାୟିତ୍ୱ ଥିଲା ବୋଲି କାର୍ନି କହିଛନ୍ତି।

ତେବେ ୱାଶିଂଟନ୍ ଓ ଓଟାୱା ମଧ୍ୟରେ ବାଣିଜ୍ୟିକ ବିବାଦ ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାନାଡାକୁ “୫୧ତମ ରାଜ୍ୟ” କରିବା ସମ୍ପର୍କିତ ବାରମ୍ବାର ମନ୍ତବ୍ୟ ଯୋଗୁ ଦୁଇ ଦେଶ ମଧ୍ୟରେ ଚାପ ସୃଷ୍ଟି କରିଛି। କାନାଡ଼ାକୁ କେଉଁ ମୁହୂର୍ତ୍ତରେ ବି ଆମେରିକାର ରାଜ୍ୟ କରିବାକୁ ଇଚ୍ଛୁକ ବୋଲି ଟ୍ରମ୍ପ କହି ଆସୁଛନ୍ତି। ତେଣୁ ଏସବୁକୁ ନେଇ ଉଭୟ ଦେଶ ମଧ୍ୟରେ ବିବାଦ ଲାଗି ରହିଛି। ତେବେ ଯଦି ଦୁଇ ଦେଶ ମଧ୍ୟରେ ଯୁଦ୍ଧ କାହାର ସାମରିକ ଶକ୍ତି କେତେ ଆସନ୍ତୁ ଜାଣିବା।

ଆମେରିକା-କାନାଡା: ପ୍ରତିରକ୍ଷା ବଜେଟ୍‌ରେ ବଡ଼ ତଫାତ

ଆମେରିକାର ପ୍ରତିରକ୍ଷା ବଜେଟ୍ କାନାଡା ତୁଳନାରେ ବହୁଗୁଣ ଅଧିକ। ୨୦୨୫ରେ ଆମେରିକାର ପ୍ରତିରକ୍ଷା ବଜେଟ୍ ପ୍ରାୟ ୮୯୫ ବିଲିୟନ ଡଲାର ଥିଲା। ୨୦୨୬ରେ ଏହା ପ୍ରାୟ ୧ ଟ୍ରିଲିୟନ ଡଲାର ନିକଟରେ ରହିଥିବା ବେଳେ, ୨୦୨୭ ପାଇଁ ଆମେରିକା ସରକାର ପ୍ରାୟ ୧.୪୫ ଟ୍ରିଲିୟନ ଡଲାରର ସମୁଦାୟ ପ୍ରତିରକ୍ଷା ସମ୍ବଳ ପାଇଁ ଆଶା ରଖିଛନ୍ତି।

ଅନ୍ୟପକ୍ଷରେ, କାନାଡା ୨୦୨୫-୨୬ ପାଇଁ ପ୍ରାୟ ୨୫ ବିଲିୟନ ଡଲାର ଏବଂ ୨୦୨୬-୨୭ ପାଇଁ ପ୍ରାୟ ୩୭ ବିଲିୟନ ଡଲାର ପ୍ରତିରକ୍ଷା ଖର୍ଚ୍ଚର ଯୋଜନା କରିଛି।

Also Read- ଜାତିସଂଘରେ ବର୍ଷିଲେ ନେତାନ୍ୟାହୁ: ଇରାନ, କତାର, ତୁର୍କୀ ଓ ସିରିଆକୁ ଟାର୍ଗେଟ୍, କକ୍ଷ ତ୍ୟାଗ କଲେ ବିରୋଧୀ

ସେନା ସଂଖ୍ୟାରେ ମଧ୍ୟ ଉଭୟ ଦେଶ ମଧ୍ୟରେ ବଡ଼ ତଫାତ ରହିଛି। ଆମେରିକାର ୨୦୨୭ ଯୋଜନାରେ ପ୍ରାୟ ୧୩.୪ ଲକ୍ଷ ସକ୍ରିୟ ସାମରିକ କର୍ମଚାରୀ ରହିବାର ବ୍ୟବସ୍ଥା ଅଛି। କାନାଡାର ନିୟମିତ ସେନାରେ ନିକଟତମ ଅଧିକାରିକ ତଥ୍ୟ ଅନୁସାରେ ପ୍ରାୟ ୬୮,୪୭୩ ଜଣ ଅଛନ୍ତି। କାନାଡା ମଧ୍ୟ ନିଜ ସାମରିକ ଶକ୍ତି ବଢ଼ାଇବା ପାଇଁ ନିଯୁକ୍ତି ପ୍ରକ୍ରିୟା ବଢ଼ାଉଛି।

ଟ୍ୟାଙ୍କ ଓ ସ୍ଥଳସେନା

ସ୍ଥଳସେନାରେ ମଧ୍ୟ ଆମେରିକାର ଆକାର ଅଧିକ ବଡ଼। ଆମେରିକା ସେନା ଏମ୧ ଆବ୍ରାମ୍ସ(M1 Abrams) ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ ଏବଂ ବ୍ରାଡଲେ (Bradley) ଫାଇଟିଂ ଭେହିକଲ୍ ବ୍ୟବହାର କରେ।

କାନାଡାର ସାମରିକ ବାହିନୀରେ ଲେପର୍ଡ-୨ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ ରହିଛି।

ସେହିପରି ବାୟୁସାମରିକ ଶକ୍ତିରେ ମଧ୍ୟ ଆମେରିକା ଓ କାନାଡା ମଧ୍ୟରେ ବଡ଼ ତଫାତ ଦେଖାଯାଏ। ଆମେରିକା ପାଖରେ F-35A, F-22, F-15 ଓ F-16 ଭଳି ଅତ୍ୟାଧୁନିକ ଯୁଦ୍ଧବିମାନ ରହିଛି। ଏହା ସହିତ ଆମେରିକା ପାଖରେ B-1B, B-2 ଓ B-52 ଭଳି ଷ୍ଟ୍ରାଟେଜିକ୍ ବମ୍ବର୍ ମଧ୍ୟ ରହିଛି।

କାନାଡା ନିଜର ପୁରୁଣା CF-18 ଯୁଦ୍ଧବିମାନକୁ ବଦଳାଇବା ପାଇଁ ୮୮ଟି F-35A କିଣିବାକୁ ପ୍ରତିବଦ୍ଧ ହୋଇଛି। ତେବେ ଏହି କାର୍ଯ୍ୟକ୍ରମର ସମୀକ୍ଷା ଅଟାୱା ପକ୍ଷରୁ ଚାଲିଛି। ପ୍ରଥମ ୮ଟି ବିମାନ କାନାଡାର ପାଇଲଟ୍ମାନଙ୍କ ପ୍ରଶିକ୍ଷଣ ପାଇଁ ଆମେରିକାରେ ରଖାଯିବ ଏବଂ ପ୍ରଥମ ବିମାନ ୨୦୨୮ରେ କାନାଡାରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି।

ନୌସେନାରେ ମଧ୍ୟ ବଡ଼ ତଫାତ

ଆମେରିକାର ନୌସେନା ବିଶ୍ୱସ୍ତରରେ କାର୍ଯ୍ୟ କରିବାକୁ ସକ୍ଷମ। ଏହାର ନୌସେନାରେ ବିମାନବାହୀ ଯୁଦ୍ଧଜାହାଜ, ପରମାଣୁ ଶକ୍ତିଚାଳିତ ବୁଡ଼ାଜାହାଜ ଏବଂ ବଡ଼ ଯୁଦ୍ଧଜାହାଜ ରହିଛି।

କାନାଡାର ରୟାଲ କାନାଡ଼ିଆନ ନେଭିରେ ହାଲିଫାକ୍ସ-ଶ୍ରେଣୀର ଫ୍ରିଗେଟ୍ସ, ଭିକ୍ଟୋରିଆ ଶ୍ରେଣୀର ବୁଡ଼ା ଜାହାଜ, କିଙ୍ଗଷ୍ଟନ୍-ଶ୍ରେଣୀୟ ଉପକୂଳ ସୁରକ୍ଷା ଜାହାଜ ଏବଂ ୬ଟି ହ୍ୟାରି ଡି-ୱୁଲଫ୍ ଶ୍ରେଣୀର ଆର୍କଟିକ୍ ଏବଂ ଅଫ୍ଶୋର୍ ପାଟ୍ରୋଲ୍ ଜାହାଜ ରହିଛି।

ପରମାଣୁ ଶକ୍ତିରେ ଆମେରିକା, ଆର୍କଟିକ୍‌ରେ କାନାଡାର ଗୁରୁତ୍ୱ

ଦୁଇ ଦେଶର ସାମରିକ ଶକ୍ତିର ସବୁଠାରୁ ମୌଳିକ ତଫାତ ହେଉଛି ପରମାଣୁ ଅସ୍ତ୍ର। ଆମେରିକା ଏକ ପରମାଣୁ ଅସ୍ତ୍ରଧାରୀ ଦେଶ। ଏହାର ପରମାଣୁ ଶକ୍ତିରେ ଭୂମିଭିତ୍ତିକ ମିସାଇଲ୍, ବାଲିଷ୍ଟିକ୍ ମିସାଇଲ୍ ବୁଡ଼ାଜାହାଜ ଏବଂ ଷ୍ଟ୍ରାଟେଜିକ୍ ବମ୍ବର୍ ସାମିଲ ଅଛି। କାନାଡା ପାଖରେ ପରମାଣୁ ଅସ୍ତ୍ର ନାହିଁ।

କାନାଡାର ରଣନୈତିକ ଗୁରୁତ୍ୱ ମୁଖ୍ୟତଃ ଏହାର ଭୌଗୋଳିକ ସ୍ଥିତି ଓ ଆର୍କଟିକ୍ ଅଞ୍ଚଳ ଯୋଗୁ ରହିଛି। ବିଶାଳ ଆର୍କଟିକ୍ ଅଞ୍ଚଳ ଯୋଗୁ ଉତ୍ତର ଅଞ୍ଚଳର ନିରୀକ୍ଷଣ, ସାର୍ବଭୌମତ୍ୱ ରକ୍ଷା ଏବଂ ଉତ୍ତର ଆମେରିକାର ସୁରକ୍ଷା କାନାଡାର ପ୍ରତିରକ୍ଷା ଯୋଜନାର ଗୁରୁତ୍ୱପୂର୍ଣ୍ଣ ଅଂଶ।

କାନାଡା ଆର୍କଟିକ୍ ସାମରିକ କ୍ଷମତା ଓ NORADର ଆଧୁନିକୀକରଣରେ ନିବେଶ କରୁଛି। ହ୍ୟାରି ଡି-ୱୁଲଫ୍ ଶ୍ରେଣୀ ଜାହାଜଗୁଡ଼ିକ ମଧ୍ୟ ଆର୍କଟିକ୍ ଓ ଉପକୂଳ ଅଞ୍ଚଳରେ କାନାଡାର ଉପସ୍ଥିତିକୁ ସୁଦୃଢ଼ କରିବା ପାଇଁ ନିର୍ମିତ।

ଆମେରିକାର ମଧ୍ୟ ଆଲାସ୍କା ଯୋଗୁ ଆର୍କଟିକ୍ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ସାମରିକ ଉପସ୍ଥିତି ରହିଛି। ଏହା ସହ NORAD ଉଭୟ ଦେଶକୁ ଆକାଶ ଓ ସାମୁଦ୍ରିକ ସୁରକ୍ଷା ପାଇଁ ଏକ ମିଳିତ ବ୍ୟବସ୍ଥାରେ ଯୋଡ଼ିଛି।

ଅର୍ଥାତ୍, ସାମରିକ ଆକାର ଓ କ୍ଷମତାରେ ଆମେରିକା ଓ କାନାଡା ମଧ୍ୟରେ ବହୁତ ବଡ଼ ତଫାତ ଥିଲେ ମଧ୍ୟ, ଉତ୍ତର ଆମେରିକାର ପ୍ରତିରକ୍ଷା ବ୍ୟବସ୍ଥାରେ ଉଭୟ ଦେଶର ସାମରିକ ଢାଞ୍ଚା ପରସ୍ପର ସହ ଗଭୀର ଭାବେ ଜଡ଼ିତ।