ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଐତିହାସିକ ଚୁକ୍ତିକୁ ନେଇ ବିଶ୍ୱ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଚୁକ୍ତିକୁ ବିରୋଧ କରୁଥିବା ସମାଲୋଚକମାନଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଏହି ଚୁକ୍ତି ମାଧ୍ୟମରେ ଆମେରିକା ଇରାନ ଆଗରେ ମୁଣ୍ଡ ନୁଆଁଇଛି ବୋଲି ଅଭିଯୋଗ କରୁଥିବା ଲୋକଙ୍କୁ ଟ୍ରମ୍ପ 'ମୂର୍ଖ', 'ଇର୍ଷାପରାୟଣ' ଏବଂ 'ଖରାପ ଲୋକ' ବୋଲି ଆଖ୍ୟା ଦେଇଛନ୍ତି।

ସେପଟେ କୌଣସି ଆନୁଷ୍ଠାନିକ ଘୋଷଣା ପୂର୍ବରୁ ହଠାତ୍ ଏକ ନାଟକୀୟ ମୋଡ଼ରେ ଇରାନ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ପ୍ୟାରିସ୍ ବାହାରେ ଅବସ୍ଥିତ ଐତିହାସିକ ଭର୍ସେଲ୍ସ ପ୍ରାସାଦ (Palace of Versailles) ଠାରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନଙ୍କ ସହ ଏକ ରାତ୍ରିଭୋଜନ ସମୟରେ ଟ୍ରମ୍ପ ଏହି ଚୁକ୍ତିନାମାରେ ସ୍ୱାକ୍ଷର କରିଥିଲେ। ସୂଚନାଯୋଗ୍ୟ ଯେ, ଏହି ପ୍ରାସାଦରେ ହିଁ ପ୍ରଥମ ବିଶ୍ୱଯୁଦ୍ଧର ସମାପ୍ତି ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।

ଇରାନର ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଇରାନ ରାଷ୍ଟ୍ରପତି ମାସୁଦ ପେଜେଶ୍କିଆନ ମଧ୍ୟ ଏହି ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି । ଚୁକ୍ତି ସ୍ୱାକ୍ଷରିତ ହେବାର କିଛି ଘଣ୍ଟା ପରେ ଟ୍ରମ୍ପ ସୋସିଆଲ ମିଡିଆରେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ସେ କହିଛନ୍ତି, ‘ଯେଉଁ ମୂର୍ଖମାନେ ଭାବୁଛନ୍ତି ମୁଁ ଇରାନ ପ୍ରତି କୋହଳ ମନୋଭାବ ଦେଖାଇଛି, ସେମାନେ ଜାଣିରଖିବା ଉଚିତ ଯେ, ବର୍ତ୍ତମାନ ଆମେରିକାର ଶେୟାର ବଜାର (Stock Market) ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ଏବଂ ଅଶୋଧିତ ତେଲ ଦର କ୍ରମାଗତ ଭାବେ ହ୍ରାସ ପାଉଛି। ଏହି ସମାଲୋଚକମାନେ ଇର୍ଷାପରାୟଣ, ଖରାପ କିମ୍ବା ମୂର୍ଖ ।’

ବିଶ୍ୱ ବଜାର ଉପରେ ପ୍ରଭାବ

ଏହି ଶାନ୍ତି ଚୁକ୍ତିର ଖବର ସାମ୍ନାକୁ ଆସିବା ମାତ୍ରେ ବିଶ୍ୱ ବଜାରରେ ଅଶୋଧିତ ତେଲ (Crude Oil) ମୂଲ୍ୟରେ ପ୍ରାୟ ୩ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି। ଯୁଦ୍ଧ କାରଣରୁ ବଢ଼ୁଥିବା ତେଲ ଦର ଏବେ ନିୟନ୍ତ୍ରଣକୁ ଆସିବ ବୋଲି ଆଶା କରାଯାଉଛି। ଏହି ଚୁକ୍ତି ମାଧ୍ୟମରେ ଆମେରିକା-ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ଚାଲିଥିବା ୫ ସପ୍ତାହର ଭୟଙ୍କର ଯୁଦ୍ଧର ଅବସାନ ଘଟିଛି । ଯୁଦ୍ଧ ଯୋଗୁଁ ବନ୍ଦ ରହିଥିବା ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳମାର୍ଗ 'ହର୍ମୁଜ ପ୍ରଣାଳୀ'କୁ ଇରାନ ସଂପୂର୍ଣ୍ ଖୋଲିବ। ଏହି ଚୁକ୍ତିନାମାରେ ମଧ୍ୟସ୍ଥତା କରିଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ମଧ୍ୟ ଏଥିରେ ସ୍ୱାକ୍ଷର କରିଛନ୍ତି ଏବଂ ଏହା ତୁରନ୍ତ ଲାଗୁ ହେବ ବୋଲି କହିଛନ୍ତି ।