ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରବାସୀ ଟ୍ରକ୍ ଚାଳକମାନଙ୍କୁ ହଟାଇ ସେମାନଙ୍କ ସ୍ଥାନରେ ଆମେରିକୀୟ ସେନାର ଅବସରପ୍ରାପ୍ତ କର୍ମଚାରୀ (Veterans) ଙ୍କୁ ନିୟୋଜିତ କରିବା ପାଇଁ ଏକ ବଡ଼ ପ୍ରସ୍ତାବ ଦେଇଛନ୍ତି। ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ, ଏହି ପ୍ରବାସୀ ଚାଳକମାନଙ୍କ ମଧ୍ୟରୁ ଅଧିକାଂଶ ନିଶାଦ୍ରବ୍ୟ ଏବଂ ମଦ୍ୟପାନ କରି ଗାଡ଼ି ଚଲାଉଛନ୍ତି, ଯାହାଫଳରେ ଅନେକ ସଡ଼କ ଦୁର୍ଘଟଣା ଘଟି ଲୋକଙ୍କର ମୃତ୍ୟୁ ହେଉଛି। ଯଦି ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୁଏ, ତେବେ ଆମେରିକାରେ ରହୁଥିବା ହଜାର ହଜାର ଭାରତୀୟ ପ୍ରବାସୀ ବିଶେଷ ଭାବେ ପ୍ରଭାବିତ ହେବେ, ଯେଉଁମାନେ ବିଗତ କିଛି ବର୍ଷ ହେବ ସେଠାକାର ଟ୍ରକ ଚଳାଇ ରୋଜଗାର କରୁଛନ୍ତି । ଏହାଦ୍ୱାରା ପ୍ରାୟ ୧.୫ ଲକ୍ଷ ଭାରତୀୟ ଜୀବିକା ହରାଇବାର ଆଶଙ୍କା ରହିଛି।


ପେନସିଲଭାନିଆରେ ଆୟୋଜିତ ସାମରିକ ପୁଞ୍ଜିନିବେଶ ସମ୍ମିଳନୀରେ ଉଦବୋଧନ ଦେଇ ଟ୍ରମ୍ପ ଏହି ବିସ୍ଫୋରକ ବୟାନ ଦେଇଛନ୍ତି। 'ଦି ନ୍ୟୁୟର୍କ ଟାଇମ୍ସ'ର ଏକ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ କହିଛନ୍ତି ଯେ ତାଙ୍କ ପ୍ରଶାସନ ବର୍ତ୍ତମାନ ବେଆଇନ ପ୍ରବାସୀ ଟ୍ରକ୍ ଚାଳକମାନଙ୍କ ବିରୋଧରେ ଦେଶବ୍ୟାପୀ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏହି ଚାଳକମାନଙ୍କ ମଧ୍ୟରୁ ଅଧିକାଂଶ ବେଆଇନ ଭାବେ ଆମେରିକାରେ ପ୍ରବେଶ କରିଛନ୍ତି ଏବଂ ସେମାନଙ୍କ ପାଖରେ ଗାଡ଼ି ଚଲାଇବା ପାଇଁ ବୈଧ ଦଲିଲ କିମ୍ବା ଲାଇସେନ୍ସ ମଧ୍ୟ ନାହିଁ।

ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ, ‘ଏହି ଚାଳକମାନେ ଆମେରିକା ସଡ଼କରେ ଥିବା ସାଇନ ବୋର୍ଡ କିମ୍ବା ସଙ୍କେତଗୁଡ଼ିକୁ ପଢ଼ିପାରୁନାହାନ୍ତି। ସେମାନଙ୍କ ମଧ୍ୟରୁ ଅନେକ ମଦ କିମ୍ବା ଡ୍ରଗ୍ସ ସେବନ କରୁଛନ୍ତି ଏବଂ ଏଭଳି ସ୍ଥିତିରେ ସେମାନଙ୍କୁ ଏହି ବଡ଼ ଗାଡ଼ି ଚଲାଇବାକୁ ଦିଆଯିବା ଉଚିତ ନୁହେଁ। ସେମାନେ ସମ୍ପୂର୍ଣ୍ଣ ବେଆଇନ ଭାବେ ଏଠାକୁ ଆସିଛନ୍ତି ଏବଂ ଆମେ ସେମାନଙ୍କୁ ଆମେରିକା ସଡ଼କରେ ଗାଡ଼ି ଚଲାଇବାକୁ ଦେବୁ ନାହିଁ।’

ଏହି ପ୍ରବାସୀ ଟ୍ରକ୍ ଚାଳକମାନଙ୍କ ବଦଳରେ ଆମେରିକାର ଅବସରପ୍ରାପ୍ତ ସୈନିକମାନଙ୍କୁ ନିୟୋଜିତ କରିବାକୁ ଟ୍ରମ୍ପ ଯୋଜନା କରୁଛନ୍ତି। ଆମେରିକା ସେନା କର୍ମଚାରୀମାନଙ୍କୁ ଏକତ୍ରୀତ କରି ସେମାନଙ୍କୁ ଟ୍ରକ୍ ଚଲାଇବା ଶିଖାଯିବ। ସେନାରେ ସେବା ପ୍ରଦାନ କରିବା ସମୟରେ ଯେଉଁମାନେ ଭାରୀ ଯାନ ଚଲାଇବାର ଅନୁଭବ ହାସଲ କରିଛନ୍ତି, ସେମାନଙ୍କୁ ସ୍ୱତଃପ୍ରବୃତ୍ତ ଭାବେ ବ୍ୟବସାୟିକ ଡ୍ରାଇଭିଂ ଲାଇସେନ୍ସ  ପ୍ରଦାନ କରାଯିବ। ତେବେ ଏହି ପ୍ରସ୍ତାବ କେବେଠାରୁ ଏବଂ କିପରି ଲାଗୁ ହେବ, ସେ ସମ୍ପର୍କରେ ଟ୍ରମ୍ପଙ୍କ ପ୍ରଶାସନ ପକ୍ଷରୁ କୌଣସି ବିସ୍ତୃତ ତଥ୍ୟ ପ୍ରଦାନ କରାଯାଇ ନାହିଁ।