• ଏବେ ଟ୍ରମ୍ପ ଏକ ନୂଆ ସ୍ଲୋଗାନ ବାଛିଛନ୍ତି, ତାହା ହେଉଛି ଇରାନକୁ ପାଷାଣ ଯୋଗୁ ପଠାଇ ଦେବା
  • ଆମେରିକାର ଉଦ୍ଦେଶ୍ୟକୁ ଇରାନ ଏବେ ସନ୍ଦେହ କରୁଛି ଓ ଏହାକୁ ଅଚାନକ ଆକ୍ରମଣର ଷଡ଼ଯନ୍ତ୍ର ହୋଇପାରେ ବୋଲି କହୁଛି
  • ଟ୍ରମ୍ପ ଏବେ ସ୍ୱୀକାର କରିଛନ୍ତି ଯେ ତାଙ୍କୁ ଦୁନିଆର ଗୋଟିଏ କଥା ଜଣା ନାହିଁ ତାହା ହେଉଛି -ଯୁଦ୍ଧର ଅନ୍ତ

ୱାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବୃଆରୀ ୨୮ରେ ଇସ୍ରାଏଲ ସହ ମିଶି ଇରାନ ଉପରେ ଆକ୍ରମଣ ଆରମ୍ଭ କରିଥିଲେ। ଯୁଦ୍ଧ ପୂର୍ବରୁ ଟ୍ରମ୍ପ ଅନେକ ପ୍ରକାରର ବୟାନ ଦେଇଥିଲେ, ଯେଉଁଥିରେ ସେ ଆମେରିକା ଲାଗି ଇସ୍ଲାମିକ ଗଣରାଜ୍ୟ ଉପରେ ଆକ୍ରମଣ କରିବା ଓ ବିଜୟୀ ହେବା ବହୁତ ସହଜ ବୋଲି କହିଥିଲେ। ତେବେ ଏହି ଯୁଦ୍ଧ ତେହେରାନ ଏବଂ ୱାସିଂଟନ ମଧ୍ୟରେ ପରମାଣୁ ବାର୍ତ୍ତା ମଧ୍ୟରେ ହୋଇଥିଲା। ଟ୍ରମ୍ପ ସଂକେତ ଦେଇଥିଲେ ଯେ ତାଙ୍କ ଯୁଦ୍ଧର ଉଦ୍ଦେଶ୍ୟ ଇରାନରେ ଶାସନ ପରିବର୍ତ୍ତନ କରିବା ଓ ଇରାନକୁ ପରମାଣୁ ଶକ୍ତି କରାଇ ନଦେବା।

ତେବେ ଯୁଦ୍ଧ ଆରମ୍ଭ ହୋଇ ଯିବା ପରେ ଟ୍ରମ୍ପ ଅନେକ ଅବସରରେ କହିଥିଲେ ଯେ ଯୁଦ୍ଧ ଖୁବ୍ ଶୀଘ୍ର ସମାପ୍ତ ହୋଇଯିବ। ଏବେ ଯୁଦ୍ଧକୁ ୫୪ ଦିନ ବିତିଲାଣି। ଆମେରିକାର ସବୁଠୁ ବୟଷ୍କ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ କହୁଛନ୍ତି ଯେ ଇରାନ ଯୁଦ୍ଧ ସମାପ୍ତ ହେବାର କୌଣସି ସମୟ ସୀମା ନାହିଁ। ଫକ୍ସ ନ୍ୟୁଜ ସହ ଆଲୋଚନାରେ ଟ୍ରମ୍ପ କହିଛନ୍ତି ଯେ ଯୁଦ୍ଧବିରାମ ଉପରେ ସମୟସୀମାର କୌଣସି ଚାପ ନାହିଁ। ସେ କହିଛନ୍ତି ଯେ ଲୋକଙ୍କ କହିବା କଥା ହେଉଛି ମଧ୍ୟାବଧି ନିର୍ବାଚନ ଲାଗି ମୁଁ ଯୁଦ୍ଧକୁ ଶୀଘ୍ର ସମାପ୍ତ କରିବାକୁ ଚାହୁଁଛି, ତେବେ ଏହା ସତ୍ୟ ନୁହେଁ। ସେ କହିଛନ୍ତି ଯେ ପ୍ରଶାସନ ଆମେରିକା ଜନତାଙ୍କ ଲାଗି ଏକ ଭଲ ବୁଝାମଣା କରିବାକୁ ଚାହୁଁଛି। ତେବେ ବିନା ପଶ୍ଚାତାପରେ କହିଛନ୍ତି ଯେ ଯୁଦ୍ଧ ସରିବାର କୌଣସି ସମୟ ସୀମା ନାହିଁ।

ଟ୍ରମ୍ପ ସେହି ରାଷ୍ଟ୍ରପତି ଯିଏ ଯୁଦ୍ଧ ଆରମ୍ଭ ହେବାର ଦିନକ ପରେ ମାର୍ଚ୍ଚ ୧ ତାରିଖ ଦିନ କହିଥିଲେ ଯେ ଏଥିରେ ୪ରୁ ୫ ସପ୍ତାହ ଲାଗିବ। ସପ୍ତାହ ପର୍ଯ୍ୟନ୍ତ ସେ କହି ହେଉଥିଲେ ଯେ ଆମେରିକା ନିର୍ଦ୍ଧାରିତ ସମୟ ଓ ଅନୁମାନ ଠାରୁ ବେଶ୍ ଆଗରେ ରହିଛି। ମାର୍ଚ୍ଚ ୯ ତାରିଖରେ କହିଥିଲେ ଯୁଦ୍ଧ ସମ୍ପୂର୍ଣ୍ଣ ଶେଷ ହୋଇସାରିଛି। ଆମେ ଅନେକ ଦୃଷ୍ଟିରୁ ଯୁଦ୍ଧ ଜିତି ସାରିଛୁ। ମାର୍ଚ୍ଚ ୧୧ ତାରିଖ ଦିନ କେଣ୍ଟୁକିର ଏକ ରାଲିରେ ପୁଣି ବିଜୟ ଘୋଷଣା କରିଥିଲେ। ୨୦ ମାର୍ଚ୍ଚ ପର୍ଯ୍ୟନ୍ତ କହୁଥିଲେ ଲାଗୁଛି ଆମେରିକା ଜିତି ସାରିଛି।

ମାର୍ଚ୍ଚ ୨୦ ପରେ ଟ୍ରମ୍ପଙ୍କ ଧ୍ୟାନ ଷ୍ଟ୍ରେଟ୍ ଅଫ ହର୍ମୁଜ ଉପରେ ପଡିଥିଲା। ମାର୍ଚ୍ଚ ମାସ ଶେଷ ବେଳକୁ ଟ୍ରମ୍ପ କହିବା ଆରମ୍ଭ କରିଥିଲେ ଏବେ ଇରାନ ବୁଝାମଣା ଚାହୁଁଛି। ତେବେ ୧ ଏପ୍ରିଲ ଭାଷଣରେ ଟ୍ରମ୍ପ କହିଲେ ଯେ ଆମେରିକାର ସୈନ୍ୟ ଲକ୍ଷ୍ୟ ଖୁବ୍ ଶୀଘ୍ର ପୂରଣ ହେବ। ଏହା ପରେ ଇଷ୍ଟର ସପ୍ତାହ ବ୍ୟାପି ହର୍ମୁଜ ପ୍ରଣାଳୀ ଅବରୋଧ କରିବା ପାଇଁ ଇରାନ ବିରୋଧରେ ଏଣୁ ତେଣୁ କହିବା ଆରମ୍ଭ କରିଥିଲେ ଓ ଇରାନକୁ ଧମକ ଦେଇଥିଲେ ଯେ ଯଦି ହର୍ମୁଜ ଖୋଲା ନ ଯାଏ ସେ ଇରାନକୁ ଧ୍ୱଂସ କରିଦେବେ। ଏପ୍ରିଲ ପ୍ରଥମ ସପ୍ତାହରେ ଟ୍ରମ୍ପ ଯୁଦ୍ଧ ଜିତି ଥିବାର ଦାବି କରିବା ସହ ଇରାନୀଙ୍କ ସହ ଆଲୋଚନାକୁ ଓହ୍ଲାଇଥିଲେ।

ହର୍ମୁଜକୁ ନେଇ ଧମକ ଓ ଉଲ୍ଲଂଘନ ଏପ୍ରିଲ ୨୨ ତାରିଖ ପର୍ଯ୍ୟନ୍ତ ଜାରି ଥିଲା ଓ ଇରାନ ଦ୍ୱତୀୟ ପର୍ଯାୟ ଆଲୋଚନା ଲାଗି ରାଜି ହେଲା ନାହିଁ। ଏହା ପରେ ଏବେ ଟ୍ରମ୍ପ କହୁଛନ୍ତି ଯେ ଏହି ଯୁଦ୍ଧର କୌଣସି ଅନ୍ତ ନାହିଁ। ଆମେରିକା ଓ ଇସ୍ରାଏଲ ଆକ୍ରମଣରେ ଇରାନ ସର୍ବୋଚ୍ଚ୍ ନେତା ଆୟତୋଲ୍ଲା ଅଲି ଖାମେନୀଙ୍କ ହତ୍ୟା ସତ୍ତ୍ୱେ ଟ୍ରମ୍ପ ଟ୍ରମ୍ପ ଇରାନରେ ଶାସନ ପରିବର୍ତ୍ତନ ଦାବିରୁ ଏବେ ଓହରି ଯାଇଛନ୍ତି। ଏବେ ତାଙ୍କର ଏକ ମାତ୍ର ଜିଦ୍ ହେଉଛି ଯେ ଇରାନ ପରମାଣୁ ଶକ୍ତି ସମ୍ପନ୍ନ ହେବ ନାହିଁ। ଆମେରିକା ଇରାନ ଉପରେ ଆକ୍ରମଣ କରି ନିଜକୁ ପୁଣି ମହାନ କରିବାର ଦାବି କରୁଥିଲା। ହେଲେ ଯୁଦ୍ଧ ବଢିବା ସହିତ ଟ୍ରମ୍ପ ପ୍ରଶାସନ ଓ ନିଜେ ରାଷ୍ଟ୍ରପତି ଏହି ବିଚାରକୁ ତ୍ୟାଗ କରିଛନ୍ତି। ଏବେ ଟ୍ରମ୍ପ ଏକ ନୂଆ ସ୍ଲୋଗାନ ବାଛିଛନ୍ତି, ତାହା ହେଉଛି ଇରାନକୁ ପାଷାଣ ଯୋଗୁ ପଠାଇ ଦେବା।

ଏବେ ଇରାନ ଓ ଆମେରିକା ମଧ୍ୟରେ କଥାବାର୍ତ୍ତା ସ୍ଥଗିତ ରହିଛି। ପାକିସ୍ତାନରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ଶାନ୍ତିବାର୍ତ୍ତା ବିନା କୌଣସି ନିଷ୍ପତ୍ତିରେ ସମାପ୍ତ ହୋଇଥିଲା। ଏହି ଆଲୋଚନାର ବିଫଳତା ଲାଗି ତେହେରାନ ଆମେରିକାକୁ ଦାୟି କରିଥିଲା। କହିଥିଲା ଏଥିରେ ଆମେରିକା ଅତ୍ୟଧିକ ଦାବି କରୁଛି। ଅନ୍ୟପଟେ ଆମେରିକା ଉପରାଷ୍ଟ୍ରପତି କହିଥିଲେ ଯେ ଆମେରିକା ଇରାନକୁ ସର୍ବୋତ୍ତମ ପ୍ରସ୍ତାବ ଦେଇଛି। ଏହା ସତ୍ତ୍ୱେ ଆମେରିକା ପୁଣି ପାକିସ୍ତାନ ଯାଇ ଇରାନ ସହ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଲାଗି ରାଜି ଅଛି। ହେଲେ ଆମେରିକାର ଉଦ୍ଦେଶ୍ୟକୁ ଇରାନ ଏବେ ସନ୍ଦେହ କରୁଛି ଓ ଏହାକୁ ଅଚାନକ ଆକ୍ରମଣର ଷଡ଼ଯନ୍ତ୍ର ହୋଇପାରେ ବୋଲି କହୁଛି।

ଅନ୍ୟପଟେ ହର୍ମୁଜ ଜଳକ୍ଷେତ୍ରରେ ଉତ୍ତେଜନା ଲାଗି ରହିଛି। ଆମେରିକା ନୌସେନା ନାକାବନ୍ଦୀ ହଟାଇବାକୁ ମନା କରିଦେଇଛି। ଅନ୍ୟପଟେ ଇରାନର ଇସ୍ଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) ଏହି କ୍ଷେତ୍ର ଦେଇ ଯାତାୟାତ କରୁଥିବା ଜାହାଜଙ୍କ ଉପରେ ଆକ୍ରମଣ କରୁଛନ୍ତି। ସବୁଥର ଭଳି ଏଥର ମଧ୍ୟ ଟ୍ରମ୍ପ ପୁଣି ଧମକର ସାହାରା ନେଇଛନ୍ତି। ହେଲେ ସେ ଗୋଟିଏ କଥା ସ୍ୱୀକାର କରିଛନ୍ତି ଯେ ତାଙ୍କୁ ଦୁନିଆର ଗୋଟିଏ କଥା ଜଣା ନାହିଁ ତାହା ହେଉଛି -ଯୁଦ୍ଧର ଅନ୍ତ।