ୱାସିଂଟନ: ଆମେରିକା ସ୍ୱାଧୀନତାର ୨୫୦ତମ ବାର୍ଷିକରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଛବି ଥିବା ନୂଆ ଡଲାର ମୁଦ୍ରା ଲଞ୍ଚ ହୋଇଛି। ତେବେ ଏହି ମୁଦ୍ରା ଜାରି ହେବାର କିଛି ସମୟ ପରେ ଆଉଟ ଅଫ ଷ୍ଟକ୍ ହୋଇଯାଇଛି। ଏହି ଡଲାର ମୁଦ୍ରାର ବିକ୍ରି ଅଧିକାରୀକ ଭାବେ ବୁଧବାର ମଧ୍ୟାହ୍ନରେ ଅମେରିକା ମିଣ୍ଟର ଅନଲାଇନ କ୍ୟାଟଲଗ ମାଧ୍ୟମରେ ଆରମ୍ଭ ହୋଇଥିଲା। ଦେଖୁ ଦେଖୁ ମୁଦ୍ରା ପାଇଁ ଲୋକଙ୍କ ମଧ୍ୟରେ ଚାହିଦା ବଢି ଯାଇଥିଲା ଏଣୁ ୱେବସାଇଟ ଯୋଗେ କିଣିବାକୁ ଆସିଥିବା କ୍ରେତାଙ୍କୁ ଭର୍ଚୁଆଲ ୱେଟିଂ ରୁମକୁ ଯିବାକୁ ପଡିଥିଲା।

ବୁଧବାର ମଧ୍ୟାହ୍ନ ସୁଧା (ସ୍ଥାନୀୟ ସମୟ ଅନୁସାରେ) ୨୫ଟି ମୁଦ୍ରାର ରୋଲ ଉପରେ ଏବେ ଷ୍ଟକ୍ ନଥିବା ଲେବୁଲ ଲାଗିଥିଲା। ଏଥିରେ ୧୦୦ ମୁଦ୍ରାଥିବା ବ୍ୟାଗ୍ ସମ୍ପୂର୍ଣ୍ଣ ଅନୁପଲବ୍ଧ ଦେଖାଯାଇଥିଲା। ତମ୍ବା, ଦସ୍ତା, ମାଙ୍ଗାନିଜ ଓ ନିକେଲର ଖାସ ମିଶ୍ରଣରେ ତିଆରି ହୋଇଥିବା ଏହି ମୁଦ୍ରାରେ ସୁନା ନାହିଁ। ଏହା ସତ୍ୱେ ମୁଦ୍ରା ସୁନେଲୀ ରଙ୍ଗର ଦେଖାଯାଉଛି। ଏହା ଛଡା ମୁଦ୍ରାରେ ଦେଶର ପରିଚୟ ଦେଉଥିବା ଖାସ ଚିହ୍ନ ମଧ୍ୟ ରହିଛି। ମୁଦ୍ରା ସମ୍ମୁଖ ଭାଗରେ ଆମେରିକା ରାଷ୍ଟ୍ରପତିଙ୍କ ଛବି ରହିଛି ଓ ପଛପଟେ ରାଷ୍ଟ୍ରପତିଙ୍କ ମୋହର ରହିଛି।

ଏହିମୋହରରେ ଅଲିଭ ଡାଳ, ତୀର ଓ ଏକ ଇଗଲ ରହିଛି। ଇଗଲ ଛାତିରେ ଅଙ୍କିତ ଢାଲରେ ୨୫୦ ଲେଖା ଯାଇଛି। ଏହା ଛଡା ଆମେରିକା ଓ ଏକ ଡଲାର ମଧ୍ୟ ଲେଖା ରହିଛି। ଆମେରିକା ରାଷ୍ଟ୍ରପତିଙ୍କ ଛବି ସହ ଲିବର୍ଟି, ଇନ ଗଡ ୱି ଟ୍ରଷ୍ଟ ଓ ଦୁଇଟି ତାରିଖ ୧୭୭୬ ଓ ୨୦୨୬ ଉଲ୍ଲେଖ ରହିଛି।