ଓ୍ୱାଶିଂଟନ୍, ୦୫ /୦୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଥମିବାର ନା ନେଉନାହିଁ । ଦିନକୁ ଦିନ ଏହା ଭୟଙ୍କର ହେବାରେ ଲାଗିଛି । ଇରାନର ମିସାଇଲ ଆକ୍ରମଣରେ ଆମେରିକାର ଅନେକ ବେସ୍ କ୍ୟାମ୍ପ୍ ଧ୍ୱଂସ ହୋଇଛି । ତେବେ ନିଜ ସେନାର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ । ଯୁଦ୍ଧ ଆରମ୍ଭ ହେବାର ସପ୍ତାହେ ହୋଇନି । ତଥାପି ଆମେରିକା ମଜବୁତ ସ୍ଥିତିରେ ରହିଥିବା ଟ୍ରମ୍ପ୍ କହିଛନ୍ତି ।

ହ୍ୱାଇଟ୍ ହାଉସରେ ପ୍ରମୁଖ ଟେକ୍ କମ୍ପାନୀ ସହ ଆଲୋଚନାରେ ଟ୍ରମ୍ପ୍ କହିଛନ୍ତି ଯେ, ଆମେରିକା ଏବଂ ଏହାର ସହଯୋଗୀ ଦେଶ ଯୁଦ୍ଧରେ ଆଗରେ ରହିଛନ୍ତି । ଆମେରିକାର ସାମିରକ ଅଭିଯାନ ସଫଳ ହୋଇଛି । ଯୁଦ୍ଧରେ ସେମାନଙ୍କ ପ୍ରଦର୍ଶନ ଭଲ ରହିଛି । କେହି ଜଣେ ତାଙ୍କୁ ୧୦ରୁ ନିଜକୁ କେତେ ମାର୍କ ଦେବେ ବୋଲି ପଚାରିଥିଲେ । ଏଥିରେ ଟ୍ରମ୍ପ୍ ନିଜକୁ ୧୦ରୁ ୧୫ ଦେବେ ବୋଲି କହିଛନ୍ତି ।

ଏହି ଖବରକୁ ପଢନ୍ତୁ...ଶ୍ରୀଲଙ୍କା ଉପକୂଳ ଇରାନୀ ଜାହାଜ ଉପରେ ବୁଡ଼ାଜାହାଜର ଆକ୍ରମଣ; ୭୮ ଆହତ, ୧୦୧ ନିଖୋଜ

ଟ୍ରମ୍ପଙ୍କ ଏହି ବୟାନ ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ଇରାନ ଏବଂ ଆମେରିକା-ଇସ୍ରାଏଲର ଯୁଦ୍ଧ ତୀବ୍ର ହେବାରେ ଲାଗିଛି । ସେ ଆହୁରି କହିଛନ୍ତି ଯେ, ଏବେକାର ଇରାନ ନେତୃତ୍ୱ ଉପରେ ଚାପ ବଢିବାରେ ଲାଗିଛି । ଇରାନର ଅନେକ ଟପ୍ ନେତା ଆକ୍ରମଣରେ ପ୍ରାଣ ହରାଇଛନ୍ତି । ଯାହାର ପ୍ରଭାବ ତେହେରାନ ଉପରେ ପଡୁଛି ।

ଯୁଦ୍ଧର ଷଷ୍ଠ ଦିନ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଷଷ୍ଠ ଦିନରେ ପହଁଚିଛି । ନୂଆ ନୂଆ ଅଞ୍ଚଳରେ ମିସାଇଲ ଏବଂ ଡ୍ରୋନ୍ ଆକ୍ରମଣ ହେଉଛି । ଆମେରିକା ଇସ୍ରାଏଲ ସହ ମିଶି ସାମରିକ ଅଭିଯାନ ଜାରି ରଖିଛି । ସମୁଦ୍ରରେ ଜାହାଜଙ୍କୁ ବିଭିନ୍ନ ଦେଶ ଟାର୍ଗେଟ୍ କରୁଛନ୍ତି । ଶ୍ରୀଲଙ୍କା ଉପକୂଳରେ ଇରାନର ଏକ ଯୁଦ୍ଧ ଜାହାଜକୁ ଧ୍ୱଂସ କରାଯାଇଛି । ଯାହାର ଜବାବ ଇରାନ ନିଶ୍ଚୟ ଦେବ ବୋଲି ଆଶଙ୍କା କରାଯାଉଛି ।