ନୂଆଦିଲ୍ଲୀ: ଭାରତରେ ବଢୁଥିବା ସ୍ପାମ କଲ୍ ମଧ୍ୟରେ ଦୂରସଞ୍ଚାର ନିୟାମକ ଅର୍ଥାତ ଟ୍ରାଇ କଲର ଆଇଡେଣ୍ଟିଫିକେସନ ଆପ୍ ଟ୍ରୁ କଲରକୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ୧୪୦ ସିରିଜ (ଟେଲି ମାର୍କେଟିଂ) ଓ ୧୬୦୦ ସିରିଜ (ବ୍ୟାଙ୍କିଙ୍ଗ ଓ ଅଧିକାରୀକ ସେବା)ରୁ ଆସୁଥିବା କଲସ୍ ରେ ଯେପରି ସ୍ପାମ ଲେବୁଲ ନ ଦେଖାଏ ସେଥି ପାଇଁ ସତର୍କ କରିଛନ୍ତି। ଟ୍ରାଇଙ୍କ ଅନୁସାରେ ୧୪୦ ଓ ୧୬୦୦ ସିରିଜ ନମ୍ବର ବୈଧ ବ୍ୟବସାୟିକ ଓ ଅଧିକାରୀକ ସଞ୍ଚାର ନିମନ୍ତେ ନିର୍ଦ୍ଧାରିତ ହୋଇଛି। ଏହି ନମ୍ବରକୁ ବ୍ୟାଙ୍କ, ଆର୍ଥିକ ସଂସ୍ଥା, ସରକାରୀ ଏଜେନ୍ସୀ ଓ ଅନ୍ୟ ଅଧିକୃତ ସଂସ୍ଥାମାନେ ଗ୍ରାହକଙ୍କ ସହ ସମ୍ପର୍କ କରନ୍ତି। ଏଣୁ ଏପରି କଲରେ ସ୍ପାମ ଚେତାବନୀ ଦେଖିଲେ ଅନେକ ଗୁରୁତ୍ୱପୂର୍ଣ୍ଣ କଲ ଲୋକଙ୍କ ନିକଟକୁ ପହଞ୍ଚି ପାରୁନି।

ଟ୍ରାଇଙ୍କ କହିବା କଥା ହେଉଛି ୟୁଜର୍ସଙ୍କ ଦ୍ୱାରା ବହୁ ସଂଖ୍ୟାରେ କରାଯାଉଥିବା ସ୍ପାମ ରିପୋର୍ଟ ଯୋଗୁ ଅନେକ ବାସ୍ତବିକ ଓ ଜରୁରି କଲସ୍ ବ୍ଲକ୍ ଅଥବା ଅଣଦେଖା ହେଉଛି। ଏଣୁ ନିୟାମକ ଟ୍ରୁ କଲର ସମେତ ଅନ୍ୟ କଲର ଆଇଡି ଆପସ୍ କୁ ଏହି ସବୁ ନମ୍ବର ଉପରୁ ସ୍ପାମ ଲେବୁଲ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଟ୍ରୁ କଲର ନିୟାମକଙ୍କ ଆଦେଶ ପାଳନ କରୁଥିବା ପୁଷ୍ଟି କରିଛି। ତେବେ କମ୍ପାନୀ କହିଛି ଯେ ଏହି ପରିବର୍ତ୍ତନ ପରେ ପ୍ରତିଦିନ ପାଖାପାଖି ୫.୧ କୋଟି (୫୧ ମିଲିୟନ) ୧୪୦ ଓ ୧୬୦୦ ସିରିଜ କଲସ୍ ବିନା କୌଣସି ଚେତାବନୀରେ ଅନ ଆନସର୍ଡ ରହି ଯାଉଛି। ଏହା ଦ୍ୱାରା ଗ୍ରାହକ ଓ ସେବା ପ୍ରଦାତାଙ୍କ ମଧ୍ୟରେ ସଞ୍ଚାର ପ୍ରଭାବିତ ହୋଇ ପାରେ।

ଏଥି ମଧ୍ୟରେ ଟ୍ରାଇ ଏହା ବି ସଂକେତ ଦେଇଛନ୍ତି ଯେ ସେ ସୂଚନା ଓ ପ୍ରଯୁକ୍ତି (ଆଇଟି) ଅଧିନିୟମରେ ଏପରି ଆପସ୍ କୁ ବିନିୟମିତ କରିବାକୁ ଅତିରିକ୍ତ ଆଇନଗତ ଅଧିକାର ହାସଲ କରିବାକୁ ଚାହୁଁଛି। ଏଣୁ ଭବିଷ୍ୟତରେ କଲର ଆଇଡି ଓ ସ୍ପାମ ଲେବଲିଂ ସମ୍ପର୍କିତ ମାମଲାରେ ନିୟାମକଙ୍କ ଭୂମିକା ଆହୁରି ମଜଭୁତ ହୋଇ ପାରିବ। ଭାରତରେ ପ୍ରତି ବର୍ଷ କୋଟିକୋଟି ସଂଖ୍ୟାରେ ସ୍ପାମ କଲ ଅଭିଯୋଗ ସାମ୍ନାକୁ ଆସୁଛି। ଏଣୁ ଗୋଟିଏ ପଟେ ଉପଭୋକ୍ତାଙ୍କୁ ଠକେଇ ଓ ମିଥ୍ୟା କଲ୍ ରୁ ବଞ୍ଚାଇବା ଚ୍ୟାଲେଞ୍ଜ ହୋଇ ପଡିଛି, ସେହିପରି ଅନ୍ୟପଟେ ଏହା ମଧ୍ୟ ସୁନିଶ୍ଚିତ କରିବା ଜରୁରି ଯେ ବ୍ୟାଙ୍କିଙ୍ଗ, ସରକାରୀ ଓ ଅନ୍ୟ ଅଧିକାରୀକ କଲସ୍ ବିନା ବାଧାରେ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚିବ। ଟ୍ରାଇ ଓ ଟ୍ରୁ କଲର ମଧ୍ୟରେ ଏହି ମାମଲା ଶନ୍ତୁଳନ ରକ୍ଷା କରିବାର ଚ୍ୟାଲେଞ୍ଜକୁ ଉଜାଗର କରୁଛି।