ପାଟନଚେରୁ : ତେଲେଙ୍ଗାନା ସଙ୍ଗାରେଡ୍ଡୀ ଜିଲ୍ଲାରେ ବୁଧବାର ଗଣେଶ ବିସର୍ଜନ ବେଳେ ଅଘଟଣ ଘଟିଛି। ପାଟନ ଚେଋମଣ୍ଡଳର ପେଡାକଞ୍ଜରେଲା ଗାଁରେ ଗଣେଶ ବିସର୍ଜନ କରିବାକୁ ଯାଇଥିବା ୬ ଜଣ ପିଲା ପାଣିରେ ବୁଡି ପ୍ରାଣ ହରାଇଛନ୍ତି। ଘଟଣା ସମ୍ପର୍କରେ ଜଣା ପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି। ଘଟଣାସ୍ଥଳକୁ ସାରା ଗାଁର ଲୋକେ ପହଞ୍ଚିଥିବା ବେଳେ କାନ୍ଦବୋବାଳିରେ ଅଞ୍ଚଳ ଫାଟି ପଡିଛି।

ମିଳୁଥିବା ସୂଚନା ଅନୁସାରେ ପେଡାକଞ୍ଜରେଲା ଗାଁର କିଛି ପିଲା ଗଣେଶ ବିସର୍ଜନ ଲାଗି ନେରେଡୁ ଚେଋବୁ ପୋଖରୀକୁ ଯାଇଥିଲେ। କୁହାଯାଉଛି ମୂର୍ତ୍ତି ବିସର୍ଜନ କାଳରେ ୬ ଜଣ ପିଲା ଗଭୀର ପାଣିକୁ ଚାଲି ଯାଇଥିଲେ। ପିଲାଙ୍କୁ ପହଁରା ଜଣା ନଥିଲା ଏଣୁ ପାଣିରେ ବୁଡି ଯାଇଥିଲେ। ଘଟଣାସ୍ଥଳରେ ଥିବା ଲୋକେ ପିଲାଙ୍କୁ ବଞ୍ଚେଇବାକୁ ଉଦ୍ୟମ କରିଥିଲେ। ହେଲେ ଏଥିରେ ସେମାନେ ବିଫଳ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ୬ ଜଣ ଜାକ ପିଲା ଶିରିଷା ଚ୍ୟାରିଟେବଲ ଟ୍ରଷ୍ଟ ନାମକ ଏକ ଶିକ୍ଷଣାନୁଷ୍ଠାନର ଛାତ୍ର ଥିଲେ।

ଏକ ସାଙ୍ଗରେ ୬ ଜଣ ପିଲାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବାମାତ୍ରେ ଶୋକର ପରିବେଶ ସୃଷ୍ଟି ହୋଇଛି। ଦୁର୍ଘଟଣା ସୂଚନା ପାଇ ସ୍ଥାନୀୟ ପ୍ରଶାସନ ପୋଲିସ ଟିମ୍ ଘଟଣାସ୍ଥଳକୁ ପହଞ୍ଚିଛି। ଅଧିକାରୀମାନେ ଘଟଣା ସମ୍ପର୍କରେ ସୂଚନା ସଂଗ୍ରହ କରିବା ସହ ପିଲାଙ୍କ ଶବ ଉଦ୍ଧାର କରି ହସ୍ପିଟାଲ ପଠାଇଛନ୍ତି। ଏବେ ଘଟଣା ସମ୍ପର୍କରେ ପୁରା ସୂଚନା ଆସି ନାହିଁ। ମୃତ ପିଲାଙ୍କ ଚିହ୍ନଟ ହୋଇ ନଥିବା ବେଳେ ସେମାନଙ୍କ ମାତାପିତାଙ୍କ ସୂଚନା ମଧ୍ୟ ମିଳି ନାହିଁ। ପୋଲିସ ଓ ପ୍ରଶାସନ ଘଟଣାର ତଦନ୍ତ କରୁଛନ୍ତି। ଗୋଟିଏ ସ୍ଥାନରେ ଏକକାଳୀନ ୬ ଜଣ ପିଲାଙ୍କ ମୃତ୍ୟୁ ଅଞ୍ଚଳରେ ଶୋକର ପରିବେଶ ସୃଷ୍ଟି କରିଛି।