ସୁନ୍ଦରଗଡ଼: ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଟ୍ରାଫିକ୍ ଇନ୍ସପେକ୍ଟର। ଏକ ଗାଡ଼ି ପାସ୍ କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ସୋମବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସୁନ୍ଦରଗଡ଼ ପରିବହନ ବିଭାଗ ଟ୍ରାଫିକ ଇନ୍ସପେକ୍ଟର ମୁକେଶ ମିଶ୍ର।

ମିଳିଥିବା ସୂଚନା ଅନୁସାରେ, ଜଣେ ଟ୍ରକ୍ ମାଲିକଙ୍କୁ ଗାଡ଼ି ଚେକିଂ ନହେବା ପାଇଁ ଏକ ପାସ୍ କରାଇଦେବାକୁ କହି ଲାଞ୍ଚ ମାଗିଥିଲେ ଟ୍ରାଫିକ୍ ଇନ୍ସପେକ୍ଟର । ତେବେ ଏନେଇ ଭିଜିଲାନ୍ସରେ ଜଣାଇଥିଲେ ଟ୍ରକ୍ ମାଲିକ। ଆଉ ଯୋଜନା ମୁତାବକ ୧୦ ନମ୍ବର ରାଜ୍ୟ ରାଜପଥର ବଡ଼ଗାଁ ଥାନା ଗରିଆମାଲ ଛକ ନିକଟରେ ନେବାବେଳେ ମୁକେଶଙ୍କୁ ଧରିଥିଲା ଭିଜିଲାନ୍ସ।

ଏହାସହ ରାଉରକେଲା ଭିଜିଲାନ୍ସ ପୋଲିସ ଏକ ମାମଲା ରୁଜୁ କରିଥିବା ବେଳେ, ମୁକେଶଙ୍କୁ ଗିରଫ କରି କୋର୍ଟ ପଠାଇଛି। ସେପଟେ ମୁକେଶଙ୍କ କାର୍ଯ୍ୟାଳୟ ଏବଂ ସୁନ୍ଦରଗଡ଼ ଜ୍ୟୋତି ନଗର ସ୍ଥିତ ବାସଭବନରେ ଚଢ଼ଉ ଜାରି ରହିଥିବା ବେଳେ, ଏପର୍ଯ୍ୟନ୍ତ ଘରୁ ୧୪ ଲକ୍ଷ ୩୩ ହଜାର ନଗଦ ଟଙ୍କା ଜବତ ହୋଇଛି।

Also Read: ଝାରସୁଗୁଡ଼ାରେ ପୋଲିସକୁ ବଡ଼ ସଫଳତା: ୨୩ ହଜାରରୁ ଉର୍ଦ୍ଧ୍ଵ ସିରପ୍ ଜବତ, ଟ୍ରକ୍ ଓ କ୍ରେଟା କାର୍ ସହ ୨ ଗିରଫ

ମୁକେଶ କୁମାର ମିଶ୍ର ୨୦୧୫ ଅଗଷ୍ଟ ୬ ତାରିଖରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ ଏବଂ OMVDରେ ଟ୍ରାଫିକ୍ ସବ୍- ଇନ୍ସପେକ୍ଟର ଭାବରେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଯୋଗଦେବା ପରଠାରୁ ସେ ତାଳଚେର, ବଲାଙ୍ଗୀର ଏବଂ ନୂଆପଡ଼ା ଭଳି ବିଭିନ୍ନ ଷ୍ଟେସନରେ ସବ୍- ଇନ୍ସପେକ୍ଟର ଭାବରେ କାର୍ଯ୍ୟ କରିଥିଲେ। ଜୁଲାଇ ୨୦୨୨ରେ ତାଙ୍କୁ ଇନ୍ସପେକ୍ଟର ପଦବୀକୁ ପଦୋନ୍ନତି ଦିଆଯାଇଥିଲା। ବର୍ତ୍ତମାନ ସେ RTO ସୁନ୍ଦରଗଡ଼ କାର୍ଯ୍ୟାଳୟରେ ସେହି ପଦବୀରେ କାର୍ଯ୍ୟରତ ଅଛନ୍ତି।