ଝାରସୁଗୁଡ଼ା: ରାଜ୍ୟ ସରକାରଙ୍କ ନିଶାମୁକ୍ତ ଅଭିଯାନକୁ ଝାରସୁଗୁଡ଼ାରେ ମିଳିଛି ଏକ ବଡ଼ ସଫଳତା। ଜିଲ୍ଲା ପୋଲିସ ଚଢ଼ଉ କରି ବିପୁଳ ପରିମାଣର ନିଶାକାରୀ କଫ୍ ସିରପ୍ ଜବତ କରିବା ସହ ଏକ ବେଆଇନ କାରବାରର ପର୍ଦ୍ଦାଫାଶ କରିଛି। ପୋଲିସ ଘଟଣାସ୍ଥଳରୁ ୨୩ ହଜାର ୪୬୦ ବୋତଲ କଫ୍ ସିରପ୍, ଗୋଟିଏ ଟ୍ରକ୍, ଗୋଟିଏ କ୍ରେଟା କାର୍, ନଗଦ ୨ ଲକ୍ଷ ୪୪ ହଜାର ଟଙ୍କା ଏବଂ ୨ଟି ମୋବାଇଲ୍ ଫୋନ୍ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ମହମ୍ମଦ ଅଶାନ ଅହମ୍ମଦ ଏବଂ ରିଜବାନ ଅନସାରି।

ସୂଚନା ଅନୁଯାୟୀ, ବଡ଼ମାଲ ଥାନା ଅନ୍ତର୍ଗତ ତୁମ୍ବେକେଲା ନିକଟରେ ଏକ ସନ୍ଦିଗ୍ଧ ଟ୍ରକ୍ ଅଟକି ରହିଥିବା ନେଇ ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା। ଖବର ପାଇ ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଥିଲା। ଟ୍ରକ୍‌ରେ ତଲାସି ନେବା ସମୟରେ ସେଥିରୁ ୧୯୭ଟି କାର୍ଟୁନ୍‌ରେ ରଖାଯାଇଥିବା କଫ୍ ସିରପ୍ ବାହାରିଥିଲା।

Also Read:  ​​​​​​​ସିଭିଲ୍ ଟାଉନସିପ୍‌ରେ ସେକ୍ସ ରାକେଟ୍‌ ଠାବ ; ଯୁବତୀ ଓ ନାବାଳିକା ଉଦ୍ଧାର, ୩ ଯୁବକ ଅଟକ

ଏହି ସଫଳତା ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଏସପି ବିସ୍ତୃତ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଅନ୍ତଃରାଜ୍ୟ ନିଶା କାରବାର ରାକେଟ୍‌ର ପର୍ଦ୍ଦାଫାଶ ପାଇଁ ପୋଲିସର ତଦନ୍ତ ଜାରି ରହିଛି। ଏହି କାରବାର ପଛରେ ଅନ୍ୟ କେଉଁମାନଙ୍କର ହାତ ରହିଛି ଏବଂ ଏହି ସିରପ୍ କେଉଁଆଡ଼କୁ ଚାଲାଣ ହେଉଥିଲା, ସେ ନେଇ ଅଭିଯୁକ୍ତମାନଙ୍କୁ ଅଧିକ ପଚରାଉଚୁରା କରାଯାଉଛି।