ଭୁବନେଶ୍ବର ୪।୬: ଜୁନ୍ ୪ । ଦୁଇବର୍ଷ ତଳେ ଠିକ୍ ଏହିଦିନ ହିଁ ଓଡ଼ିଶାରୁ କ୍ଷମତାଚ୍ୟୁତ ହୋଇଥିଲା ବିଜେଡି ।  ଏକାକୀ ସଂଖ୍ୟାଗରିଷ୍ଠ ହୋଇ ବିଜୟବାନା ଉଡ଼ାଇଥିଲା ବିଜେପି। ଆଉ ଏହାର କିଛି ଦିନ ପରେ, ଜୁନ୍ ୧୨ ତାରିଖରେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୋହନ ଚରଣ ମାଝୀ । ତେଣୁ ଏହି ଜୁନ୍ ୪ ତାରିଖକୁ ମନେ ପକାଇଛି ବିଜେପି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ଦୁଇ ବର୍ଷ ପୂର୍ବେ ଆଜିର ଦିନରେ ଆପଣମାନେ ପରିବର୍ତ୍ତନର ସଂକଳ୍ପ ନେଇ ଭାରତୀୟ ଜନତା ପାର୍ଟି ସପକ୍ଷରେ ଏକ ଐତିହାସିକ ଓ ସ୍ପଷ୍ଟ ଜନମତ ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସେବା, ସୁଶାସନ ଓ ଗରିବ କଲ୍ୟାଣର ଆଦର୍ଶରେ ଅନୁପ୍ରାଣିତ ହୋଇ ଡବଲ ଇଞ୍ଜିନ ସରକାର ଗତ ଦୁଇ ବର୍ଷ ମଧ୍ୟରେ କେନ୍ଦ୍ର ଓ ରାଜ୍ୟର ସମନ୍ୱୟରେ ଓଡ଼ିଶାରେ ବିକାଶର ଏକ ନୂତନ ଯୁଗର ସୂତ୍ରପାତ କରିଛି । ବିଜେପି ସରକାର ପ୍ରଶାସନିକ ସ୍ୱଚ୍ଛତା, ଦାୟିତ୍ୱବୋଧ ଏବଂ ଜନକଲ୍ୟାଣକୁ ସର୍ବୋଚ୍ଚ ଗୁରୁତ୍ୱ ଦେଇ ରାଜ୍ୟର ପ୍ରତ୍ୟେକ ଶ୍ରେଣୀର ନାଗରିକଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସଂପୂର୍ଣ୍ଣ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଜନସାଧାରଣଙ୍କର ଜନମତ କେବଳ ଏକ ଶକ୍ତିଶାଳୀ ସରକାର ଗଠନ କରିନାହିଁ, ବରଂ ଦୀର୍ଘ ଦିନର ସ୍ଥାଣୁତାକୁ ଭାଙ୍ଗି ଏକ ସ୍ଵଚ୍ଛ, ସମୃଦ୍ଧ ଓ ପ୍ରଗତିଶୀଳ ଓଡ଼ିଶା ନିର୍ମାଣର ମୂଳଦୁଆ ସ୍ଥାପନ କରିଛି ।

Also Read:- ରାଜ୍ୟରେ ଫେରିବ ମୂଳ ଓଡ଼ିଆ ନାମ, ୫୦ରୁ ଅଧିକ ସ୍ଥାନର ନାମ ପରିବର୍ତ୍ତନ ପ୍ରସ୍ତାବ

ଆଜି ଦୁଇ ବର୍ଷ ପୂର୍ଣ୍ଣ ହୋଇଛି। ଏଥିସହିତ ଏକାକୀ ବିଜେଡିର ୧୫ ବର୍ଷର ଶାସନ ସହିତ ଏକାକୀ ବିଜେପିର ଦୁଇ ବର୍ଷ ଶାସନକାଳକୁ ତୁଳନା କରିଛନ୍ତି ରାଜ୍ୟର ନେତା ଓ ମନ୍ତ୍ରୀ। ଓଡ଼ିଶାର ଅଗଣିତ ଜନତା ଏବଂ ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଆଜିର ଦିନରେ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଅର୍ପଣ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛି ବିଜେପି।  ରତ୍ନ ଭଣ୍ଡାର ଗଣତି ହୋଇଛି, ସୁଭଦ୍ରା ଯୋଜନାରେ ମହିଳାଙ୍କ ଆକାଉଣ୍ଟକୁ ଆସିଛି ଟଙ୍କା, ରାଜ୍ୟରେ ଲାଗୁ ହୋଇଛି ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା। କେନ୍ଦ୍ର ଓ ରାଜ୍ୟରେ ବିଜେପିର ଡବଲ ଇଞ୍ଜିନ ସରକାର ଲୋକଙ୍କୁ ଡବଲ ବିକାଶର ନାରା ଦେଇ କାର୍ଯ୍ୟ କରୁଛି। ଲୋକଙ୍କ ସେବାରେ ଲୋକଙ୍କ ସରକାର ନିୟୋଜିତ ହୋଇଛି ବୋଲି କହିଛନ୍ତି ବିଜେପି ନେତା।

ଆଗାମୀ ଜୁନ୍ ୧୨ ରୁ ୨୧ ତାରିଖ ପର୍ଯ୍ୟନ୍ତ ସରକାରର ଦୁଇ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବାକୁ ଯାଉଛି ବିଜେପି । ଜୁନ୍ ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସ୍ତରୀୟ ଦୁଇ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେବାକୁ ଓଡ଼ିଶା ଆସୁଛନ୍ତି ।