IPL 2026 MI vs PBKS: ରୋମାଞ୍ଚକର ଏବଂ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ବାଜି ମାରିଲା ମୁମ୍ବାଇ ଇଣ୍ଡିଆନ୍ସ। ତିଳକ ବର୍ମା ଧୂଆଁଧାର ବ୍ୟାଟିଂ କରି ଦଳକୁ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ସେ ୩୩ ବଲରୁ ଅପରାଜିତ ୭୫ ରନ କରି ଅପରାଜିତ ଥିଲେ। ଅନ୍ୟପଟେ ପଞ୍ଜାବ କିଙ୍ଗ୍ସ ଲଗାତାର ପଞ୍ଚମ ପରାଜୟ ଭୋଗିଛି। ମୁମ୍ବାଇ ମ୍ୟାଚ୍ ଜିତି ପଞ୍ଜାବ ପାଇଁ ପ୍ଲେ ଅଫ୍ ଯିବା କଷ୍ଟକର କରି ଦେଇଛି। ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ୮ ଓ୍ଵିକେଟ୍ ହରାଇ ୨୦୦ ରନ କରିଥିଲା। ଜବାବରେ ମୁମ୍ବାଇ ୧୯.୫ ଓଭରରେ ୪ ଓ୍ଵିକେଟ୍ ହରାଇ ଜିତି ନେଇଛି। ଏହା ସିଜିନରେ ମୁମ୍ବାଇର ଚତୁର୍ଥ ବିଜୟ। ତିଳକଙ୍କ ବ୍ୟତୀତ ରିକଲଟନ ୪୮ ରନ କରିଥିଲେ

୨୦୧ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ଦୁଇ ଓପନର ରିୟାନ ରିକଲଟନ ଓ ରୋହିତ ଶର୍ମା ଦମଦାର ଆରମ୍ଭ ଦେଇଥିଲେ। ବିଶେଷକ ରିକଲଟନ ଧୂଆଁଧାର ବ୍ୟାଟିଂ କରିଥିଲେ। ସେ ୨୩ ବଲରୁ ୪ ଚୌକା ଓ ୪ ଛକା ସହ ୪୮ ରନ କରିଥିଲେ। ନମନ ଧୀର(୯) କ୍ରିଜରେ ତିଷ୍ଠି ପାରି ନ ଥିଲେ। ରୋହିତ ଶର୍ମା ୨୫ ରନ କରିଥିଲେ ହେଁ ଧିମା ଇନିଂସ ଖେଳିଥିଲେ। ଓ୍ଵିକେଟ୍ ହରାଇବାରୁ ମୁମ୍ବାଇର ରନ ହାର ଧିମେଇ ଯାଇଥିଲା। ହେଲେ ତିଳକ ବର୍ମା ଓ ଶେରଫନ ରଦରଫୋର୍ଡ ୬୧ ରନ ଯୋଡ଼ି ମୁମ୍ବାଇର ବିଜୟ ଆଶା ଉଜ୍ଜିବୀତ ରହିଥିଲା।

ରଦରଫୋର୍ଡ ୨୦ ରନ କରି ଆଉଟ୍ ହୋଇଥିଲେ। ଅନ୍ୟପଟେ ତିଳକ ବର୍ମା ଧୂଆଁଧାର ବ୍ୟାଟିଂ କରିଥିଲେ। ତାଙ୍କୁ ସହାୟତା ଦେଇଥିଲେ ଓ୍ଵିଲ ଜ୍ୟାକ୍ସ। ସେ ୧୦ ବଲରୁ ୨୫ ରନ କରି ଅପରାଜିତ ଥିଲେ। ଶେଷ ଆଡ଼କୁ  ମ୍ୟାଚ୍ ରୋମାଞ୍ଚକର ହୋଇଥିଲା। ତେବେ ତିଳକ ୩୩ ବଲରୁ ୬ ଚୌକା ଓ ୬ ଛକା ସହ ୭୫ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ତିଳକ ବିଜୟ ସୂଚକ ଚୌକା ମାରି ଦଳକୁ ଜିତାଇଥିଲେ। ​​​​​​​ ଏହା ପୂର୍ବରୁ ପ୍ରଭସିମରନ ସିଂଙ୍କ ୫୭ ରନ ଓ ଅଜମତୁଲ୍ଲା ଉମରଜାଇଙ୍କ ୧୭ ବଲରୁ ୩୮ ରନ ବଳରେ ପଞ୍ଜାବ ୨୦୦ ରନ କରି ପାରିଥିଲା। ଏହି ପରାଜୟ ପଞ୍ଜାବ ପାଇଁ ପ୍ଲେ ଅଫରେ ପ୍ରବେଶ ମୁସ୍କିଲ କରି ଦେଇଛି।