କେନ୍ଦ୍ରାପଡ଼ା ୧।୧୧: କେନ୍ଦ୍ରାପଡ଼ାର ଐତିହାସିକ ଲକ୍ଷ୍ମୀପୂଜାର ଶତବାର୍ଷିକୀ ଉତ୍ସବ ଅବସରରେ ଆୟୋଜିତ ହେଉଥିବା ଲକ୍ଷ୍ମୀପୂଜା ଭସାଣି ଶୋଭାଯାତ୍ରା ଓ ମେଲଣକୁ ଶାନ୍ତିଶୃଙ୍ଖଳା, ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ଓ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ଅବସରରେ କେନ୍ଦ୍ରାପଡ଼ା ସହର ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୩୦ରୁ ଅଧିକ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଆଇନଶୃଙ୍ଖଳା ରକ୍ଷା, ଜନସମାଗମ ନିୟନ୍ତ୍ରଣ ଏବଂ ଶ୍ରଦ୍ଧାଳୁ ଓ ଦର୍ଶକମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ଏଏସ୍‌ପି, ଡିଏସ୍‌ପି, ଇନ୍ସପେକ୍ଟର ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି ।

କଟକ କେନ୍ଦ୍ରାଞ୍ଚଳ ଆଇଜିପି ଡଃ ସତ୍ୟଜିତ ନାୟକ, ଏବଂ କେନ୍ଦ୍ରାପଡ଼ା ଏସ୍‌ପି ସିଦ୍ଧାର୍ଥ କାଟାରିଆ, ନିଜେ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି । ଉଭୟ ବରିଷ୍ଠ ଅଧିକାରୀ ବିଭିନ୍ନ ସମ୍ବେଦନଶୀଳ ଓ ଜନଗହଳିପୂର୍ଣ୍ଣ ସ୍ଥାନ ପରିଦର୍ଶନ କରି ପୋଲିସ ମୁତୟନ, ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥାର ସ୍ଥିତି ସମୀକ୍ଷା କରିବା ସହ କ୍ଷେତ୍ରରେ ନିୟୋଜିତ ପୋଲିସ କର୍ମଚାରୀଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦେଉଛନ୍ତି । ବିଭିନ୍ନ ସମ୍ବେଦନଶୀଳ ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ସ୍ୱତନ୍ତ୍ର ପୋଲିସ ଟିମ୍‌ ନିୟୋଜିତ ହୋଇଥିବାବେଳେ ମୋବାଇଲ୍‌ ପାଟ୍ରୋଲିଂ ୟୁନିଟ୍‌, ଷ୍ଟ୍ରାଇକିଂ ଫୋର୍ସ ଓ ସାଦା ପୋଷାକଧାରୀ ପୋଲିସ କର୍ମଚାରୀଙ୍କ ଦ୍ୱାରା ନିରନ୍ତର ନଜର ରଖାଯାଉଛି । ଶ୍ରଦ୍ଧାଳୁମାନଙ୍କ ସୁବିଧାଜନକ ଯାତାୟାତ ପାଇଁ ଟ୍ରାଫିକ୍‌ ନିୟନ୍ତ୍ରଣ, ନିର୍ଦ୍ଧାରିତ ପାର୍କିଂ ସ୍ଥଳ ଏବଂ ଜନସାଧାରଣଙ୍କ ଚଳପ୍ରଚଳ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

Also Read:- ଶ୍ରମବଳର ୧% କର୍ମଚାରୀ ଛଟେଇ କରିବ ଅଲାସ୍କା ଏୟାରଲାଇନ୍ସ ,ଗଲା ୨୦୦ କର୍ମଚାରୀଙ୍କ ଚାକିରି

ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ସିସିଟିଭି ନିରୀକ୍ଷଣ ଓ ଅନ୍ୟାନ୍ୟ ବୈଷୟିକ ବ୍ୟବସ୍ଥାର ଉପଯୋଗ କରାଯାଉଛି । ଯେକୌଣସି ଜରୁରୀ ପରିସ୍ଥିତିର ତୁରନ୍ତ ମୁକାବିଲା ପାଇଁ ପୋଲିସ କର୍ମଚାରୀମାନଙ୍କୁ ସଜାଗ ରହିବା ସହ ପୂଜା କମିଟି, ସ୍ୱେଚ୍ଛାସେବୀ ଏବଂ ଅନ୍ୟାନ୍ୟ ବିଭାଗ ସହ ସମନ୍ୱୟ ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁ, ପୂଜା କମିଟି ଓ ଜନସାଧାରଣଙ୍କୁ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା, ପୋଲିସକୁ ସହଯୋଗ କରିବା, ଟ୍ରାଫିକ୍‌ ନିୟମ ଓ ପାର୍କିଂ ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରାଯାଇଛି। ଗୁଜବରେ ବିଶ୍ୱାସ ନକରିବା ସହ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ଦେଖିଲେ ତୁରନ୍ତ ନିକଟସ୍ଥ ପୋଲିସ କର୍ମଚାରୀଙ୍କୁ ଅବଗତ କରାଇବାକୁ ମଧ୍ୟ ଅନୁରୋଧ କରାଯାଇଛି ।