ମୁମ୍ଵାଇ ୨୦।୧୦; ମହାରାଷ୍ଟ୍ରରେ ଭଡ ଅଘଟଣ । କୁର୍ଲାର ପଶ୍ଚିମ ଅଞ୍ଚଳରେ ସକାଳ ପ୍ରାୟ ୬ଟା ୫୩ ସମୟରେ ଏକ ୧୩ ମହଲା ଆବାସିକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୯ ଜଣ ଆହତ ହୋଇଛନ୍ତି। ଅଗ୍ନିକାଣ୍ଡ ଯୋଗୁଁ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ନଗର ନିଗମ ଏବଂ ଅଗ୍ନିଶମ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ରାଜାୱାଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ଆହତ ବିପଦମୁକ୍ତ ଥିବା ଜଣାପଡ଼ିଛି। ଆହତମାନଙ୍କ ମଧ୍ୟରେ ଜଣେ ପାଞ୍ଚ ବର୍ଷର ପୁଅ, ଜଣେ ୧୪ ବର୍ଷର ଝିଅ ଏବଂ ଜଣେ ୧୭ ବର୍ଷର ଝିଅ ଅଛନ୍ତି ।

ଅନ୍ୟ ଆହତମାନଙ୍କ ମଧ୍ୟରେ ୧୮ ରୁ ୬୫ ବର୍ଷ ବୟସର ବ୍ୟକ୍ତି ଅଛନ୍ତି।ବୃହନ୍ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ(ବିଏମସି) ଅଧିକାରୀଙ୍କ ଅନୁଯାୟୀ, କୁର୍ଲା ପଶ୍ଚିମରେ ଥିବା କୋହିନୂର ଏଚଡିଆଇଏଲ କୋଠା ନମ୍ବର ୫ ରେ ଅଗ୍ନିକାଣ୍ଡ ଘଟିଛି।ଅଗ୍ନିକାଣ୍ଡର ମୁଖ୍ୟ କାରଣ ବିଦ୍ୟୁତ୍ ତାର ଏବଂ ଡକ୍ଟୱାର୍କ ବୋଲି ଅନୁମାନ କରାଯାଉଛି, ଯାହା ଦ୍ରୁତ ଗତିରେ ଉପର ମହଲାକୁ ବ୍ୟାପିଯାଇଥିଲା। ସକାଳୁ ସକାଳୁ ହଠାତ୍ ଘଟିଥିବା ଏହି ଘଟଣା ନେଇ କୋଠାର ବାସିନ୍ଦାମାନେ ଭୟଭୀତ ହୋଇଯାଇଥିଲେ। ସେମାନେ ନିରାପଦ ସ୍ଥାନକୁ ପଳାଇ ଯାଇଥିଲେ।

ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ମୁମ୍ବାଇ ପୁଲିସ ଏବଂ ଅଗ୍ନିଶମ ବାହିନୀ ଗାଡ଼ିଗୁଡ଼ିକ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଅଗ୍ନିଶମ ବାହିନୀ କର୍ମଚାରୀମାନେ ସକାଳ ପ୍ରାୟ ୭ଟା ୨୧ ସୁଦ୍ଧା ନିଆଁକୁ ସମ୍ପୂର୍ଣ୍ଣ କାବୁ କରିଥିଲେ, ଯାହା ଫଳରେ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା। ସ୍ଥାନୀୟ ପ୍ରଶାସନ ଏବଂ ଅଗ୍ନିଶମ ବିଭାଗ ବର୍ତ୍ତମାନ ବିଦ୍ୟୁତ୍ ଡକ୍ଟରେ ସର୍ଟ ସର୍କିଟର କାରଣ ତଦନ୍ତ କରୁଛନ୍ତି।