ୱାଶିଂଟନ୍: ଆମେରିକାରେ ନିର୍ବାଚନୀ ଜାଲିଆତି ଅଭିଯୋଗ। ୨୮ ଜଣ ଗ୍ରୀନ୍କାର୍ଡଧାରୀଙ୍କ ବିରୋଧରେ ମାମଲା । ଏହି ତାଲିକାରେ ଦୁଇ ଜଣ ଭାରତୀୟ ନାଗରିକ ମଧ୍ୟ ସାମିଲ। ଆମେରିକାର ନ୍ୟାୟ ବିଭାଗ ସୋମବାର ଏକ ବିବୃତି ଜରିଆରେ ଏହି ସୂଚନା ଦେଇଛି। ୨୦୨୪ ନଭେମ୍ବରରେ ହୋଇଥିବା ଆମେରିକାର ସାଧାରଣ ନିର୍ବାଚନରେ ଜାଲିଆତି କରି ଭୋଟର ଭାବେ ପଞ୍ଜୀକରଣ କରିବା ଏବଂ ଭୋଟ୍ ଦେବା ଅଭିଯୋଗ ସେମାନଙ୍କ ବିରୋଧରେ ଆସିଛି।

ନ୍ୟାୟ ବିଭାଗର ସୂଚନା ଅନୁସାରେ, କମଳେଶ ଶାହ କାଲିଫର୍ଣ୍ଣିଆର ସାକ୍ରାମେଣ୍ଟୋର ବାସିନ୍ଦା। ତାଙ୍କ ବିରୋଧରେ ୨୦୨୪ ନଭେମ୍ବରରେ ଆମେରିକାର ସାଧାରଣ ନିର୍ବାଚନ ଦିନ ଜାଲିଆତି କରି ଭୋଟର ଭାବେ ପଞ୍ଜୀକରଣ କରିବା ଏବଂ ସେହି ଦିନ ଭୋଟ୍ ଦେବା ଅଭିଯୋଗ ହୋଇଛି।

ଆମେରିକାରେ ନିର୍ବାଚନୀ ଜାଲିଆତି ରୋକିବା ଏବଂ ନିର୍ବାଚନର ସ୍ୱଚ୍ଛତା ବଜାୟ ରଖିବା ପାଇଁ ନ୍ୟାୟ ବିଭାଗ ପକ୍ଷରୁ ‘ଅପରେସନ୍ ପ୍ରୋଟେକ୍ଟ ଦି ଭୋଟ୍’ ଆରମ୍ଭ କରାଯାଇଛି। ଏହି ଅଭିଯାନ ଅଧୀନରେ ୨୮ ଅଭିଯୁକ୍ତଙ୍କ ମଧ୍ୟରୁ ୧୧ ଜଣଙ୍କୁ ଗିରଫ କରାଯାଇଛି। ତେବେ ଏମାନଙ୍କ ମଧ୍ୟରେ ଭାରତୀୟ ନାଗରିକ ଅମନଦୀପ କୌର ଏବଂ କମଳେଶ ଶାହ ଅଛନ୍ତି।

also read-ବିବିଧତା ମଧ୍ୟରେ ଭାରତ ଏକାଠି ରହିଛି ଏବଂ ଭବିଷ୍ୟତରେ ମଧ୍ୟ ଏକଜୁଟ ହୋଇ ରହିବ – ମୋହନ ଭାଗବତ

ଏହି ମାମଲାରେ ନାଗରିକତା ଆବେଦନ ସମୟରେ ମିଥ୍ୟା ତଥ୍ୟ ଦେବା ଏବଂ ଜାଲିଆତି କରି ଭୋଟର ପଞ୍ଜୀକରଣ କରିବା ଭଳି ଅଭିଯୋଗ ରହିଛି। ଏହି ଅପରାଧଗୁଡ଼ିକ ପ୍ରମାଣିତ ହେଲେ ଅଭିଯୁକ୍ତଙ୍କୁ ସର୍ବାଧିକ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ।

ଆମେରିକାର ନ୍ୟାୟ ବିଭାଗ ସ୍ପଷ୍ଟ କରିଛି ଯେ ମାମଲାରେ ଅଭିଯୁକ୍ତ ହୋଇଥିବା ସମସ୍ତ ୨୮ ଜଣ ବିଦେଶୀ ନାଗରିକ ଆଇନଗତ ସ୍ଥାୟୀ ବାସିନ୍ଦା ବା ଗ୍ରୀନ୍କାର୍ଡଧାରୀ। ଗ୍ରୀନ୍କାର୍ଡ ଆମେରିକାରେ ରହିବା ଓ କାମ କରିବାର ଆଇନଗତ ଅଧିକାର ଦେଉଥିଲେ ମଧ୍ୟ ଏହା ଆମେରିକୀୟ ନାଗରିକତା ପ୍ରଦାନ କରେ ନାହିଁ। ତେଣୁ ସାଧାରଣତଃ ସେମାନେ ଆମେରିକାର ଫେଡେରାଲ୍ ନିର୍ବାଚନରେ ଭୋଟ୍ ଦେଇପାରିବେ ନାହିଁ।