India Bangladesh Relations: ବାଂଲାଦେଶର ଶାସକ ଦଳ 'ବାଂଲାଦେଶ ନାସନାଲିଷ୍ଟ ପାର୍ଟି' (BNP) ଭାରତ ସହିତ ଭବିଷ୍ୟତର ସମ୍ପର୍କକୁ ଗଙ୍ଗା ଜଳ ବଣ୍ଟନ ଚୁକ୍ତିର ନବୀକରଣ ସହ ଯୋଡ଼ିଛି। ବାଂଲାଦେଶର ଜନସାଧାରଣଙ୍କ "ଆଶା ଏବଂ ଆବଶ୍ୟକତା" କୁ ପ୍ରତିଫଳିତ କରୁଥିବା ଏକ ନୂଆ ଚୁକ୍ତିନାମା ପାଇଁ ଭାରତ ସହିତ ତୁରନ୍ତ ଆଲୋଚନା କରିବାକୁ ଦଳ ଜୋର ଦେଇଛି। ଭାରତ ଏବଂ ବାଂଲାଦେଶ ମଧ୍ୟରେ ୧୯୯୬ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ କାର୍ଯ୍ୟକାଳ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ଗଙ୍ଗା ଜଳ ବଣ୍ଟନ ଚୁକ୍ତିର ଅବଧି ଚଳିତ ବର୍ଷ (୨୦୨୬) ଡିସେମ୍ବର ମାସରେ ଶେଷ ହେବାକୁ ଯାଉଛି। ତେଣୁ ନୂଆ ଚିୁକ୍ତିର ଆବଶ୍ୟକତା ରହିଛି।

ଢାକାରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ବିଏନପି ମହାସଚିବ ତଥା ଗ୍ରାମ୍ୟ ଉନ୍ନୟନ ଓ ସମବାୟ ମନ୍ତ୍ରୀ ମିର୍ଜା ଫକରୁଲ ଇସଲାମ ଆଲାମଗୀର କହିଛନ୍ତି ଯେ ବାଂଲାଦେଶ ଭାରତକୁ ଏକ "ସ୍ପଷ୍ଟ ବାର୍ତ୍ତା" ପଠାଇବାକୁ ଚାହୁଁଛି। ବାଂଲାଦେଶୀ ଲୋକଙ୍କ ସ୍ୱାର୍ଥ ରକ୍ଷା କରି ଆଲୋଚନା ମାଧ୍ୟମରେ ଏକ ନୂଆ ଚୁକ୍ତି ସ୍ଥିର କରାଯିବା ଆବଶ୍ୟକ। ଆଲାମଗୀର କହିଛନ୍ତି, "ଭାରତ ସହିତ ସୁସମ୍ପର୍କ ସ୍ଥାପନର ସୁଯୋଗ ଗଙ୍ଗା ଜଳ ବଣ୍ଟନ ଚୁକ୍ତି କିମ୍ବା ଫରାକ୍କା ଚୁକ୍ତିନାମା ସ୍ୱାକ୍ଷର ଉପରେ ନିର୍ଭର କରିବ।" ସେ ଏହା ମଧ୍ୟ କହିଛନ୍ତି ଯେ ଏକ ନୂଆ ଚୁକ୍ତି ସ୍ୱାକ୍ଷରିତ ନହେବା ପର୍ଯ୍ୟନ୍ତ ବର୍ତ୍ତମାନର ଚୁକ୍ତିନାମା କାର୍ଯ୍ୟକାରୀ ରହିବା ଉଚିତ, ଏବଂ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଭବିଷ୍ୟତର ଜଳ ବଣ୍ଟନ ବ୍ୟବସ୍ଥା ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟକାଳ ମଧ୍ୟରେ ସୀମିତ ରହିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ଗଙ୍ଗା ଜଳର ଗୁରୁତ୍ୱ ଓ ବିବାଦ:
ଗଙ୍ଗା ନଦୀ, ବାଂଲାଦେଶର ଚାପାଇ ନବାବଗଞ୍ଜ ଜିଲ୍ଲା ଦେଇ ପ୍ରବେଶ କରିବା ପରେ 'ପଦ୍ମା' ନାଁରେ ପରିଚିତ ହେଉଛି। ଯେହେତୁ ବାଂଲାଦେଶ ତଳମୁଣ୍ଡରେ ରହୁଛି, ତେଣୁ ଗଙ୍ଗା ନଦୀର ଜଳ ଦେଶର କୃଷି, ଜୈବ ବିବିଧତା ଏବଂ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବାଂଲାଦେଶର ପ୍ରାୟ ୫୪ଟି ନଦୀ ଭାରତରୁ ଉତ୍ପନ୍ନ କିମ୍ବା ପ୍ରବାହିତ ହେଉଥିବାରୁ ଏହା ସୀମାନ୍ତ ଜଳ ବଣ୍ଟନ ବ୍ୟବସ୍ଥା ଉପରେ ବହୁତ ନିର୍ଭର କରେ। ଆଲାମଗୀରଙ୍କ ଅନୁଯାୟୀ, ବାଂଲାଦେଶର ୧୭ କୋଟି ଜନସଂଖ୍ୟାର ପ୍ରାୟ ଏକ-ତୃତୀୟାଂଶ ସେମାନଙ୍କ ଜୀବିକା ଏବଂ ପରିବେଶର ସ୍ଥିରତା ପାଇଁ ଏହି ନଦୀ ପ୍ରଣାଳୀ ଉପରେ ନିର୍ଭର କରନ୍ତି।

Also Read- Donald Trump AI Photo Iran War Warning: ଇରାନକୁ ଡୋନାଲ୍ଡ ଟ୍ରମ୍ପଙ୍କ ଶେଷ ଚେତାବନୀ, ଆସୁଛି ବହୁତ ଖରାପ ସମୟ

ବାଂଲାଦେଶରେ ଫରାକ୍କା ସମସ୍ୟା ଦୀର୍ଘ ଦିନ ଧରି ରାଜନୈତିକ ଏବଂ ଭାବନାତ୍ମକ ଭାବେ ସମ୍ବେଦନଶୀଳ ରହିଆସିଛି। ବାଂଲାଦେଶର ପରବର୍ତ୍ତୀ ସରକାର ଏବଂ ଜଳ ବିଶେଷଜ୍ଞମାନେ ଯୁକ୍ତି ବାଢ଼ିଛନ୍ତି ଯେ ଫରାକ୍କା ବ୍ୟାରେଜ୍ ଯୋଗୁ ଖରାଦିନରେ ତଳମୁଣ୍ଡର ପ୍ରବାହ ହ୍ରାସ ପାଇଛି। ଏହା ଦ୍ୱାରା ଲୁଣିପାଣି ମାଡ଼ିଯିବା ସହ ନଦୀ ପ୍ରଣାଳୀର କ୍ଷତି ହୋଇଛି ଏବଂ ଅନେକ ଅଞ୍ଚଳରେ କୃଷି ଓ ପରିବେଶ ପ୍ରଭାବିତ ହୋଇଛି। ଅପରପକ୍ଷରେ, ଭାରତ କ୍ରମାଗତ ଭାବେ କହିଆସୁଛି ଯେ ହୁଗୁଳି ନଦୀକୁ ପାଣି ମୋଡ଼ି ପଟୁ ମାଟି ସଫା କରିବା ଏବଂ କୋଲକାତା ବନ୍ଦରର ନାଭିଗେବିଲିଟି (ଜଳଯାତ୍ରା ଯୋଗ୍ୟତା) ବଜାୟ ରଖିବା ପାଇଁ ମୁଖ୍ୟତଃ ଫରାକ୍କା ବ୍ୟାରେଜ୍ ନିର୍ମାଣ କରାଯାଇଥିଲା।

ବାଂଲାଦେଶର ପଦ୍ମା ବ୍ୟାରେଜ୍ ଯୋଜନା:

ବିଏନପି ନେତାଙ୍କ ଏହି ମନ୍ତବ୍ୟ ବାଂଲାଦେଶର ପଦ୍ମା ନଦୀ ଉପରେ ଏକ ମେଗା ବ୍ୟାରେଜ୍ ପ୍ରକଳ୍ପକୁ ମଞ୍ଜୁରୀ ମିଳିବାର ମାତ୍ର କିଛି ଦିନ ପରେ ଆସିଛି। ଢାକାର କହିବା ଅନୁଯାୟୀ, ଫରାକ୍କା ବ୍ୟାରେଜର "ନକାରାତ୍ମକ ପ୍ରଭାବ" କୁ ହ୍ରାସ କରିବା ପାଇଁ ଏହି ପ୍ରକଳ୍ପ କରାଯାଉଛି। ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ଅର୍ଥନୈତିକ ପରିଷଦର କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଚଳିତ ସପ୍ତାହ ଆରମ୍ଭରେ ଏହି ପ୍ରକଳ୍ପକୁ ଅନୁମୋଦନ କରାଯାଇଥିଲା, ଯାହା ୨୦୩୩ ସୁଦ୍ଧା ଶେଷ ହେବାର ଆଶା କରାଯାଉଛି। ବାଂଲାଦେଶର ଜଳ ସମ୍ପଦ ମନ୍ତ୍ରୀ ଶାହିଦୁଦ୍ଦୀନ ଚୌଧୁରୀ ଆନି କହିଛନ୍ତି ଯେ ପ୍ରସ୍ତାବିତ ବ୍ୟାରେଜ୍ ବାଂଲାଦେଶର ଜାତୀୟ ସ୍ୱାର୍ଥ ସହ ଜଡ଼ିତ ଏବଂ ଏଥିପାଇଁ ଭାରତ ସହ ପରାମର୍ଶ କରିବାର ଆବଶ୍ୟକତା ନାହିଁ।

ତେବେ ଏହି ପ୍ରକଳ୍ପକୁ ନେଇ ବିଶେଷଜ୍ଞଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି। ମୂଳ ଗଙ୍ଗା ଚୁକ୍ତିନାମାର ଚିଠା ପ୍ରସ୍ତୁତିରେ ସାହାଯ୍ୟ କରିଥିବା ଜଳ ବିଶେଷଜ୍ଞ ଆଇନୁନ ନିଶାତ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଯେ ଏହାର କାର୍ଯ୍ୟକାରିତା ଭାରତ ସହିତ ଜଳ ବଣ୍ଟନ ଚୁକ୍ତିର ନିରନ୍ତରତା ଉପରେ ନିର୍ଭର କରିବ। ଅନ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ପ୍ରସ୍ତାବିତ ବ୍ୟାରେଜ୍ ବାଂଲାଦେଶର ନଦୀଗୁଡ଼ିକରେ ପଟୁମାଟି ଜମା ହେବା ସମସ୍ୟାକୁ ଆହୁରି ବିଗାଡ଼ି ଦେଇପାରେ, ଯାହା ଫରାକ୍କା ବ୍ୟାରେଜ୍ ସହ ଜଡ଼ିତ ଚିନ୍ତାକୁ ଆହୁରି ବଢ଼ାଇବ।

Also Read- ‘ହୋର୍ମୁଜରେ ଆମ ଜାହାଜ ଉପରେ ଆକ୍ରମଣ ସହ୍ୟ କରିବୁନି...’, UNରେ ଭାରତର କଡ଼ା ଜବାବ