• ୫୦ ହଜାର ଋତୁକାଳୀନ ଲୁଣ ଶ୍ରମିକ  ଲବଣ ଉତ୍ପାଦନ ପାଇଁ ଜୀବନକୁ  ବାଜିରେ ଲଗାନ୍ତି
  • ପ୍ରତି ବର୍ଷ ଗ୍ରୀଷ୍ମରେ ଭାରତର ଅଧିକାଂଶ ଅଞ୍ଚଳ ଜଟିଳ ପରିସ୍ଥିତିର ସମ୍ମୁଖୀନ ହେଉଛି
  • ଶ୍ରମିକଙ୍କ ଜୀବନକୁ ଦୁର୍ବିସହ କରୁଥିବା ପାଗ ଲୁଣ ଉତ୍ପାଦନ ପାଇଁ ଜରୁରି

ଗାନ୍ଧି ନଗର : କେବେ କଳ୍ପନା କରିଛନ୍ତି ବିନା ଲୁଣରେ ଖାଦ୍ୟ! ଖାଇ ହେବନି ନା? ହେଲେ ଏହି ଲୁଣ କିପରି ତିଆରି ହୁଏ ଅନେକ ଜାଣି ନଥିବେ। ଯେତେବେଳେ ଗରମ ଦି ପହରେ ଆମେ ଘରେ ପଙ୍ଖା ତଳେ ସମୟ ବିତାଇ ଥାଉ ସେହି ଗରମରେ ଲୁଣ ପଡିଆରେ ବିନା ଛାଇରେ ଶ୍ରମିକ ଗ୍ରୀଷ୍ମ ସ୍ୱଭାବିକ ତାପମାତ୍ରାରୁ ବି ଅଧିକ ୪-୫ ଡିଗ୍ରି ତାପମାତ୍ରାରେ ସିଝି ଲୁଣ ଅମଳ କରନ୍ତି। ଭାରତର ମୋଟ ଲୁଣ ଆବଶ୍ୟକତାର ଏକ ଚତୁର୍ଥାଂଶ ଗୁଜରାଟ କଛର ଛୋଟ ରଣ ଅଞ୍ଚଳରୁ ଆସିଥାଏ। ଯେଉଁଠି ସାଧାରଣ ଦିନର ତାପମାତ୍ରା ୪୫ ଡିଗ୍ରି ସେଲସିୟସ ରହୁଥିବା ବେଳେ ଦିନେ ଦିନେ ୪୭-୪୮ ଡିଗ୍ରିକୁ ମଧ୍ୟ ବଢିଯାଏ। ଏପରି ଗରମରେ ପାଖାପାଖି ୫୦ ହଜାର ଋତୁକାଳୀନ ଲୁଣ ଶ୍ରମିକ ଏଠାରେ ଲବଣ ଉତ୍ପାଦନରେ ଲାଗିଥାନ୍ତି।

ସହି ହେଉନଥିବା ଗରମ ଓ ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବେ ଭାରତ ପାଇଁ କିଛି ନୂଆ କଥା ନୁହେଁ। ପ୍ରତି ବର୍ଷ ଗ୍ରୀଷ୍ମରେ ଭାରତର ଅଧିକାଂଶ ଅଞ୍ଚଳ ଜଟିଳ ପରିସ୍ଥିତିର ସମ୍ମୁଖୀନ ହେଉଛି। ହେଲେ ଦେଶର ପଶ୍ଚିମ ମରୁଭୂମି ଅଞ୍ଚଳର ଲୁଣା ପଡିଆରେ ମଣିଷକୁ ପୋଡି ପକାଇବା ଭଳି ପ୍ରଚଣ୍ଡ ଗରମ କ୍ୱଚିତ ସ୍ଥାନରେ ହୋଇଥାଏ। ତଥାପି ଏଠାରେ ଶ୍ରମିକ ଏହି ଅସହନୀୟ ତାପମାତ୍ରାରେ ନିଜକୁ ବଞ୍ଚାଇ ରଖିବା ରହିବା ପାଇଁ ବର୍ଷ ବର୍ଷ ଧରି ଦେଶୀ ଯୁଗାଡ ଉପରେ ଭରସା କରି ଆସୁଛନ୍ତି। ଗୁଜରାଟରେ ପାଖାପାଖି ୫୦ ହଜାର ଋତୁକାଳୀନ ଶ୍ରମିକ ବିନା ବିଦ୍ୟୁତ ଓ ସ୍ୱାସ୍ଥ୍ୟ ସେବା ସୁବିଧାରେ ଦୁର୍ଗମ ଲୁଣା ପଡିଆମାନଙ୍କରେ ୮ ମାସ ବିତାଉଛନ୍ତି।

ପିଇବା ପାଣି ପାଇଁ ଏଠାରେ ୨୫ ଦିନରେ ଥରେ ଆସୁଥିବା ଟ୍ୟାଙ୍କର ଉପରେ ନିର୍ଭର ରହୁଥିବା ଏହି ଲୋକେ ଏହି ତାପମାତ୍ରାରେ ବଞ୍ଚିବା ପାଇଁ ବିଶ୍ରାମ ନିମନ୍ତେ ଛାଇ ସ୍ଥାନ ଓଦା ଲୁଗାରେ ଥଣ୍ଡା ହେଉଥିବା ପାଣି ବୋତଲ ଓ କାର୍ଯ୍ୟ ଘଣ୍ଟା ବଦଳାଇବା ଭଳି ଉପାୟ ଅବଲମ୍ବନ କରନ୍ତି। ଗୁଜରାଟ କଚ୍ଛର ଛୋଟ ରଣ ଅଞ୍ଚଳରେ ତାପମାତ୍ରା ଗ୍ରୀଷ୍ମ ଋତୁରେ ୪୫ ଡିଗ୍ରି ସେଲସିୟସ୍ ପାର କରିଯାଇଥାଏ। କେବେ କେବେ ତାପମାତ୍ରା ୪୭-୪୮ ଡିଗ୍ରି ମଧ୍ୟ ହୋଇଯାଏ। ଏପରି ଗରମ ଯାହା ଶ୍ରମିକଙ୍କ ଜୀବନକୁ ଦୁର୍ବିସହ କରି ପକାଏ ହେଲେ ତାହା କିନ୍ତୁ ଲୁଣ ଉତ୍ପାଦନ ପାଇଁ ବେଶ୍ ଜରୁରି। ଭାରତର ମୋଟ ଲବଣ ଉତ୍ପାଦନର ତିନି ଚତୁର୍ଥାଂଶ ଗୁଜରାଟରୁ ପୂରଣ ହୋଇଥାଏ।

ଗ୍ରୀଷ୍ମରେ ଲୁଣ ପଡିଆର ତାପମାତ୍ରା ଢେର ବଢିଯାଏ। ଏଣୁ ଗରମ ଦି ପହରେ କାମ ନ କରି ଲୁଣ ଶ୍ରମିକ ଅଲଗା ଅଲଗା ସମୟରେ କାମ କରିନ୍ତି। ସକାଳେ ଶୀଘ୍ର ଓ ଅପରାହ୍ନରେ ସୂର୍ଯ୍ୟାସ୍ତ ପରେ ଶ୍ରମିକ ଲୁଣ ପଡିଆକୁ ଫେରନ୍ତି। ଦିନବେଳା ସବୁଠୁ ଅଧିକ ଗରମ ସମୟରେ ଲୋକେ ଅସ୍ଥାୟୀ କୁଡିଆମାନଙ୍କରେ ରହନ୍ତି ଓ କିଛି କିଛି ଘଣ୍ଟାରେ ଥରେ ପଡିଆକୁ ଯାଇ କାମ ଦେଖି ଆସନ୍ତି। ଏହି ଲୁଣ କୁଡିଆ ସବୁ କାଠ ଫ୍ରେମ ଉପରେ ମୋଟା ସୁତୁଲି ଅଖା ଘୋଡାଇ ତିଆରି କରାଯାଏ ଓ ଏହାକୁ ଗଧଙ୍କ ମଳରେ ଲିପା ଯାଏ।

ଲୁଣ ପଡିଆରେ କାମ କରୁଥିବା ଲୋକେ ପ୍ରତି ୨-୩ଘଣ୍ଟାରେ ଥରେ ଗ୍ରୀଷ୍ମ ପ୍ରକୋପରୁ ବର୍ତ୍ତିବା ପାଇଁ କୁଡିଆକୁ ଚାଲି ଆସନ୍ତି। ଲୁଣ ପଡିଆରେ ନା ଗଛ ଥାଏ ନା ଅନ୍ୟ କୌଣସି ପ୍ରାକୃତିକ ଛାଇ, ଏଥିରେ ଶ୍ୱେତ ଲବଣ ସୂର୍ଯ୍ୟଙ୍କ କିରଣରୁ ଭୀଷଣ ପ୍ରତିବିମ୍ବିତ କରେ। ଏଭଳି ପରିସ୍ଥିତିରେ ଲୁଣ ପଡିଆରେ ତିଆରି ହୋଇଥିବା କୁଡିଆ ଲୋକଙ୍କୁ ଅସହ୍ୟ ଗ୍ରୀଷ୍ମରେ ସାମାନ୍ୟ ଆଶ୍ୱସ୍ତି ଦେଇଥାଏ। ଏଠାରେ ଲୋକେ ପାଣିକୁ ଥଣ୍ଡା କରିବା ପାଇଁ ବୋତଲରେ ପୁରାଇ କପଡା ଗୁଡେଇ ରଶିରେ ଟାଙ୍ଗି ଦେଇଥାନ୍ତି, ଯାହା ବାସ୍ପିଭବନରେ ବୋତଲର ପାଣିକୁ ଥଣ୍ଡା କରିଥାଏ। ଏହା ଛଡା ଗରମରୁ ବର୍ତ୍ତିବା ପାଇଁ ଲୋକେ ପୂର୍ଣ୍ଣିମା ଦିନ ନାଲି ଚା ପିଅନ୍ତି। ଶ୍ରମିକ କହନ୍ତି କଚ୍ଛର ଶୁଷ୍କ ପରିବେଶରେ ଗରମ ନାଲି ଚା ଝାଳ ଦେଇଥାଏ ଓ ଦେହକୁ ଥଣ୍ଡା ରଖେ।

ଲବଣ ପ୍ରସ୍ତୁତି ପାଇଁ ଶ୍ରମିକ ଏଠାରେ କ୍ରିଷ୍ଟାଲାଇଜେସନ ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ ସବୁଦିନ ମାଟିକୁ ଆମ୍ପୁଡନ୍ତି। ସପ୍ତାହକ ପରେ ଏହା ଲୁଣର ମୋଟା ପରସ୍ତ ବନିଯାଏ। ଶହଶହ ବର୍ଷରୁ ଏଠାରେ ଲୋକେ ଲୁଣ ଉତ୍ପାଦନ କରିଆସୁଛନ୍ତି , ହେଲେ ଏହି କାମ ଅତ୍ୟନ୍ତ କଠିନ। ଶ୍ରମିକମାନେ ଏବେ ପୂର୍ବାପେକ୍ଷା ଅଧିକ ଦିନ ଗରମରେ କାମ କରୁଛନ୍ତି। ପୂର୍ବରୁ ଏଠାରେ ଖାରିଆ ପାଣିକୁ ପଡିଆକୁ ଆଣିବା ପାଇଁ ଡିଜେଲ ପମ୍ପ ବ୍ୟବହାର ହେଉଥିଲା। ଏବେ ସୋଲାର ପମ୍ପ ଆସିବା ଦିନଠାରୁ ଖର୍ଚ୍ଚ କମିଯାଇଛି ଓ ପରିବାରଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ କାମ କରିବାକୁ ସୁବିଧା ମିଳୁଛି। ଏହାର ଅର୍ଥ ହେଉଣି ଲବଣ ପ୍ରସ୍ତୁତିର ଯେଉଁ କାମ ମାର୍ଚ୍ଚ ମାସ ବେଳକୁ ସରି ଯାଉଥିଲା ତାହା ଏବେ ସବୁଠୁ ଗରମ ମାସରେ ବି ଜାରି ରହୁଛି।