ମୁମ୍ବାଇ : ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ପରେ ଏବେ ସିଏନଜି ଉପଭୋକ୍ତାଙ୍କୁ ଦରବୃଦ୍ଧିର ଝଟକା ଲାଗିଛି। ଆଦାନୀ ଗ୍ୟାସ୍ ସିଏନଜି କେଜି ପିଛା ୨ଟଙ୍କା ୨୫ ପଇସା ଦର ବୃଦ୍ଧି କରିଛି। ନୂଆ ଦର ଲାଗୁ ହେବା ପରେ କମ୍ପାନୀ ନେଟୱାର୍କରେ ସିଏନଜି ମୂଲ୍ୟ ବଢି ପ୍ରତି କେଜି ୮୬ଟଙ୍କା ୨ ପଇସା ହୋଇଯାଇଛି। ଏହା ପୂର୍ବରୁ ସରକାରୀ ତୈଳ କମ୍ପନୀମାନେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୩ ଟଙ୍କା ଦର ବୃଦ୍ଧି କରିଛନ୍ତି। ବୈଶ୍ୱିକ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ଯୋଗୁ ଇନ୍ଧନ ମୂଲ୍ୟ ଉପରେ ଚାପ ପଡିଛି।

ମୁମ୍ବାଇ ଓ ଦିଲ୍ଲୀ ସମେତ ଅନେକ ସହରରେ ସିଏନଜି ଦର ବଢିଛି। ନୂଆ ମୂଲ୍ୟ ଅନୁସାରେ ଦିଲ୍ଲୀରେ ସିଏନଜି କେଜି ପିଛା ୭୯ଟଙ୍କା ୯ ପଇସା ଦରରେ କାରବାର ହେଉଥିବା ବେଳେ ମୁମ୍ବାଇରେ ପ୍ରତି କେଜି ୮୪ ଟଙ୍କା ହୋଇଯାଇଛି। ତେବେ ପାଇପଡ ନ୍ୟାଚୁରାଲ ଗ୍ୟାସ୍ (ପିଏନଜି) ଓ ଉପଭୋକ୍ତା ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ବୃଦ୍ଧି ହୋଇ ନାହିଁ। ବିଶେଷଜ୍ଞଙ୍କ ଅନୁସାରେ ଇନ୍ଧନ ମୂଲ୍ୟରେ ଲଗାତାର ବୃଦ୍ଧି ମୁଦ୍ରାସ୍ଫୀତି ଉପରେ ପ୍ରଭାବ ପକାଇ ପାରେ।

ବରିଷ୍ଠ ଅର୍ଥ ଶାସ୍ତ୍ରୀ ରାଧିକା ରଓଙ୍କ ଅନୁସାରେ ମୂଲ୍ୟ ବୃଦ୍ଧି ଯୋଗୁ ଚାହିଦା ହ୍ରାସର କାରଣ ହୋଇପାରେ। ଏହା ଦ୍ୱାରା ମୁଦ୍ରାସ୍ଫୀତି ଉପରେ ୧୫ରୁ ୨୫ ବେସିସ ପଏଣ୍ଟ ପର୍ଯ୍ୟନ୍ତ ପ୍ରଭାବ ପଡିପାରେ। ଏଥିରେ ଯଦି ଅଶୋଧିତ ତୈଳ ବ୍ୟାରଲ ପିଛା ମୂଲ୍ୟ ୧୧୦ରୁ ୧୧୫ ଡଲାର ମଧ୍ୟରେ ସ୍ଥିର ରହିଲେ ଏବେକା ମୂଲ୍ୟ ବୃଦ୍ଧି ତୈଳ ବିପଣନ କମ୍ପାନୀଙ୍କ କ୍ଷତି ଭରଣାରେ ସହାୟକ ହୋଇ ନପାରେ। କାରଣ ତୈଳ କମ୍ପାନୀମାନେ ଏବେ ପେଟ୍ରୋଲ, ଡିଜେଲ ଓ ଏଲପିଜି ବିକ୍ରିରେ ପ୍ରତିଦିନ ପାଖାପାଖି ୫୦୦ କୋଟି ଟଙ୍କାର କ୍ଷତି ସହୁଛନ୍ତି।