ୱାଶିଂଟନ: ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ସ୍ଥିତି ଏବେ ଚରମ ସୀମାରେ ପହଞ୍ଚିଛି। ଆମେରିକା ପକ୍ଷରୁ ଇରାନ ଉପରେ ପୁନଃ ଆକ୍ରମଣ ପାଇଁ ‘ଅପରେସନ୍ ସ୍ଲେଜ୍ହାମର୍’ (Operation Sledgehammer) ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେଉଥିବା ରିପୋର୍ଟ ସାମ୍ନାକୁ ଆସିବା ପରେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଏକ ବଡ଼ ଚେତାବନୀ ଦେଇଛନ୍ତି। ଟ୍ରମ୍ପ ସୋସିଆଲ ମିଡିଆରେ ଏକ ସାଙ୍ଘାତିକ ଏଆଇ ଜେନେରେଟେଡ୍ (AI) ଫଟୋ ସେୟାର କରି ଲେଖିଛନ୍ତି, "ଏହା ଝଡ଼ ପୂର୍ବର ଶାନ୍ତ ପରିବେଶ" (It was calm before the storm)।

ଏକ ଟେଲିଫୋନ୍ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି ଯେ, ଯଦି ଇରାନ ଶୀଘ୍ର ଆମେରିକା ସହ ଶାନ୍ତି ଚୁକ୍ତି ନକରେ, ତେବେ ତାକୁ "ବହୁତ ଖରାପ ସମୟ" (Very bad time) ର ସାମ୍ନା କରିବାକୁ ପଡ଼ିବ। ସେ କହିଛନ୍ତି, "ଏକ ଚୁକ୍ତିରେ ପହଞ୍ଚିବା ଇରାନର ନିଜ ସ୍ୱାର୍ଥ ପାଇଁ ଭଲ ହେବ।"

ଟ୍ରମ୍ପଙ୍କ ଏଆଇ ଫଟୋରେ କ’ଣ ଅଛି?

ଟ୍ରମ୍ପ ସେୟାର କରିଥିବା ଏହି AI ଫଟୋରେ ସେ ଆମେରିକା ନୌସେନାର ଜଣେ ଆଡମିରାଲଙ୍କ ସହ ସମୁଦ୍ରର ଅଶାନ୍ତ ଜଳରାଶି ଏବଂ ଅନେକ ଯୁଦ୍ଧ ଜାହାଜ ସାମ୍ନାରେ ଛିଡ଼ା ହୋଇଥିବାର ଦେଖାଯାଇଛି। ଏହି ଜାହାଜଗୁଡ଼ିକ ମଧ୍ୟରୁ ଗୋଟିକରେ ଇରାନର ଜାତୀୟ ପତାକା ଉଡ଼ୁଥିବା ଦେଖିବାକୁ ମିଳିଛି, ଯାହା ସିଧାସଳଖ ଇରାନକୁ ଆମେରିକାର ସାମରିକ ଶକ୍ତିର ପ୍ରଦର୍ଶନ ବୋଲି କୁହାଯାଉଛି। ଗତ ଏପ୍ରିଲ ଆରମ୍ଭରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ‘ଅପରେସନ୍ ଏପିକ୍ ଫ୍ୟୁରି’କୁ ସ୍ଥଗିତ ରଖି ଯୁଦ୍ଧବିରତି କରାଯାଇଥିଲା, ମାତ୍ର ଏବେ ଏହା ଭାଙ୍ଗିବା ଆଡ଼କୁ ଗତି କରୁଛି।

କାହିଁକି ବିଫଳ ହେଉଛି ଶାନ୍ତି ଆଲୋଚନା?

ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଆଲୋଚନା ବର୍ତ୍ତମାନ ସମ୍ପୂର୍ଣ୍ଣ ସ୍ଥଗିତ ହୋଇଯାଇଛି, କାରଣ ଦୁଇ ପକ୍ଷ ପରସ୍ପରର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି:

ଆମେରିକାର ୧୪-ପଏଣ୍ଟ ପ୍ରସ୍ତାବ: ଆମେରିକାର ପ୍ରସ୍ତାବ ଅନୁଯାୟୀ, ଇରାନକୁ ଆଗାମୀ ୧୨ ବର୍ଷ ପାଇଁ ୟୁରେନିୟମ୍ ସମୃଦ୍ଧକରଣ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପଡ଼ିବ ଏବଂ ତାର ୪୪୦ କିଲୋଗ୍ରାମ ସମୃଦ୍ଧ ୟୁରେନିୟମ୍ ଭଣ୍ଡାରକୁ ଆମେରିକାକୁ ହସ୍ତାନ୍ତର କରିବାକୁ ହେବ। ଏହା ବଦଳରେ ଆମେରିକା ଧୀରେ ଧୀରେ କଟକଣା ହଟାଇବ ଏବଂ ତାର ଫ୍ରିଜ୍ ହୋଇଥିବା ବିଲିୟନ ଡଲାର ସମ୍ପତ୍ତିକୁ ମୁକ୍ତ କରିବ। ଟ୍ରମ୍ପ ଇରାନର ଜବାବକୁ "ସମ୍ପୂର୍ଣ୍ଣ ଅଗ୍ରହଣୀୟ" ଏବଂ "ଆବର୍ଜନା" (Garbage) ବୋଲି କହିଛନ୍ତି।

ଇରାନର ୩-ପର୍ଯ୍ୟାୟ ପ୍ରସ୍ତାବ: ଏପ୍ରିଲ ଶେଷ ସପ୍ତାହରେ ଇରାନ ପାକିସ୍ତାନ ଜରିଆରେ ଏକ ପ୍ରସ୍ତାବ ପଠାଇଥିଲା। ଏହାର ପ୍ରଥମ ପର୍ଯ୍ୟାୟରେ ଲେବାନନରେ ହିଜବୁଲ୍ଲା ଉପରେ ହେଉଥିବା ଆକ୍ରମଣ ସହ ଯୁଦ୍ଧକୁ ସମ୍ପୂର୍ଣ୍ଣ ବନ୍ଦ କରିବା, ଦ୍ୱିତୀୟ ପର୍ଯ୍ୟାୟରେ ସାମୁଦ୍ରିକ କଟକଣା ହଟାଇ ‘ହୋର୍ମୁଜ ଜଳପଥ’ ଖୋଲିବା ଏବଂ ତୃତୀୟ ପର୍ଯ୍ୟାୟରେ ପରମାଣୁ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିବାକୁ କୁହାଯାଇଥିଲା। ଆମେରିକା ଏହି ପ୍ଲାନ୍କୁ ସିଧାସଳଖ ଖାରଜ କରିଦେଇଛି।

ଆଲୋଚନା ବିଫଳ ହେବା ପରେ ବର୍ତ୍ତମାନ ପଶ୍ଚିମ ଏସିଆରେ ଆମେରିକା କୌଣସି ବି ମୁହୂର୍ତ୍ତରେ ‘ଅପରେସନ୍ ସ୍ଲେଜ୍ହାମର୍’ ଆରମ୍ଭ କରି ଇରାନ ଉପରେ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍ କରିପାରେ, ଯାହା ବିଶ୍ୱ ପାଇଁ ଏକ ବଡ଼ ସଙ୍କଟ ଆଣିବ।