Flex Fuel Car In India: ଅସୁବିଧା ହେଲେ ହିଁ ସୁବିଧାର ବାଟ ବାହାରେ। ଭାରତରେ ଏହି ନୀତି ଆବହମାନ ପ୍ରଚଳିତ ହୋଇ ଆସିଛି। ଏହି ଦୃଷ୍ଟିରୁ ବର୍ତ୍ତମାନ ତୈଳ ସଂକଟ ଭିତରେ ସରକାର, ଯଥାଶୀଘ୍ର ଦେଶରେ ଫ୍ଲେକ୍ସ ଫ୍ୟୁଲ ଗାଡ଼ି ଆଣିବାକୁ ଯୋଜନା କରୁଥିଲେ। ହେଲେ ଏଇ ଯୋଜନା ଏବେ ମଞ୍ଜି ଆଗ ନା ଗଛ ଆଗ, ଏହିଭଳି ଦ୍ୱନ୍ଦ୍ୱରେ ଫଶି ଯାଇଛି। ହେବା ବି ସ୍ୱାଭାବିକ। କାରଣ ସରକାର ନୂଆ ନୂଆ ଘୋଷଣା ତ କରିଦେଉଛନ୍ତି, ହେଲେ ଏଥିପାଇଁ ଯେ ଭିତ୍ତିଭୂମିର ଆଗୁଆ ଆବଶ୍ୟକତା ପଡ଼େ ସେକଥାକୁ ଯେମିତି ନିଘା ନାହିଁ। ଯାହା ପାଇଁ ଫ୍ଲେକ୍ସ ଫ୍ୟୁଲ ଗାଡ଼ି ଆଣିବାର ଯୋଜନା ଏବେ ତ୍ରିଶଙ୍କୁ ଅବସ୍ଥାରେ।

ଯେପର୍ଯ୍ୟନ୍ତ ବଜାରରେ ପର୍ଯ୍ୟାପ୍ତ ପରିମାଣର ଫ୍ଲେକ୍ସ ଫ୍ୟୁଲ ବା ଇଥାନଲ ମିଶ୍ରିତ ଇନ୍ଧନ ଉପଲବ୍ଧ ହୋଇ ନାହିଁ ସେ ପର୍ଯ୍ୟନ୍ତ ଅଟୋମୋବାଇଲ କମ୍ପାନୀଗୁଡ଼ିକ ଦେଶରେ ବଡ଼ ପରିମାଣରେ ଉଚ୍ଚ-ଇଥାନଲ ମିଶ୍ରିତ ଯାନ ନିର୍ମାଣ କରିବାକୁ ଚାହୁଁ ନାହାନ୍ତି। ଅପରପକ୍ଷରେ E85 ଏବଂ E100 ବା ଇଥାନଲ ମିଶ୍ରିତ ଇନ୍ଧନଯୁକ୍ତ ଗାଡ଼ି ସଡ଼କରେ ନ ଗଡ଼ିବା ପର୍ଯ୍ୟନ୍ତ ଏଭଳି ଇନ୍ଧନର ସଂରକ୍ଷଣ ଏବଂ ଯୋଗାଣରେ ନିବେଶ କରିବାକୁ ତୈଳ କମ୍ପାନୀଗୁଡ଼ିକ ଇଚ୍ଛା ପ୍ରକାଶ କରୁ ନାହାନ୍ତି। ଆଉ ଏମିତି ଟଣା ଓଟରା ଭିତରେ ମଧ୍ୟସ୍ତି ସାଜିଛନ୍ତି ସରକାର। ଉଭୟ ପକ୍ଷ ସହ ଚାଲିଛି ଆଲୋଚନା।

ଏବେ ଏହି ଫ୍ଲେକ୍ସ ଫ୍ୟୁଲ କ’ଣ ଆଗ ବୁଝି ନେବା, ତା’ପରେ ଏ ଦିଗରେ ଥିବା ତୈଳ କମ୍ପାନୀଗୁଡ଼ିକର ଚିନ୍ତାକୁ ବିଶ୍ଳେଷଣ କରିବା। ଏଥିରେ ଆପଣଙ୍କୁ ତୈଳ କମ୍ପାନୀ ଓ ଅଟୋ କମ୍ପାନୀମାନଙ୍କର ଦ୍ୱନ୍ଦ୍ୱର କାରଣ ବୁଝିବା ସହଜ ହେବ।

ଫ୍ଲେକ୍ସ-ଫୁଏଲ କଣ ଏବଂ ଭାରତର ଏହାର ଆବଶ୍ୟକତା କ?

ଫ୍ଲେକ୍ସ-ଫ୍ୟୁଲ ଗାଡ଼ି ସାଧାରଣ ଗାଡ଼ିଗୁଡ଼ିକ ଠାରୁ ଟିକେ ଭିନ୍ନ ହୋଇଥାଏ। କାରଣ ଏଗୁଡ଼ିକ ଯେ କୌଣସି ପରିମାଣରେ ଇଥାନଲ ମିଶ୍ରିତ ପେଟ୍ରୋଲରେ ଚାଲି ପାରିବେ। ବର୍ତ୍ତମାନ, ଭାରତରେ ୨୦% ଇଥାନଲ୍ ବା E20 ଥିବା ପେଟ୍ରୋଲ ବାଧ୍ୟତାମୂଳକ କରାଯାଇଛି। ସରକାର ଏବେ ଅଶୋଧିତ ତୈଳ ଆମଦାନୀ ହ୍ରାସ କରିବା ପାଇଁ E85 ବା 85% ଇଥାନଲ୍ +୧୫% ପେଟ୍ରୋଲ୍ ଏବଂ E100 ଅର୍ଥାତ୍ ୧୦୦% ଇଥାନଲ୍ ଭଳି ଫ୍ଲେକ୍ସ ଫ୍ୟୁଲ ଲାଗୁ କରିବାକୁ ଅଗ୍ରସର ହେଉଛନ୍ତି। ଇଥାନଲ ଆଖୁ ରସ, ମକା ଏବଂ ପଚିଯାଇଥିବା ଶସ୍ୟ ଭଳି କୃଷି ଉତ୍ପାଦରୁ ତିଆରି କରାଯାଏ। ଏହି ଇନ୍ଧନ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରି ପରିବେଶ ପ୍ରଦୂଷଣରୁ ସୁରକ୍ଷା ଦିଏ।

ବର୍ତ୍ତମାନ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଯୋଗାଣରେ ବାଧା ସୃଷ୍ଟି ହେବାରୁ ଅନ୍ତର୍ଜାତୀୟ ସ୍ତରରେ ତୈଳ ଦର ୭୦ ଡାଲରୁ ୧୦୦ ଡଲାର ପାର୍ କରିଛି। ଫଳରେ ଭାରତକୁ ତୈଳ ଆମଦାନୀ ମୋଟା ଅଙ୍କର ବିଲ୍ ଦେବାକୁ ପଡ଼ୁଛି, ଯାହା ଦେଶର ଅର୍ଥନୀତିକୁ ଦୁର୍ବଳ କରୁଛି। ଆଉ ଏଥିପାଇଁ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ନିର୍ଭରତା ହ୍ରାସ କରି ଫ୍ଲେକ୍ସ ଫ୍ୟୁଲକୁ ଗୁରୁତ୍ୱ ଦେଉଛନ୍ତି। ଏବେ ଆସନ୍ତୁ ବୁଝିବା ତୈଳ କମ୍ପାନୀଗୁଡ଼ିକର ପ୍ରମୁଖ ଚିନ୍ତା କ’ଣ ?

ଇଥାନଲ୍ ଷ୍ଟକ୍ ନଷ୍ଟ ହେବାର ଭୟତୈଳ କମ୍ପାନୀର ଅଧିକାରୀମାନଙ୍କକ କହିବା କଥା ହେଲା ଉଚ୍ଚ-ଇଥାନଲ ମିଶ୍ରିତ ଇନ୍ଧନ ସଂରକ୍ଷଣ କରିବା ତାଙ୍କ ପାଇଁ ରିସ୍କ ହୋଇପାରେ। କାରଣ ଯଦି ଷ୍ଟକ୍ ତୁରନ୍ତ ବ୍ୟବହାର ନ କରାଯାଏ, ତେବେ ଇଥାନଲ ଆର୍ଦ୍ରତା ଶୋଷଣ କରେ, ଯାହା ଇଞ୍ଜିନକୁ କ୍ଷତି ପହଞ୍ଚାଇବ, ଗାଡ଼ି ଇଞ୍ଜିନରେ କଳଙ୍କି ଲାଗିବାର ଭୟ ରହିଛି। ତେଣୁ ଚାହିଦା ସୁନିଶ୍ଚିତ ନହେବା ପର୍ଯ୍ୟନ୍ତ ଷ୍ଟୋରେଜ୍ ଭିତ୍ତିଭୂମି ନିର୍ମାଣ ଏକ କ୍ଷତିକାରକ ପ୍ରସ୍ତାବ ବୋଲି କମ୍ପାନୀଗୁଡ଼ିକ ଚିନ୍ତା କରୁଛନ୍ତି। ଇଏ ତ ଗାଲ ତୈଳ କମ୍ପାନୀଗୁଡ଼ିକର ପ୍ରମୁଖ ଚିନ୍ତାର କାରଣ, ଏବେ ଅଟୋ କମ୍ପାନୀମାନେ କ’ଣ ଚାହୁଁଛନ୍ତି ସେ କଥା ବି ବୁଝନ୍ତୁ।

ଅଟୋ ସେକ୍ଟରର ଦାବି:ଫ୍ୟୁଲ ସପ୍ଲାଏସ୍ପଷ୍ଟହେଉଅନ୍ୟପକ୍ଷରେ, ଅଟୋ କମ୍ପାନୀଗୁଡ଼ିକ ଯୁକ୍ତି ଦେଉଛନ୍ତି ଯେ ଫ୍ଲେକ୍ସ-ଫୁଏଲ ଗାଡ଼ିଗୁଡ଼ିକ ସାଧାରଣ ପେଟ୍ରୋଲ ଗାଡ଼ି ତୁଳନାରେ ଅଧିକ ମହଙ୍ଗା ହେବ। ଏପରି ସ୍ଥିତିରେ ଗ୍ରାହକ ସେତେବେଳେ ଏଭଳି ଗାଡ଼ି କିଣିବାକୁ ଚାହିଁବେ ଯେତେବେଳେ ସାରା ଦେଶରେ ଇଥାନଲ ମିଶ୍ରିତ ଇନ୍ଧନ ସହଜରେ ଉପଲବ୍ଧ ହେବ। ଯେପର୍ଯ୍ୟନ୍ତ ଇନ୍ଧନ ଯୋଗାଣ ସମ୍ପର୍କରେ ସ୍ପଷ୍ଟତା ନଆସିଛି, ସେପର୍ଯ୍ୟନ୍ତ ଏହି ଗାଡ଼ିଗୁଡ଼ିକର ଚାହିଦା ସୃଷ୍ଟି କରିବା କଷ୍ଟକର ହେବ ବୋଲି ଶିଳ୍ପ ବିଶେଷଜ୍ଞମାନେ କହିଛନ୍ତି।

ଅଟୋ କମ୍ପାନୀ ଏବଂ ତୈଳ କମ୍ପାନୀ ମଧ୍ୟରେ ଏମିତି ଟଣାଓଟରା ଚାଲିଛି। ହେଲେ ଏହାରି ଭିତରେ ସରକାରଙ୍କର ଇ-୨୦ ଆହ୍ୱାନରେ ଯେଉଁ କମ୍ପାନୀମାନେ ଇଥାନଲ ପ୍ରଡକ୍ସନ କରିଥିଲେ, ସେମାନେ ଏବେ ଓଭରକାପାସିଟି ସମସ୍ୟାରେ ଯୁଝୁଛନ୍ତି।ମାନେ ଅଧିକ ଇଥାନଲ ପ୍ରଡକ୍ସନ କରିଥିଲେ ବି ଡିମାଣ୍ଡ ନଥିବାରୁ କମ୍ପାନୀ ଏବେ ଚିନ୍ତାରେ। ତେଣୁ ଫ୍ଲେକ୍ସ ଫ୍ୟୁଲ ଗାଡ଼ିର ପରିଚାଳନା କେମିତି କରିବାକୁ ହୁଏ ବ୍ରାଜିଲ ଠାରୁ ଶିକ୍ଷା ନେବାର ଅଛି ବୋଲି ଏକ୍ସପର୍ଟମାନେ ମତ ଦେଇଛନ୍ତି।

ଅଲ୍ ଇଣ୍ଡିଆ ଡିଷ୍ଟିଲର୍ସ ଆସୋସିଏସନ୍ (AIDA) ଅନୁଯାୟୀ, ସେମାନେ ପ୍ରାୟ ୨୦ ବିଲିୟନ ଲିଟର ଇଥାନଲ ଉତ୍ପାଦନ କରିଛନ୍ତି। ହେଲେ ସରକାରଙ୍କ E-20 ଟାର୍ଗେଟରେ ମାତ୍ର ୧୧ ବିଲିୟନ ଲିଟର ପାଇଁ ଅର୍ଡର ମିଳିଛି। ତେଣୁ ତୁରନ୍ତ ଷ୍ଟକ୍ ନ ସରିଲେ ସମସ୍ୟା ହେବ ବୋଲି ଇଥାନଲ ନିର୍ମାତାମାନେ ଚିନ୍ତା ବ୍ୟକ୍ତ କରିଛନ୍ତି। ତେଣୁ ସେମାନେ ଫ୍ଲେକ୍ସ-ଫ୍ୟୁଲ ଗାଡ଼ି ପାଇଁ ପ୍ରୋତ୍ସାହନ ଦେବା ଏବଂ ଅଧିକ ଇଥାନଲ ମିଶ୍ରଣକୁ ଅନୁମତି ଦେବାକୁ ଦାବି କରି ସରକାରଙ୍କୁ ଚିଠି ଲେଖିଛନ୍ତି।

ସେପଟେ ଏକ୍ସପର୍ଟମାନେ କହିଛନ୍ତି ଭାରତ ବ୍ରାଜିଲ ଠାରୁ ଏହି ଟେକନିକ ଶିଖିବା ଉଚିତ୍। କାରଣ ବ୍ରାଜିଲ ପେଟ୍ରଲୋ ଓ ଡିଜେଲ ଉପରେ ନିର୍ଭରତା ହ୍ରାସ କରିବା ପାଇଁ ୨୦୦୩ ମସିହାରୁ ଫ୍ଲେକ୍ସ ଫ୍ୟୁଲ୍ ଗାଡ଼ି ପ୍ରଚଳନ କରିଛି। ଆଜି, ସେଠାରେ ୯୦% ରୁ ଅଧିକ ନୂଆ ଯାନବାହନ ଏହି ଟେକ୍ନୋଲୋଜୀରେ ଚାଲୁଛି। ଏକ୍ସପର୍ଟ କହୁଛନ୍ତି ପ୍ରଥମେ ପାଇଲଟ୍ ପ୍ରକଳ୍ପରେ ଏହି ଅଭିଯାନ ଆରମ୍ଭ କରାଯାଉ। ଫଳରେ ଏହା ତୈଳ ଏବଂ ଅଟୋ କମ୍ପାନୀଗୁଡ଼ିକୁ ଆବଶ୍ୟକୀୟ ଡାଟା ମିଳିଯିବ। ଫଳରେ ଏକ ବଡ଼ ପରିମାଣର କାର୍ଯ୍ୟ ଆରମ୍ଭ କରିବାକୁ ସହଜ ହେବ।

S&P ଗ୍ଲୋବାଲର ନିର୍ଦ୍ଦେଶକ ପୁନୀତ ଗୁପ୍ତାଙ୍କ କଥା କୋର୍ଟ କରି ମନି ଭାସ୍କାର ଛାପିଥିବା ରିପୋର୍ଟଟ ଅନୁସାରେ E85 ଇନ୍ଧନ ବ୍ୟବାହର କରିବା ପାଇଁ ବର୍ତ୍ତମାନ ଏକ ବଡ଼ ଇକୋସିଷ୍ଟମର ଆବଶ୍ୟକତା ପଡ଼ିବ । ଏଥିରେ ଏକାଧିକ ଚ୍ୟାଲେଞ୍ଜ ବି ରହିଛି। ଯେପରିକି ପେଟ୍ରୋଲ ପମ୍ପଗୁଡ଼ିକରେ ଅଲଗା ଭାବେ ପମ୍ପ ଓ ଡିସପେନ୍ସର ଲଗାଇବା। ଇନଫ୍ରାଷ୍ଟ୍ରକ୍ଚର ଟେଷ୍ଟିଂ ଓ ଭେଲିଡେସନ, ଇଥାନଲ୍ ପ୍ରଡକ୍ସନ କ୍ଷମତା ବୃଦ୍ଧି କରିବା ଓ ସରକାର ଏଥିପାଇଁ ୫-୧୫ ବର୍ଷ ପର୍ଯ୍ୟନ୍ତ ଏକ ରୋଡ୍ ମ୍ୟାପ୍ କରିବାକୁ ପଡ଼ିବ ବୋଲି ଏକ୍ସପର୍ଟ ମତ ଦେଇଛନ୍ତି। ବିଶେଷଜ୍ଞଙ୍କ ମତରେ ଟେକ୍ନୋଲୋଜୀ ଅପେକ୍ଷା ଇନ୍ଧନର ମୂଲ୍ୟ ଏବଂ ମାଇଲେଜ୍ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବ। କାରଣ ଇଥାନଲର କମ ଏନର୍ଜି ଡେନସିଟି ଯୋଗୁଁ, ଫ୍ଲେକ୍ସ-ଫୁଏଲ ଗାଡ଼ିର ମାଇଲେଜ୍ ୨୦ ରୁ ୩୦% ହ୍ରାସ ପାଇପାରେ। ଏହି ହ୍ରାସକୁ ମେକାପ କରିବାକୁ ହେଲେ ଇନ୍ଧନ ମୂଲ୍ୟକୁ ମଧ୍ୟ କମ୍ ରଖିବାକୁ ପଡିବ।

ସେପଟେ ମାର୍କେଟ୍ରେ କିଛି କମ୍ପାନୀ ଇଥାନଲ ମିଶ୍ରିତ ପେଟ୍ରୋଲ ଗାଡ଼ି ଲଞ୍ଚ କରି ସାରିଛନ୍ତି। ଆଉ କିଛି କମ୍ପାନୀ ଗାଡ଼ି ତିଆରି କରିବାକୁ ସଂକେତ ଦେଇଛନ୍ତି। ଟୟୋଟା ଏବଂ ମାରୁତି ସୁଜୁକି ଭଳି କମ୍ପାନୀଗୁଡ଼ିକ ପୂର୍ବରୁ ହିଁ ହାଇ ଇଥାନଲ୍ ବ୍ଲେଣ୍ଡେଟ ଗାଡ଼ି ଲଞ୍ଚ କରି ସାରିଥିବା ବେଳେ ଟିଭିଏସ ମୋଟରର ଆପାଚି ସମେତ ଅନେକ ସେଗମେଣ୍ଟରେ ଇଥାନଲ୍ ଚାଳିତ ଯାନ ଲଞ୍ଚ କରିବାକୁ ଯୋଜନା କରୁଛି। ସେପଟେ ବଜାଜ ମଧ୍ୟ ହାଇଡ୍ରୋଜେନ ଚାଳିତ ସ୍କୁଟର ତିଆରି କରିବାକୁ ରିସର୍ଚ୍ଚ ଜାରି ରଖିଛି।

ଇଥାନଲ ମିଶ୍ରିତ ଗାଡ଼ି ଚାଳଚାଳ ପାଇଁ କେନ୍ଦ୍ର ସରକାରଙ୍କର ଓ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କାରି ଏକାଧିକ ଥର ଭାଷଣ ଦେଇଛନ୍ତି। ଫ୍ଲେକ୍ସ ଫ୍ୟୁଲ ଗାଡ଼ି ଚଳାଇବାକୁ ଆହ୍ୱାନ ଦେଇଛନ୍ତି। ହେଲେ ସରକାରଙ୍କର ଏହି ଆହ୍ୱାନ ବାହାଘର ବେଳେ ବାଇଗଣ ରୁଆ ପରି ମନେ ହେଉଛି। କାରଣ ବର୍ତ୍ତମାନ ତୈଳ ସଂକଟ ଉତ୍କଟ ହେବା ପରେ ଏଭଳି ସତର୍କତା। ହେଲେ ଏତେସବୁ ଚ୍ୟାଲେଞ୍ଜ ଭିତରେ ସରକାରଙ୍କର ଏ ଉଦ୍ଦେଶ୍ୟ ପୂରଣ ହେବ କି ନା ତାହା ଦେଖିବା ବାକି ରହିଲା।

ବର୍ତ୍ତମାନର ସଂକଟ ସମୟରେ କେନ୍ଦ୍ର ସରକାର ଇନ୍ଧନ ସଞ୍ଚୟ କରିବାକୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯଦି ସ୍ଥିତି ନସୁଧୁରେ ତେବେ ଦଶନ୍ଧୀର ଉପଲବ୍ଧି ପାଣିରେ ପଡ଼ିଯିବ।ବିଶ୍ୱ ଜନସଂଖ୍ୟାର ଏକ ବଡ଼ ଭାଗ ପୁଣିଥରେ ଗରିବୀ ସୀମାରେଖା ଭିତରକୁ ଠେଲି ହୋଇଯିବ। ତେବେ ଦେଶରେ ଇନ୍ଧନ ସଂକଟ ଦୂର କରିବାକୁ ସରକାର ଚେଷ୍ଟା ବି ଜାରି ରଖିଛନ୍ତି। ଗତକାଲି ୟୁନାଇଟେଡ୍ ଆରବ ଏମିରେଟ୍ସ ସହ ତେଲ ଠାରୁ ଗ୍ୟାସ୍ ପର୍ଯ୍ୟନ୍ତ ଯୋଗାଣ କରିବା ହୋଇଥିବା ଡିଲ୍ କିଛିମାତ୍ରାରେ ଆଶ୍ୱସ୍ତି ଦେଇପାରେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରମ୍ବାର ଇନ୍ଧନ ସଞ୍ଚୟ କରିବାର ଆହ୍ୱାନ ଦେଉଛନ୍ତି। ଇନ୍ଧନ ଖର୍ଚ୍ଚ କାଟ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କିଛି ମନ୍ତ୍ରୀ ଓ ରାଜ୍ୟ ସରକାରମାନେ ନିଜ ନିଜ କନଭୟରେ ଗାଡ଼ି ସଂଖ୍ୟା ହ୍ରାସ କରିଛନ୍ତି। ଏହାରି ଭିତରେ ପ୍ରଧାନମନ୍ତ୍ରୀଙ୍କ ୬ ଦିନିଆ ବିଦେଶ ଗସ୍ତରେ ଏକ ଭଲ ଖବର ବି ସାମ୍ନାକୁ ଆସିଛି। ଭାରତ ସରକାର ସଂଯୁକ୍ତ ଆରବ ଏମିରେଟ୍ସ (UAE) ସହ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି କରିଛନ୍ତି। ଯେଉଁଥିରେ ୫ ବିଲିୟନ ଡଲାରର ପୁଞ୍ଜିନିବେଶ ସହ ପ୍ରତିରକ୍ଷା ସହଯୋଗ ଏବଂ ଶକ୍ତି କ୍ଷେତ୍ରରେ ରଣନୈତିକ ଭାଗିଦାରୀ ପାଇଁ ଚୁକ୍ତି ହୋଇଛି। ୟୁଏଇ ସହିତ ରଣନୈତିକ ପେଟ୍ରୋଲିୟମ ଭଣ୍ଡାର ଉପରେ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି।

ଏହାଦ୍ୱାରା ୟୁଏଇ ଭାରତରେ ପେଟ୍ରୋଲ ଓ ଡିଜେଲ ଭଣ୍ଡାର କରିପାରେ। ସେପଟେ ଏଲପିଜି ଗ୍ୟାସ ଯୋଗାଣ ନେଇ ହୋଇଥିବା ଚୁକ୍ତିରେ ୟୁଏଇ ଭାରତକୁ ଏଲପିଜି ଯୋଗାଇବ। ଏଥିରେ ଦେଶର ୪୦% ଆବଶ୍ୟକତା ଦୂର ହେବ ବୋଲି କୁହାଯାଉଛି। କେବଳ ସେତିକି ନୁହେଁ, ଋଷ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଦେଶରୁ ମଧ୍ୟ ଇନ୍ଧନ ଆଣିବାକୁ ଭାରତ ସରକାର ଚେଷ୍ଟା ଜାରି ରଖିଛନ୍ତି।

ସେପଟେ ଏହି କ୍ରାଇସିସ ମଧ୍ୟରେ ଭାରତରେ ତୈଳ ଦର ଓ ଗ୍ୟାସ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଓ ଡିଜେଲ ଉପରେ ୩ ଟଙ୍କା ଲେଖାଏ ମୂଲ୍ୟ ବୃଦ୍ଧି ହୋଇଥିବା ବେଳେ ସିଏନ୍ଜି ମୂଲ୍ୟରେ ୨ ଟଙ୍କା ବଢ଼ିଛି। ଭୁବନେଶ୍ୱରରେ ବର୍ତ୍ତମାନ ପେଟ୍ରୋଲ ଲିଟର ୧୦୪ ଟଙ୍କାରେ ବିକ୍ରି ହେଉଛି। ତେବେ ରୋଚକ କଥା ହେଲା ପାକିସ୍ତାନିରେ ପେଟ୍ରୋଲ ଓ ଡିଜେଲ ଉପରେ ୫ ଟଙ୍କା ଲେଖାଏ ଶସ୍ତା ହୋଇଛି। ଏହି ହ୍ରାସ ସହିତ ପାକିସ୍ତାନରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୪୦୯.୭୮ ଟଙ୍କା ଏବଂ ହାଇ-ସ୍ପିଡ୍ ଡିଜେଲ (HSD)ର ମୂଲ୍ୟ ୪୦୯.୫୮ ଟଙ୍କା ହୋଇଛି।