କଟକ ୦୬।୧୨: ଟିକେଟ୍ ୨ ଖଣ୍ଡ ପାଇ ଗଲେ ପୁରା ଖୁସ୍ । ଥଣ୍ଡା କାକରରେ ରାତିରୁ ଧାଡ଼ିରେ ଛିଡ଼ା ହୋଇ ଟିକେଟ୍ ପାଇବା ପରେ ଖୁସି କହିଲେ ନସରେ । ୧୨ ଘଣ୍ଟାର ଅପେକ୍ଷା, ମାତ୍ର ୮ ଘଣ୍ଟାରେ ଶେଷ । ଶୁକ୍ରବାର ଦିନ ମାତ୍ର ୮ ଘଣ୍ଟାରେ ବିକ୍ରି ହୋଇଗଲା ୧୦ ହଜାର ଟିକେଟ୍ । ୨୦ ହଜାରରୁ ଅଧିକ ଲୋକ ଲାଇନ୍ରେ ଥିଲେ । ତେବେ ମାତ୍ର ୫ ହଜାର ଲୋକ ଟିକେଟ୍ ପାଇ ଖୁସିରେ ଘରକୁ ଫେରିଥିଲେ , ବାକି ୧୫ ହଜାରରୁ ଅଧିକ ଲୋକ ନିରାଶ ହୋଇ ଘରକୁ ଫେରିଛନ୍ତି । ବାରବାଟୀ ଟି-୨୦ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ବେଳେ ଥିଲା ଏମିତି କିଛି ଦୃଶ୍ୟ ।
ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ୍ରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ । ଏଥିପାଇଁ ଶୁକ୍ରବାର ଦିନ ବାରବାଟୀ ଷ୍ଟାଡିୟମ୍ର ଟିକେଟ୍ କାଉଣ୍ଟରରେ ଆରମ୍ଭ ହେଲା ବିକ୍ରି । ସକାଳୁ ୧୦ଟାରୁ ଆରମ୍ଭ ହେଲା ଟିକେଟ୍ ବିକ୍ରି । ସଂଧ୍ୟା ୭ଟା ବେଳକୁ ବିକ୍ରି ହୋଇଗଲା ସମସ୍ତ ଟିକେଟ୍ । ଗତ ଫେବୃଆରୀ ୯ରେ ଅନୁଷ୍ଠିତ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ର ଟିକେଟ୍ ବିକ୍ରି ସମୟରେ ଯେଉଁଭଳି ଅପ୍ରୀତିକର ପରିସ୍ଥିତ ସୃଷ୍ଟି ହୋଇଥିଲା । ରବିବାର ସେପରି ସ୍ଥିତି ଦେଖିବାକୁ ମିଳିନଥିଲା ।ବ୍ୟବସ୍ଥିତ ଟିକେଟ୍ ବିକ୍ରି ଯୋଗୁ ଲୋକେ ଧାଡ଼ି ବାନ୍ଧି ବେଶ୍ ଆରାମ୍ରେ ଟିକେଟ୍ ନେଲେ । ଆରମ୍ଭ ସାଧାରଣ ଠେଲାପେଲା ହେଲା, ପରେ ସବୁ କିଛି ଶୃଙ୍ଖଳିତ ଭାବେ ପରିଚାଳିତ ହୋଇଥିଲା । ସାଧାରଣ ଦର୍ଶକଙ୍କ ଲାଗି ୫ଟା କାଉଣ୍ଟର ହୋଇଥିବା ବେଳେ ମହିଳାଙ୍କ ଲାଗି ସ୍ୱତନ୍ତ୍ର ଧାଡ଼ି ଏବଂ ଭିନ୍ନକ୍ଷମଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବାରୁ କାଉଣ୍ଟର ସାମ୍ନାରେ ଅଯଥା ଗହଳି ହୋଇନଥିଲା । ଗୁରୁବାର ରାତି ୧୨ଟା ସୁଦ୍ଧା କ୍ୟାଣ୍ଟନମେଣ୍ଟ ରୋଡ୍ ସ୍ଥିତ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ପାଖରେ ପ୍ରାୟ ହଜାରରୁ ଅଧିକ ଲୋକ ଏକାଠି ହୋଇଯାଇଥିଲେ ।
ପୋଲିସର ପୂର୍ବ ଯୋଜନା ମୁତାବକ, ରାତିରୁ କୌଣସି କ୍ରିକେଟପ୍ରେମୀ ଧାଡ଼ି ବାନ୍ଧି ପାରିବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ରାତି ବଢିବା ସହ ଭିଡ଼ ନିୟନ୍ତ୍ରଣ କରିବା ପୁଲିସ ପାଇଁ କାଠିକର ପାଠ ହୋଇଥିଲା। ଶେଷରେ ବିଳମ୍ବିତ ରାତି ପ୍ରାୟ ୨ଟା ବେଳକୁ ଲୋକଙ୍କୁ ଧାଡ଼ି କରି ବ୍ୟାରିକେଡ୍ ଆଡକୁ ଛଡ଼ାଯାଇଥିଲା। ମଧୁସୂଦନଙ୍କ ପ୍ରତିମୂର୍ତ୍ତି ଠାରୁ ୱାଇଏମ୍ସିଏ ସାମ୍ନା ଦେଇ ଲୋକେ ଓଡ଼ିଶା କ୍ରିକେଟ ଏକାଡ଼େମୀ ଭିତରେ ପ୍ରବେଶ କରିଥିଲେ। କ୍ରିକେଟ ଏକାଡ଼େମୀ ଭିତରେ ଜିକ୍ଜାକ୍ ବ୍ୟାରିକେଡ୍ ଭିତରେ କ୍ରିକେଟ ପ୍ରେମୀ ସକାଳକୁ ଅପେକ୍ଷା କରିଥିଲେ। ଅନେକ ରାତିଯାକ ତାରି ଭିତରେ ଶୋଇ ପଡ଼ିଥିଲେ । ସକାଳ ହେବା କ୍ଷଣି ଲୋକଙ୍କ ଉତ୍ସାହ ବଢିଥିଲା । ଅପେକ୍ଷା ଥିଲା କାଉଣ୍ଟର ଖୋଲିବାକୁ । ସକାଳ ୯ଟାରେ କାଉଣ୍ଟର ଖୋଲିବ ବୋଲି କୁହାଯାଇଥିଲା । କିନ୍ତୁ ଖୋଲିବା ବେଳକୁ ୧୦ଟା ବାଜିଯାଇଥିଲା । ପରେ ଧିରେ ଧିରେ ଆଗକୁ ବଢିଥିଲା ଲାଇନ୍ । ବକ୍ସଅଫିସ୍ ବା କାଉଣ୍ଟର୍କୁ କେବଳ ଜଣେ କ୍ରିକେଟପ୍ରେମୀ ଯିବାକୁ ବ୍ୟବସ୍ଥା କରାଯାଇଥିଲା । କାଉଣ୍ଟରରୁ ୧୦ମିଟର ଦୂରରୁ ଧାଡ଼ି ଲାଗି ରହିଥିଲା । ଦିନ ୨ଟା ସୁଦ୍ଧା ଗ୍ୟାଲେରୀ ଟିକେଟ ମିଳୁଥିବା କାଉଣ୍ଟରରେ ୧୫ହଜାରରୁ ଅଧିକ ଧାଡ଼ି ବାନ୍ଧିଥିଲେ । ସେପଟେ ବଡ଼ ତଥା ଅନ୍ୟ ଷ୍ଟାଣ୍ଡ୍ ଟିକେଟ ଉପଲବ୍ଧ ହର୍ଷଗେଟ୍ ନିକଟସ୍ଥ କାଉଣ୍ଟରରେ ପ୍ରାୟ ୫ହଜାରରୁ ଅଧିକ ଲୋକ ଲାଇନ୍ରେ ରହିଥିଲେ । ସନ୍ଧ୍ୟା ୭ଟା ସୁଦ୍ଧା ସମସ୍ତ ୧୦ ହଜାର ଟିକେଟ ବିକ୍ରି ହୋଇଯାଇଥିବା ଓସିଏ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଟିକେଟ କାଉଣ୍ଟର ପରିଚାଳନା ବ୍ୟବସ୍ଥାକୁ ଡିସିପି ଖିଲାରି ରିଷିକେଶ ଦ୍ୟାନଦେଓ ତଦାରଖ କରିଥିଲେ । ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା, ବିଭିନ୍ନ ଜୋନ୍ର ଏସିପି, ଥାନା ଅଧିକାରୀଙ୍କ ସମେତ ୪୦ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହୋଇଥିଲେ ।
