ରାୟଗଡ଼ା ୨୩।୫: ବହୁ ଚର୍ଚ୍ଚିତ ନିଖିଲ ହାଡ଼ପା ହତ୍ୟା ଘଟଣାରେ ରାୟଗଡା ସହରରେ ଉତ୍ତେଜନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି ଘଟଣାରେ ଆଉ ତିନି ଜଣ ଅମିତ ମେଲେକା, ହେମନ୍ତ ମେଲେକା ଓ ଭିକି ବେହେରାକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ହତ୍ୟାକାଣ୍ଡ ପରେ ରାୟଗଡା ସହରରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ହତ୍ୟାକାଣ୍ଡ ଘଟଣାକୁ ନେଇ ଶୁକ୍ରବାର ରାତିରେ ରାୟଗଡା ଟାଉନ ଥାନା ସମ୍ମୁଖରେ ପିଟିଲା ସାହି ଓ ରେଲିସାହି ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା ଏବଂ ଏହି ଘଟଣାରେ ଉଭୟ ପକ୍ଷର ୩ଜଣ ଗୁରୁତର ହୋଇଥିଲେ । ଉତ୍ତେଜନା ବୃଦ୍ଧି ପାଉଥିବାରୁ ଶନିବାର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାମେନ୍ଦ୍ର ପ୍ରସାଦଙ୍କ ନେତୃତ୍ବରେ ୬ ପ୍ଲାଟୁନ ପୋଲିସ ଫ୍ଲାଗ ମାର୍ଚ୍ଚ କରିଥିଲା । ରେଲିସାହିରେ ଫ୍ଲାଗମାର୍ଚ୍ଚ ସମୟରେ ଉତ୍ତେଜନାର ବାତାବରଣ ଦେଖିବାକୁ ମିଳିଥିଲା । ସାହି ବାସିନ୍ଦା ମାନେ ପୋଲିସକୁ ଅଟକ ରଖି ସେମାନଙ୍କୁ ନ୍ୟାୟ ଦିଆଯାଉ ବୋଲି ଦାବି କରିଥିଲେ । ଆମ ଉପରକୁ ବାରମ୍ବାର ଆକ୍ରମଣ ହେଉଛି କିନ୍ତୁ ପୋଲିସ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ଏବଂ ପୋଲିସ ଉପସ୍ଥିତିରେ ସେମାନଙ୍କ ଉପରକୁ ଆକ୍ରମଣ ହେଉଥିବା ଅଭିଯୋଗ କରିଥିଲେ । ପୋଲିସ ରେଲିସାହି, ପିଟଲା ସାହି ଏବଂ ଆଖପାଖ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରିଥିଲା ।

Also Read:- ପୁରୀରେ ପୁଣି ଖଜା ବ୍ୟବସାୟୀ ବାଡ଼ିଆପିଟା, ଠେଲା ଗାଡ଼ିକୁ ଉଠାଇ ନେଲା ଏନଫୋର୍ସମେଣ୍ଟ ସ୍କ୍ବାଡ୍

ଅପରପକ୍ଷରେ କିଛି ସନ୍ଦିଗ୍ଧ ରାୟଗଡା ଉପକାରାଗାର ସମ୍ମୁଖରେ ନିଖିଲ ହତ୍ୟାକାଣ୍ଡ ଘଟଣାରେ ପଚରାଉଚରା କରିବା ସହ ଜେଲ୍ କର୍ମଚାରୀଙ୍କୁ ଧମକ ଦେଉଥିବା କାରଣରୁ ନିଖିଲ ହତ୍ୟାକାଣ୍ଡ ଘଟଣାରେ ଗିରଫ ହୋଇଥିବା ୧୨ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୯ ଜଣ ଅଭିଯୁକ୍ତଙ୍କୁ ବିଭିନ୍ନ ଜେଲକୁ ସ୍ଥାନାନ୍ତର କରିଥିବା ଜଣାପଡିଛି । ଅଭିଯୁକ୍ତ ମାନଙ୍କ ଜୀବନ ବିପନ୍ନ ରହିଥିବାରୁ ରାୟଗଡା ଜେଲ କର୍ତ୍ତୃପକ୍ଷ କୋର୍ଟର ଅନୁମତି ମାଗି ୯ ଜଣ ଅଭିଯୁକ୍ତଙ୍କୁ ସ୍ଥାନାନନ୍ତର କରିଥିବା ଜଣାପଡିଛି । ୩ ଜଣ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ବେଳେ ୩ ଜଣଙ୍କୁ କୋରାପୁଟ ଏବଂ ୩ ଜଣଙ୍କୁ ଫୁଲବାଣୀ ସ୍ଥିତ ଜେଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ଦିଆଯାଇଛି । ସ୍ଥାନୀୟ ଅଞ୍ଚଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ଶାନ୍ତି ଶୃଙ୍ଖଳା ବଜାୟ ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଘଟଣାସ୍ଥଳରେ  ଏଏସପି ରାମେନ୍ଦ୍ର  ପ୍ରସାଦଙ୍କ ସମେତ  ଏସଡିପିଓ  ଗୌରହରୀ ସାହୁ, ଆଇ ଆଇ ସି ପ୍ରସନ୍ନ ବେହେରା, ଗୁଣପୁର ଆଇଆଇସି କେକେବିକେ କହଁର ଓ ଅନ୍ୟ ଅଧିକାରୀ  ମାନେ ଉପସ୍ଥିତ  ଅଛନ୍ତି I

ସୂଚନାଯୋଗ୍ୟ  ଯେ, ପୂର୍ବ ଶତ୍ରୁତା  ଓ ଜୁଆ ଆଡ୍ଡାରୁ  ଲୁଟ୍ ଘଟଣାକୁ  ନେଇ  ଗତ ୯ ତାରିଖ  ଦିନ ରାତିରେ  ନିଖିଲ ହାଡପା ନାମକ ୧୮ ବର୍ଷିୟ ଯୁବକକୁ  ଗୋଟିଏ ଗ୍ୟାଙ୍ଗର ଅପରାଧି ମାନେ  ଗୋଡେଇ ଗୋଡେଇ ଗୁଳି କରି ହତ୍ୟା କରିଥିଲେ I ଏହି ଘଟଣାରେ ପୋଲିସ ୧୨ ଜଣଙ୍କୁ ଗିରଫ କରିଥିବା ବେଳେ ୨୧ ଜଣ ସମ୍ପୃକ୍ତ  ଥିବା ପୋଲିସ କହିଥିଲା I ଏହି ଘଟଣାକୁ ୧୫ ଦିନ ହୋଇଯାଇଥିଲେ ମଧ୍ୟ ସହରରେ ଉତ୍ତେଜନା ଲାଗି ରହିଛି ।