ଲଣ୍ଡନ, ୦୩/୦୫: ହସଖୁସିରେ ବଞ୍ଚୁଥିଲେ ଦୁଇ ଯାଆଁଳା ଭଉଣୀ । ଗୋଟିଏ ମାଆ ପେଟରୁ ଜନ୍ମ ହୋଇଥିବାରୁ ପରସ୍ପରକୁ ଖୁବ୍ ଭଲ ପାଉଥିଲେ । ସୁଖ ଦୁଃଖରେ ଏକାଠି ରହୁଥିଲେ । କିନ୍ତୁ ଗୋଟିଏ ଘଟଣା ଜୀବନରେ ବଦଳାଇଦେଲା ମୋଡ । ଜଣାପଡିଲା ସେମାନଙ୍କ ମାଆ ଜଣେ ହେଲେ ବାପା ଅଲଗା । ଆଉ ସବୁ କିଛି ଓଲଟପାଲଟ ହୋଇଗଲା ।

ଲଣ୍ଡନରେ ରୁହନ୍ତି ୪୯ ବର୍ଷୀୟା ମିଚେଲି ଏବଂ ଲାଭିନିଆ । ୨୦୨୨ ଯାଏଁ ସବୁ କିଛି ଠିକ୍ ଚାଲିଥିଲା । ହେଲେ ୨୦୨୨ରେ ସେମାନେ ଏକ ନିଷ୍ଠୁର ସତର ସାମ୍ନା କରିଥିଲେ । ଯାହା ଖୁବ୍ ଆଶ୍ଚର୍ଯ୍ୟଜନକ । ସେମାନେ ଜାଣିବାକୁ ପାଇଥିଲେ କି ଉଭୟଙ୍କ ପିତା ସମାନ ନୁହନ୍ତି । ଅର୍ଥାତ ମାଆ ସମାନ ହେଲେ ବି ସେମାନେ ଦୁଇ ଭିନ୍ନ ଭିନ୍ନ ପିତାଙ୍କଠୁ ଜନ୍ମ ହୋଇଛନ୍ତି । 

ୟୁରୋପରେ ପ୍ରଥମ ମାମଲା

ରିପୋର୍ଟ ଅନୁସାରେ, ଏହି ମାମଲା ଖୁବ୍ ବିରଳ । ସାଧାରଣଭାବେ ଏହା ଘଟେ ନାହିଁ । କାରଣ ଯାଆଁଳା ଶିଶୁଙ୍କ ପିତା ଜଣେ ହିଁ ହୋଇଥାନ୍ତି । କିନ୍ତୁ ମିଚେଲି ଏବଂ ଲାଭିନିଆଙ୍କ ମାମଲା ସମ୍ପୂର୍ଣ୍ଣ ଅଲଗା । ଏହା ୟୁରୋପର ପ୍ରଥମ ମାମଲା ଅଟେ । ସାରା ବିଶ୍ୱରେ ପୂର୍ବରୁ ଏପରି ମାତ୍ର ୨୦ଟି ଘଟଣା ସାମ୍ୱାକୁ ଆସିଛି ।

ଡାକ୍ତରଙ୍କ ମତ

ମେଡିକାଲ ସାଇନ୍ସ ଅନୁସାରେ, ଯଦି ଜଣେ ମହିଳା ଦୁଇ ପୁରୁଷଙ୍କ ସହ କମ୍ ସମୟ ମଧ୍ୟରେ ଶାରୀରିକ ସମ୍ପର୍କ ରଖିଥାନ୍ତି ତାହାଲେ ଏପରି ଘଟଣା ଘଟିବାର ସମ୍ଭାବନା ଅଧିକ । କାରଣ ଗର୍ଭବତୀ ହେବା ପୂର୍ବରୁ ମହିଳାଙ୍କ ଶରୀରରେ ଦୁଇ ଭିନ୍ନ ପୁରୁଷଙ୍କ ସ୍ପର୍ମ୍ ରହିଥାଏ । ଅନେକ ସମୟରେ ଏପରି ଘଟଣା ଜଣାପଡେ ନାହିଁ । କିନ୍ତୁ ଲଣ୍ଡନର ଦୁଇ ଭଉଣୀ ନିଜର ଡିଏନଏ ଟେଷ୍ଟ୍ କରିବା ପରେ ହିଁ ସତ ଜାଣିପାରିଥିଲେ ।

ପୂର୍ବରୁ ୨୦୨୨ ମସିହାରେ ବ୍ରାଜିଲରେ ଏପରି ଏକ ଘଟଣା ଘଟିଥିଲା । ଜଣେ ମହିଳାଙ୍କ ଯାଆଁଳା ସନ୍ତାନର ଡିଏନଏ ଭିନ୍ନ ଦୁଇ ପୁରୁଷଙ୍କ ସହ ସମାନ ହୋଇଥିଲା । ଏହାକୁ ଚିକିତ୍ସକମାନେ ହେଟେରୋପ୍ୟାଟରନାଲ୍ ସୁପରଫେକ୍ୟୁନଡେସନ୍ କହିଥାନ୍ତି । ପ୍ରତି ୪୦୦ ଯାଆଁଳା ଶିଶୁରେ ଏମିତି ଗୋଟିଏ ମାମଲା ଆସିଥାଏ ।