ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ସରକାର ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲଗାଇବାକୁ ଏକ ନୂଆ ବିଲ୍ ଆଗତ କରିଛନ୍ତି। ଇନଷ୍ଟାଗ୍ରାମ୍, ଟିକଟକ୍ ଭଳି ପ୍ଲାଟଫର୍ମଗୁଡ଼ିକରୁ ପିଲାଙ୍କୁ ଦୂରେଇ ରଖିବା ପାଇଁ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ଭଳି ନ୍ୟୁଜିଲ୍ୟାଣ୍ଡ ମଧ୍ୟ ଏହି ପଦକ୍ଷେପ ନେଇଛି।

ନୂଆ ନିୟମ ଅନୁଯାୟୀ, Meta ଭଳି ସୋସିଆଲ ମିଡିଆ ସଂସ୍ଥାଗୁଡ଼ିକ ଏହି ନିୟମ ଉଲ୍ଲଂଘନ କଲେ ସେମାନଙ୍କର ବିଶ୍ୱସ୍ତରୀୟ ରାଜସ୍ୱର ୧୦ ପ୍ରତିଶତ ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ। ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ୍ କହିଛନ୍ତି ଯେ ୧୩ରୁ ୧୭ ବର୍ଷ ବୟସର ପ୍ରତି ୩ ଜଣ ପିଲାଙ୍କ ମଧ୍ୟରୁ ଜଣେ ଦିନକୁ ଅତିକମରେ ୫ ଘଣ୍ଟା ସୋସିଆଲ ମିଡିଆରେ ବିତାଉଛନ୍ତି। ଏହା ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ, ନିଦ୍ରା ଏବଂ ପାଠପଢ଼ା ଉପରେ ଖରାପ ପ୍ରଭାବ ପକାଉଛି।

Instagram, TikTok, Snapchat ଏବଂ Facebook ଭଳି ପ୍ଲାଟଫର୍ମଗୁଡ଼ିକୁ ବ୍ୟବହାରକାରୀଙ୍କ ବୟସ ୧୬ ବର୍ଷରୁ ଅଧିକ କି ନୁହେଁ ତାହା ଯାଞ୍ଚ କରିବାକୁ ପଡ଼ିବ। ଏଥିପାଇଁ ଫେସିଆଲ୍ ଏଜ୍ ଏଷ୍ଟିମେସନ୍, ଡିଜିଟାଲ୍ ID କିମ୍ବା ସରକାରୀ ଆଇଡିର ସାହାଯ୍ୟ ନିଆଯିବ। ଏହି ବିଲ୍ ଅଧୀନରେ କେବଳ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକ ଉପରେ ଆଇନଗତ ଦାୟିତ୍ୱ ରହିବ, ପିଲା କିମ୍ବା ସେମାନଙ୍କ ଅଭିଭାବକଙ୍କ ପାଇଁ କୌଣସି ଦଣ୍ଡ ବ୍ୟବସ୍ଥା ନାହିଁ।

ଶାସକ ମେଣ୍ଟର ସହଯୋଗୀ ଦଳ 'ACT' ଏବଂ 'NZ First' ଏହି ବିଲ୍‌କୁ ବିରୋଧ କରୁଥିବାରୁ ଏହା ସଂସଦରେ ପାରିତ ହେବ କି ନାହିଁ ତାହା ଅସ୍ପଷ୍ଟ ରହିଛି। ବିରୋଧୀ ଲେବର ପାର୍ଟି ମଧ୍ୟ ବୟସ ଯାଞ୍ଚ ଓ ଅନ୍ୟାନ୍ୟ ନିୟମାବଳୀ ଉପରେ ଅଧିକ ସ୍ପଷ୍ଟୀକରଣ ମାଗିଛି। ଗତବର୍ଷ ଅଷ୍ଟ୍ରେଲିଆ ବିଶ୍ୱରେ ପ୍ରଥମ ଦେଶ ଭାବେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍ କରିଥିଲା। ଏହାପରେ ବ୍ରିଟେନ ଏବଂ ଫ୍ରାନ୍ସ ଭଳି ଦେଶଗୁଡ଼ିକ ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରୁଛନ୍ତି।