ଓ୍ୱାଶିଟନ: ଇରାନ-ଆମେରିକା ଯୁଦ୍ଧକୁ ନେଇ ପୁଣି ବଢ଼ିଲା ଚିନ୍ତା। ଖୁବଶୀଘ୍ର ନୂଆ ପର୍ଯ୍ୟାୟରେ ଏଣ୍ଟ୍ରି କରିବ ଯୁଦ୍ଧ। ଆଉ ଶେଷ କରିକି ହିଁ ରହିବ। ଏନେଇ ଚେତାବନୀ ଦେଇଛନ୍ତି ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସର ସ୍ପିକର ମାଇକ୍ ଜନସନ। ଖୁବଶୀଘ୍ର ଯୁଦ୍ଧ ଏକ ନୂଆ ଫେଜକୁ ଯାଇପାରେ। ସହଯୋଗୀ ରାଷ୍ଟ୍ରଗୁଡ଼ିକ ଏଥର ସାମିଲ ହେବେ। ଯୁଦ୍ଧକୁ ଶେଷ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଆଗାମୀ ପର୍ଯ୍ୟାୟ ପାଇଁ ଆମେରିକାକୁ ସାହାଯ୍ୟ କରିବା ପାଇଁ ସହଯୋଗୀ ଦେଶଗୁଡ଼ିକୁ ଆହ୍ୱାନ କରିଛନ୍ତି ମାଇକ୍।

ଜନସନ ଦାବି କରିଛନ୍ତି ଯେ, ଇରାନ ପରମାଣୁ ଅସ୍ତ୍ର ହାସଲ କରିବାରୁ ରୋକିବାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଫଳ ହୋଇଛନ୍ତି। ଏହା ପୂର୍ବରୁ ଅନେକ ଆମେରିକୀୟ ପ୍ରଶାସନର ମଧ୍ୟ ଏହି ଲକ୍ଷ୍ୟ ରହିଥିଲା। ତେବେ ଇରାନ ସହ ଆଲୋଚନା କରିବା ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ ବୋଲି କହିଛନ୍ତି ଜନସନ। ତାଙ୍କ ମତରେ, ଆଲୋଚନା ଟେବୁଲରେ ଇରାନୀ ପକ୍ଷକୁ ସମ୍ପୂର୍ଣ୍ଣ ଭରସା କରିହେବ ନାହିଁ।

ଯୁଦ୍ଧ ଜାରି ରହିଲେ ମଧ୍ୟ ନଭେମ୍ବର ମଧ୍ୟବର୍ତ୍ତୀ ନିର୍ବାଚନରେ ରିପବ୍ଲିକାନ୍ ପାର୍ଟି ହାଉସରେ ନିଜ ନିୟନ୍ତ୍ରଣ ବଜାୟ ରଖିବ ବୋଲି ଜନସନ ଆଶା ପ୍ରକାଶ କରିଛନ୍ତି। ତେବେ ନଭେମ୍ବର ୩ ଭୋଟ୍ ପୂର୍ବରୁ ଯୁଦ୍ଧର ସମାଧାନ ହୋଇଗଲେ ଭଲ ହେବ ବୋଲି ସେ କହିଛନ୍ତି। ଅନ୍ୟପଟେ, ଆମେରିକାରେ ଯୁଦ୍ଧକୁ ନେଇ ଲୋକଙ୍କ ଅସନ୍ତୋଷ ବଢ଼ୁଥିବା ରିପୋର୍ଟ ସାମ୍ନାକୁ ଆସୁଛି। ଯୁଦ୍ଧ ଯୋଗୁଁ ତେଲ ଦର ବଢ଼ିବା ସହ ଆମେରିକାରେ ମୁଦ୍ରାସ୍ଫୀତି ଉପରେ ମଧ୍ୟ ପ୍ରଭାବ ପଡ଼ୁଛି। ବିଭିନ୍ନ ଜନମତ ସର୍ଭେରେ ଅଧିକାଂଶ ଆମେରିକୀୟ ଯୁଦ୍ଧ ଶେଷ ହେଉ ବୋଲି ଚାହୁଁଥିବା ଜଣାପଡ଼ିଛି।

also read- ଜୈଶ-ଏ-ମହମ୍ମଦ ପାଇଁ କୋଠା ତିଆରି କଲା ପାକିସ୍ତାନ : ଅପରେସନ ସିନ୍ଦୂର ବେଳେ ଧ୍ୱଂସ କରିଥିଲା ଭାରତ

ଇରାନ ପାଇଁ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଏବେ ମଧ୍ୟ ଏକ ବଡ଼ ପ୍ରସଙ୍ଗ ହୋଇ ରହିଛି। ବିଶ୍ୱର ତେଲ ଓ ଗ୍ୟାସ୍ ଯୋଗାଣ ପାଇଁ ଏହି ସମୁଦ୍ରପଥ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାକୁ ନେଇ ଇରାନର ଆଭିମୁଖ୍ୟ ଅପରିବର୍ତ୍ତିତ ଥିବାବେଳେ, ହର୍ମୁଜରେ ତେଲ ପରିବହନ ଜାରି ରହିଥିବା ଜନସନ କହିଛନ୍ତି। ତେବେ ଅତିରିକ୍ତ ସହଯୋଗୀ ଦେଶ ଯଦି ସାମରିକ ଭାବେ ସାମିଲ ହୁଅନ୍ତି, ତେବେ ଇରାନ ଯୁଦ୍ଧ ଆହୁରି ତୀବ୍ର ହେବାର ଆଶଙ୍କା ରହିଛି। ବର୍ତ୍ତମାନ ଯୁଦ୍ଧବିରତି ଏକ ଦ୍ୱନ୍ଦ୍ୱ ସ୍ଥିତିରେ ଥିବାରୁ ଯେକୌଣସି ନୂଆ ସାମରିକ ପଦକ୍ଷେପ ବଡ଼ ଉତ୍ତେଜନା ସୃଷ୍ଟି କରିପାରେ।