ନୂଆଦିଲ୍ଲୀ: ବିଭିନ୍ନ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ । ସଭ୍ୟତାକୁ ଧୂଳିସାତ୍ କରିଦେଉଥିବା ପ୍ରାକୃତିକ ବିପର୍ଯ୍ୟୟ । ଏସବୁ ଦେଖିଲେ ମନେହୁଉଛି ଯେ ବିଶ୍ୱବ୍ୟାପୀ ବିନାଶ ବୋଧହୁଏ ଆଉ ବେଶି ଦୂର ନୁହେଁ । କିନ୍ତୁ ଏଭଳି ସ୍ଥିତିର ମୁକାବିଲା ପାଇଁ ବର୍ଷ ବର୍ଷ ଧରି ପ୍ରସ୍ତୁତ କରାଯାଇଥିବା ସମାଧାନରୁ ମନେହୁଏ, ପୃଥିବୀରୁ ସମ୍ପୂର୍ଣ୍ଣ ମାନବଜାତି ଲୋପ ପାଇଯିବାର ସମ୍ଭାବନା କମ୍ । କିନ୍ତୁ ସମସ୍ତଙ୍କୁ ବଞ୍ଚାଯାଇପାରିବ ନାହିଁ । ଏହି ସ୍ଥିତି ଚାର୍ଲସ ଡାର୍ୱିନଙ୍କ Survival of the fittest ତତ୍ତ୍ୱ ଭଳି ମନେ ହେଉଛି । କିନ୍ତୁ ଏଥିମଧ୍ୟରୁ ସବୁଠାରୁ ଶକ୍ତିଶାଳୀ କିଏ ? ଦୁର୍ଭିକ୍ଷ, ଭୂକମ୍ପ ଏବଂ ସମସ୍ତ ପ୍ରକାରର ବିପତ୍ତିର ସାମ୍ନା କରି କେଉଁ ଦେଶଗୁଡ଼ିକ ତିଷ୍ଠି ରହିପାରିବେ ?

'ଡେଲି ଗାଲାକ୍ସି'ର ଏକ ରିପୋର୍ଟ ଅନୁଯାୟୀ, ଗବେଷଣାରେ ୭ଟି ଦ୍ୱୀପରାଷ୍ଟ୍ରଙ୍କୁ ଚିହ୍ନଟ କରାଯାଇଛି । ଏହି ଦେଶଗୁଡ଼ିକ ବିଶ୍ୱବ୍ୟାପୀ ବିନାଶକାରୀ ପରିସ୍ଥିତିରେ ବି ସାମାଜିକ ବ୍ୟବସ୍ଥା ଏବଂ ଖାଦ୍ୟ ଉତ୍ପାଦନ ବଜାୟ ରଖିବାରେ ସବୁଠାରୁ ଅଧିକ ସକ୍ଷମ । ‘ସଷ୍ଟେନେବିଲିଟି’ ପତ୍ରିକାରେ ୨୦୨୧ରେ ପ୍ରକାଶିତ ଏକ ବିଶ୍ଲେଷଣ ଅନୁଯାୟୀ, ଏକ ବ୍ୟାପକ ବୈଶ୍ୱିକ ସଙ୍କଟ ପରେ କେଉଁ ଦେଶଗୁଡ଼ିକ ନିଜର ଜଟିଳ ସାମାଜିକ ଓ ପ୍ରଯୁକ୍ତିବିଦ୍ୟା ବ୍ୟବସ୍ଥାକୁ ସୁରକ୍ଷିତ ରଖିପାରିବେ, ତାହାର ଆକଳନ କରାଯାଇଥିଲା ।

ବୈଜ୍ଞାନିକମାନେ ଖାଦ୍ୟ ଉତ୍ପାଦନ, ଶକ୍ତି ଉତ୍ସ, ଉତ୍ପାଦନ କ୍ଷମତା, ଭୌଗୋଳିକ ଅବସ୍ଥିତି ଏବଂ ଜଳବାୟୁ ସହ ଖାପଖୁଆଇବାର କ୍ଷମତାକୁ ନେଇ ୭ଟି ଦେଶର ବିଶ୍ଳେଷଣ କରିଥିଲେ । ସେହି ଦେଶଗୁଡ଼ିକ ହେଉଛନ୍ତି, ନ୍ୟୁଜିଲ୍ୟାଣ୍ଡ, ଆଇସଲ୍ୟାଣ୍ଡ, ୟୁକେ, ଅଷ୍ଟ୍ରେଲିଆ, ଆୟରଲ୍ୟାଣ୍ଡ, ଭାନୁଆଟୁ ଏବଂ ସୋଲୋମନ ।

ନ୍ୟୁଜିଲ୍ୟାଣ୍ଡ ନିଜର ସ୍ଥାନୀୟ ସ୍ତରରେ ଶକ୍ତି ଓ କୃଷିର ଉପଲବ୍ଧତା ଯୋଗୁ ସବୁଠାରୁ ଆଗରେ ରହିଛି । ଆକଳନ କରାଯାଇଥିବା ଦେଶଗୁଡ଼ିକ ମଧ୍ୟରେ ନ୍ୟୁଜିଲ୍ୟାଣ୍ଡ ୬.୫ ସ୍କୋର ସହ ଶୀର୍ଷ ସ୍ଥାନ ହାସଲ କରିଛି । ଏହା ପଛକୁ ଆଇସଲ୍ୟାଣ୍ଡ ୧.୨ ସ୍କୋର କରିଥିବା ବେଳେ ଯୁକ୍ତରାଜ୍ୟ ଓ ଅଷ୍ଟ୍ରେଲିଆ ୧ ଏବଂ ଆୟରଲ୍ୟାଣ୍ଡ ୦.୬ ସ୍କୋର କରିଛନ୍ତି । ନ୍ୟୁଜିଲ୍ୟାଣ୍ଡର ଏହି ସଫଳତା ପଛରେ ଏହାର ବାହ୍ୟ ଜଗତରୁ ଅଲଗା ରହିବାର ସ୍ଥିତି ଏବଂ ନିଜସ୍ୱ ଶକ୍ତି ଓ କୃଷି ବ୍ୟବସ୍ଥା ମୁଖ୍ୟ କାରଣ । ତଥାପି, ଗବେଷକମାନେ ଦର୍ଶାଇଛନ୍ତି ଯେ ଏହି ଦେଶର ଶିଳ୍ପ ଭିତ୍ତିଭୂମି ସୀମିତ ଏବଂ ପ୍ରାକୃତିକ ବିପଦର ଆଶଙ୍କା ରହିଛି । ଅଷ୍ଟ୍ରେଲିଆ ପାଖରେ ବିଶାଳ କୃଷି କ୍ଷେତ୍ର ରହିଛି, କିନ୍ତୁ ଏହାର ଅଧିକାଂଶ ଭାଗ ଚାଷପୋଯୋଗୀ ଜମି ନୁହେଁ ।

ଆଣବିକ ଯୁଦ୍ଧ, ବଡ଼ ଆଗ୍ନେୟଗିରି ଉଦଗୀରଣ କିମ୍ବା ଗ୍ରହାଣୁର ଧକ୍କା ଯୋଗୁଁ ସୂର୍ଯ୍ୟକିରଣ ଭୀଷଣ ଭାବେ ହ୍ରାସ ସ୍ଥିତିରେ ୩୮ଟି ଦ୍ୱୀପରାଷ୍ଟ୍ରର ବଞ୍ଚିବାର କ୍ଷମତା ଉପରେ ଅଧ୍ୟୟନ କରାଯାଇଥିଲା । ଏହି ଗବେଷଣାରେ ବାୟୁମଣ୍ଡଳରେ ୫, ୨୭ ଏବଂ ୧୫୦ ଟେରାଗ୍ରାମ ଅଙ୍ଗାର ପ୍ରବେଶ କରିବା ଦ୍ୱାରା କୃଷି ଉତ୍ପାଦନ ଏବଂ ସାମୁଦ୍ରିକ ମାଛ ଧରା ଉପରେ ପଡ଼ୁଥିବା ପ୍ରଭାବର ମଡେଲ ପ୍ରସ୍ତୁତ କରାଯାଇଥିଲା । ସବୁଠାରୁ ଭୟଙ୍କର ୧୫୦ ଟେରାଗ୍ରାମ ସ୍ଥିତିରେ ବି ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଆଇସଲ୍ୟାଣ୍ଡ, ଭାନୁଆଟୁ ଏବଂ ସୋଲୋମନ ଆଇଲ୍ୟାଣ୍ଡସ ପ୍ରତିଦିନ ଜଣ ପ୍ରତି ୨,୨୦୦ କିଲୋକ୍ୟାଲୋରୀରୁ ଅଧିକ ଖାଦ୍ୟ ଉତ୍ପାଦନ ବଜାୟ ରଖିବାକୁ ସକ୍ଷମ ହୋଇଥିଲେ । ଅଷ୍ଟ୍ରେଲିଆ ଦୈନିକ ଜଣ ପ୍ରତି ୧୬,୦୬୯ କିଲୋକ୍ୟାଲୋରୀ ଆନୁମାନିକ ଖାଦ୍ୟ ଆତ୍ମନିର୍ଭରଶୀଳତା ହାସଲ କରି ଶୀର୍ଷରେ ରହିଥିଲା ।

ଗବେଷକମାନେ ସ୍ପଷ୍ଟ ଭାବେ କହିଛନ୍ତି, "ଅଷ୍ଟ୍ରେଲିଆର ଖାଦ୍ୟ ଯୋଗାଣ ଭଣ୍ଡାର ଅତ୍ୟନ୍ତ ବିଶାଳ ।" ଅଧିକ କୃଷି କ୍ଷମତା ଥାଇ ବି ଗବେଷଣାରୁ ଜଣାପଡ଼ିଛି ଯେ କେବଳ ଖାଦ୍ୟ ମହଜୁଦ ରହିଲେ ବି ଆବଶ୍ୟକତା ଶେଷ ହୋଇଯାଏ ନାହିଁ । ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ଉଭୟ ସାର, ଯନ୍ତ୍ରପାତି, ଉପକରଣ ଏବଂ ପେଟ୍ରୋଲିୟମ ଦ୍ରବ୍ୟ ପାଇଁ ଆମଦାନୀ ଉପରେ ନିର୍ଭର କରନ୍ତି । ଆଣବିକ ସଂଘର୍ଷ ସମୟରେ ଆମେରିକା ଏବଂ ଯୁକ୍ତରାଜ୍ୟ ସହିତ ସାମରିକ ମେଣ୍ଟ ହେତୁ ଅଷ୍ଟ୍ରେଲିଆ ଅଧିକ ରାଜନୈତିକ ବିପଦର ସାମ୍ନା କରିପାରେ । ଅନ୍ୟପଟେ, ୧୫୦ ଟେରାଗ୍ରାମ ସ୍ଥିତିରେ ନ୍ୟୁଜିଲ୍ୟାଣ୍ଡ ନିଜର ୬୦.୯% କୃଷି କ୍ଷମତା ହରାଇବ ବୋଲି ଆକଳନ କରାଯାଇଛି । ଏହି ହ୍ରାସ ସତ୍ତ୍ୱେ, ନ୍ୟୁଜିଲ୍ୟାଣ୍ଡର ମୂଳ ଉତ୍ପାଦନ ଆବଶ୍ୟକ କ୍ୟାଲୋରୀ ଲକ୍ଷ୍ୟଠାରୁ ଅଧିକ ରହିବ ।