ନୂଆଦିଲ୍ଲୀ: ସଂସାରର ମୋହ ମାୟା ତୁଟାଇ ଜଣେ ବଡ଼ ବ୍ୟବସାୟୀ ଜଙ୍ଗଲରେ ଜୀବନ କାଟିବାକୁ ସ୍ଥିର କରିଛନ୍ତି । ନିଜ ପତ୍ନୀ ଏବଂ ପିଲାଙ୍କୁ ଛାଡ଼ି ସେ ସନ୍ନ୍ୟାସୀ ହୋଇଯିବାକୁ ଘୋଷଣା କରିସାରିଛନ୍ତି । ଏହା ପୂର୍ବରୁ ସେ ନିଜର ଆଇସକ୍ରିମ୍‌ କମ୍ପାନୀକୁ ବିକ୍ରି କରିବାକୁ ଫେସବୁକରେ ପୋଷ୍ଟ ସେୟାର କରିଛନ୍ତି । ଥାଇଲାଣ୍ଡର ଏହି ବ୍ୟବସାୟୀଙ୍କ ଆଇସକ୍ରିମ କମ୍ପାନୀର ମୂଲ୍ୟ ପ୍ରାୟ ୪୮ କୋଟି ଟଙ୍କା । 

 'ହାୱେଲ୍ସ' (Hawell’s) ଆଇସକ୍ରିମ ବ୍ରାଣ୍ଡର ମାଲିକ ସିରିପୋଙ୍ଗ ଆକାରାସ୍ରିୟୁକ ନିଜ କମ୍ପାନୀର ନୂଆ ମାଲିକ ଖୋଜୁଛନ୍ତି। ଜଣେ ସନ୍ନ୍ୟାସୀ ହେବା ପାଇଁ ସେ ଦୀର୍ଘ ଦିନରୁ ଇଚ୍ଛା ରଖିଥିଲେ ଏବଂ ଏହା ସେହି ଦିଗରେ ତାଙ୍କର ପ୍ରଥମ ପଦକ୍ଷେପ ବୋଲି ସେ ଏକ ଫେସବୁକ ପୋଷ୍ଟ ମାଧ୍ୟମରେ ଜଣାଇଛନ୍ତି।

ସନ୍ନ୍ୟାସ ଗ୍ରହଣ କରିବା ପରେ ସିରିପୋଙ୍ଗ ନିଜ ସ୍ତ୍ରୀ ଏବଂ ଝିଅ ସହିତ ସମସ୍ତ ସମ୍ପର୍କ ଛିନ୍ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି ଯେ, ସଂସାର ତ୍ୟାଗ କରିବାର ଏହି ଯୋଜନା ତାଙ୍କର ଗତ ୧୫ ବର୍ଷ ହେବ ଚାଲିଥିଲା। ସେ କହିଛନ୍ତି, ମୋର ଏବଂ ମୋ ପରିବାର ପାଖରେ ମାତ୍ର ୨ ବର୍ଷର ସମୟ ଅଛି। ଆଗାମୀ ୨ ବର୍ଷ ମଧ୍ୟରେ ସେ କିଛି ଜମି କିଣି ଜଙ୍ଗଲରେ ଏକ ଧ୍ୟାନ କେନ୍ଦ୍ର ନିର୍ମାଣ କରିବେ, ଯେଉଁଠାରେ ସେ ସମ୍ପୂର୍ଣ୍ଣ ଧ୍ୟାନରେ ମଗ୍ନ ରହିବେ।

ସେ ଯଦି ଜ୍ଞାନପ୍ରାପ୍ତ କରନ୍ତି, ତେବେ କେବଳ ନିଜ ସ୍ତ୍ରୀ, ଝିଅ, ଆତ୍ମୀୟ ଓ ଶିଷ୍ୟମାନଙ୍କୁ ଧର୍ମ ମାର୍ଗ ଦେଖାଇବା ପାଇଁ ସେ ପୁଣି ଥରେ ସାଂସାରିକ ଦୁନିଆକୁ ଫେରିବେ ବୋଲି ଘୋଷଣା କରିଛନ୍ତି । ସେପଟେ ୧୯୯୯ ମସିହାରେ ହାୱେଲ୍ସ ଆଇସକ୍ରିମ୍‌ର ଶୁଭାରମ୍ଭ ହୋଇଥିଲା ଏବଂ ଥାଇଲାଣ୍ଡରେ ଏହା ବେଶ୍ ଲୋକପ୍ରିୟ ଥିଲା। ସିରିପୋଙ୍ଗଙ୍କ କହିବାନୁଯାୟୀ, ଗତ କିଛି ବର୍ଷ ହେବ ସେ ବ୍ୟବସାୟର ସମ୍ପ୍ରସାରଣ (Expansion) କରିବାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଫାଙ୍କା ଜାଗା ଥାଇ ବି ବିଭିନ୍ନ ଶପିଂ ମଲ୍‌ଗୁଡ଼ିକ ତାଙ୍କ ବ୍ରାଣ୍ଡକୁ ଆଉ ସ୍ଥାନ ଦେଉନଥିଲେ। ବ୍ୟବସାୟରେ ସମସ୍ୟା ପାଇଁ ହୁଏତ ସେ ନିଜର କମ୍ପାନୀ ବିକ୍ରି କରିବାକୁ ଚାହୁଁଛନ୍ତି । କିନ୍ତୁ ବ୍ୟବସାୟୀ ସାଂସାରିକ ମୋହରୁ ବାହାରି ସନ୍ନ୍ୟାସୀ ହେବେ ବୋଲି କହିଛନ୍ତି ।