ନୂଆଦିଲ୍ଲୀ: ବିଶ୍ୱର ଖଗୋଳ ବିଜ୍ଞାନରେ ଋଚି ରଖୁଥିବା ଅଗଣିତ ଲୋକଙ୍କ ଲାଗି ୧୨ ଅଗଷ୍ଟ ଏକ ସ୍ମରଣୀୟ ଦିନ ହେବ। ଏହି ଗୋଟିଏ ଦିନରେ ୨୪ ଘଣ୍ଟା ମଧ୍ୟରେ ୩ଟି ବଡ଼ ମହାକାଶୀୟ ଘଟଣା ଏକ ସଙ୍ଗେ ସଂଘଟିତ ହେବ। ଏହି ଦିନ ପ୍ରତ୍ୟୁଷରେ ସୂର୍ଯ୍ୟୋଦୟ ପୂର୍ବରୁ ଗୋଟିଏ ଧାଡିରେ ୬ଟି ଗ୍ରହ ଦେଖିବାକୁ ମିଳିବେ। ଦିନରେ ସୂର୍ଯ୍ୟପରାଗ ହେବାକୁ ଥିବା ବେଳେ ରାତିରେ ତାରା ଖସିବା ବା ଉଲକା ବର୍ଷା ହେବ। ଖଗୋଳବିଦଙ୍କ କହିବା କଥା ହେଉଛି ଏହି ୩ଟି ଘଟଣା ଗୋଟିଏ ଦିନରେ ହେବା ଏକ ଅନନ୍ୟ ବିରଳ ସଂଯୋଗ।

ଗୋଟିଏ ଧାଡ଼ିରେ ଦେଖାଯିବେ ୬ ଗ୍ରହ
ଅଗଷ୍ଟ ୧୨ତାରିଖ ସୂର୍ଯ୍ୟୋଦୟର ପାଖାପାଖି ୩୦ରୁ ୬୦ ମିନିଟ୍ ପୂର୍ବରୁ ଆକାଶରେ ୬ ଗ୍ରହ ବୁଧ,ମଙ୍ଗଳ, ବୃହସ୍ପତି, ଶନି, ୟୁରେନ୍ସ ଓ ନେପଚୁନ ଗୋଟିଏ ଶରଳ ରେଖାରେ ଧାଡିରେ ରହିବା ଭଳି ଦେଖାଯିବେ। ଏଥିରେ ମଙ୍ଗଳ, ବୃହସ୍ପତି ଓ ଶନିଗ୍ରହଙ୍କୁ ଖାଲି ଆଖିରେ ଦେଖିହେବ ତେବେ ୟୁରାନ୍ସ ଓ ନେପଚୁନ ଦେଖିବା ପାଇଁ ଟେଲିସ୍କୋପର ଆବଶ୍ୟକତା ପଡିବ। ଟେଲିସ୍କୋପ ନଥିଲେ ବାଇନାକୁଲାରରେ ମଧ୍ୟ ଏହି ଦୁଇ ଗ୍ରହ ଦେଖାଯିବେ।

ଦିନରେ ହେବ ପୂର୍ଣ୍ଣ ସୂର୍ଯ୍ୟପରାଗ
ଅଗଷ୍ଟ ୧୨ ତାରିଖ ଦିନବେଳା ଏକ ଦୀର୍ଘ ପୂର୍ଣ୍ଣ ସୂର୍ଯ୍ୟପରାଗ ସଂଘଟିତ ହେବ। ଏହା ୧୯୯୯ ମସିହା ପରେ ୟୁରୋପର ଏକ ମୁଖ୍ୟ ଅଞ୍ଚଳ ଉପରେ ଦେଖାଯିବାକୁ ଥିବା ପ୍ରଥମ ସୂର୍ଯ୍ୟପରାଗ ହେବ। ଏହି ପରାଗ ଗ୍ରୀନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ, ଉତ୍ତରସ୍ପେନ ଓ ପର୍ତ୍ତୁଗାଲର କିଛି ଅଞ୍ଚଳ ଉପର ଦେଇ ଗତି କରିବ। ଏହି ପରାଗ ଆଇସଲ୍ୟାଣ୍ଡ ନିକଟ ସମୁଦ୍ର ଉପରେ ସର୍ବାଧିକ ୨ମିନିଟ୍ ୧୮ ସେକେଣ୍ଡ ପର୍ଯ୍ୟନ୍ତ ରହିବ। ୟୁରୋପର ବାକି ଅଞ୍ଚଳ କାନାଡା ଓ ଉତ୍ତର ଆମେରିକାରେ ଆଂଶିକ ସୂର୍ଯ୍ୟପରାଗ ଦେଖାଯିବ।

୧୯୯୧ ମସିହା ପରେ ଏହା ସବୁଠୁ ଦୀର୍ଘ ସୂର୍ଯ୍ୟପରାଗ ହେବ। ଏଣୁ ଏହାକୁ ବିନା ସାର୍ଟିଫାଏଡ ଚଷମାରେ ସିଧା ନ ଦେଖିବାକୁ ବୈଜ୍ଞାନିକ ଚେତାବନୀ ଦେଇଛନ୍ତି। ଏହି ପରାଗକୁ ଖାଲି ଆଖିରେ ଦେଖିଲେ ଆଖି ସବୁଦିନ ଲାଗି କ୍ଷତିଗ୍ରସ୍ତ ହୋଇପାରେ ବୋଲି ବୈଜ୍ଞାନିକ ଆଶଙ୍କା ପ୍ରକାଶ କରିଛନ୍ତି।

ରାତିରେ ହେବ ଉଲକା ବର୍ଷା
ଅମାବାସ୍ୟା ରାତିରେ ଆକାଶ ଅନ୍ଧାର ହେବା ସହ ଉଲକା ବର୍ଷା ପର୍ଯ୍ୟାୟ ଆରମ୍ଭ ହେବ। ଦିନରେ ସୂର୍ଯ୍ୟ ପରାଗ ଯୋଗୁ ଉଲକା ବର୍ଷା ଦେଖାଯିବନି। ହେଲେ ଅମାବାସ୍ୟାର ଅନ୍ଧାର ରାତିରେ ଉଲକା ବର୍ଷା ସ୍ପଷ୍ଟ ଦେଖିହେବ। ତେବେ କେଉଁଠାରେ ଉଲକା ବର୍ଷା ଦେଖାଯିବ ସେନେଇ ଖଗୋଳବିଦ୍ ମାନେ ବିଶେଷ କିଛି କହି ନାହାନ୍ତି।